ସ୍ବାଧୀନତା ଦିବସ ପରେ ମୁଖ୍ୟ ପ୍ରଶିକ୍ଷକ ଚୟନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପରବର୍ତୀ ମୁଖ୍ୟ ପ୍ରଶିକ୍ଷକ ଚୟନ ପ୍ରକ୍ରିୟା ସ୍ବାଧୀନତା ଦିବସ ପରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଆବଦେନକାରୀଙ୍କ ସାକ୍ଷାତକାର ଅଗଷ୍ଟ ୧୩ କିମ୍ବା ୧୪ ତାରିଖରେ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। କପିଳ ଦେବ, ଅଂଶୁମାନ ଗାଏକ୍ବାଡ ଏବଂ ଶାନ୍ତା ରଙ୍ଗାସ୍ବାମୀଙ୍କୁ ନେଇ ଗଠିତ କ୍ରିକେଟ୍‌ ଉପଦେଷ୍ଟା ସମିତି (ସିଏସି)ଙ୍କ ଉପରେ ମୁଖ୍ୟ ପ୍ରଶିକ୍ଷକ ଚୟନ କାର୍ଯ୍ୟ ଛାଡ଼ି ଦିଆଯାଇଛି। ମୁଖ୍ୟ ପ୍ରଶିକ୍ଷକ ଏବଂ ଅନ୍ୟାନ୍ୟ ସହକାରୀ ପ୍ରଶିକ୍ଷକ ପଦ ପାଇଁ ପ୍ରାୟ ୨୦୦୦ ଆବେଦନ ପଡ଼ିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ସାକ୍ଷାତକାର ଲାଗି ମାତ୍ର ଅଧା ଡଜନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି। ଅଗଷ୍ଟ ୧୫ ତାରିଖ ପୂର୍ବରୁ କାଗଜପତ୍ର କାମ ଶେଷ ହୋଇପାରୁନଥିବାରୁ ଏହା ବିଳମ୍ବ ହେଉଛି ବୋଲି ଜଣେ ବିସିସିଆଇ କର୍ମକର୍ତା ପ୍ରକାଶ କରିଛନ୍ତି। ପ୍ରଶିକ୍ଷକ ଚୟନରେ ଅଧିନାୟକ ବିରାଟ କୋହଲିଙ୍କ ଭୂମିକା ରହିବ ନାହିଁ ବୋଲି କୁହାଯାଇଥିଲେ ମଧ୍ୟ କପିଳ ଦେବଙ୍କ ନେତୃତ୍ବାଧୀନ ସିଏସି ତାଙ୍କ ମତକୁ ଗୁରୁତ୍ବ ଦେବ ବୋଲି ପୂର୍ବରୁ ସୂଚନା ଦେଇ ସାରିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ କୋହଲି କହିଥିଲେ ‘ରବି ଭାଇ (ଶାସ୍ତ୍ରୀ) ପ୍ରଶିକ୍ଷକ ରହିଲେ ମୁଁ ଖୁସି ହେବି’। ଫଳରେ ରବି ଶାସ୍ତ୍ରୀ ତାଙ୍କ ପଦ ବଜାୟ ରଖିବା ଏକ ପ୍ରକାର ନିଶ୍ଚିତ ରହିଛି।

ସମ୍ବନ୍ଧିତ ଖବର