ପ୍ୟାରିସ୍: ଅଲିମ୍ପିକ୍ସ ଉଦ୍ଘାଟନୀ ଦିନ ବଡ଼ ଧରଣର ବିଭ୍ରାଟ ହେବା ଆଶଙ୍କା ରହିଛି। ପ୍ୟାରିସ୍ ବିମାନବନ୍ଦର ପରିଚାଳନା କରୁଥିବା କର୍ମଚାରୀଙ୍କ ଏକ ସଂଗଠନ ‘ଦ ଫୋର୍ସ ଔଭ୍ରିର୍’ (ଏଫ୍ଓ) ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଦିଆଯିବାକୁ ଘୋଷଣା କରାଯାଇଛି। କର୍ମଚାରୀଙ୍କର ମଜୁରି ଓ ବୋନସ୍ରେ ବୃଦ୍ଧି କରିବା ପାଇଁ ଦାବି ରଖାଯାଇଛି। ବିମାନବନ୍ଦର କର୍ମଚାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଏଫ୍ଓ ସଂଘରେ ପାଖାପାଖି ୧୨ ପ୍ରତିଶତ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଏୟାର ଫ୍ରାନ୍ସର ପାଇଲଟ୍, ଫ୍ଲାଇଟ୍ ଆଟେଣ୍ଡାଣ୍ଟମାନେ ଅଛନ୍ତି। ସଂଘ ପକ୍ଷରୁ ସ୍ଥାନୀୟ ସମୟ ଶୁକ୍ରବାର ସକାଳ ୫ଟାରୁ ଶନିବାର ସକାଳ ୭ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ପାଇଁ ଡାକରା ଦିଆଯାଇଛି। ଏହି ସମୟ ଭିତରେ ଅଲିମ୍ପିକ୍ସର ଉଦ୍ଘାଟନୀ କାର୍ଯ୍ୟକ୍ରମ ରହିଛି। ଯଦି ଧାରଣା ହୁଏ, ତାହେଲେ ଉଦ୍ଘାଟନୀ ଦିନ ସନ୍ଧ୍ୟା ସାଢ଼େ ୬ଟାରୁ ମଧ୍ୟରାତ୍ରି ମଧ୍ୟରେ ୧୫୦ କିଲୋମିଟର ପରିସୀମାରେ କୌଣସି ଘରୋଇ ବିମାନ ଚଳାଚଳ କରିପାରିବନି। ଏପରିକି ଏହି ଧାରଣା ଦ୍ବାରା ଅନ୍ୟ ବିମାନବନ୍ଦର ଗୁଡ଼ିକ ମଧ୍ୟ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି।
ପ୍ୟାରିସ୍: ଆମେରିକାର ଲୋକପ୍ରିୟ ରାପର ସ୍ନୁପ୍ ଡଗ୍ ପ୍ୟାରିସ୍ ଅଲିମ୍ପିକ୍ସର ଉଦ୍ଘାଟନୀ ସମାରୋହରେ ମଶାଲ ଜଳାଇବା ପାଇଁ ଶେଷ ଟର୍ଚ୍ଚ ଧାରକ ହେବେ। ୫୨ ବର୍ଷୀୟ ଡଗ୍ ଅଲିମ୍ପିକ୍ ମଶାଲକୁ ଉଚ୍ଚ ପ୍ୟାରିସ୍ର ସେଣ୍ଟ ଡେନିସ୍ର ରାସ୍ତାରେ ଧରି ଦୌଡ଼ିବା ପରେ ଆଇଫିଲ୍ ଟାୱାର ପାଖରେ ହେବାକୁ ଥିବା ଉଦ୍ଘାଟନୀ ସ୍ଥଳରେ ପହଞ୍ଚିବେ। ବିଶ୍ବର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଗତ ମେ’ ମାସରୁ ଏହି ମଶାଲ ଫ୍ରାନ୍ସରେ ପରିକ୍ରମା କରୁଛି। ଅନେକ ନାମୀ ବ୍ୟକ୍ତିତ୍ବ ଏହାକୁ ଧାରଣ କରିଥିଲେ। ଆର୍ସେଲର ପ୍ରଶିକ୍ଷକ ଆର୍ସେନି ୱେଙ୍ଗର, ଫର୍ମୁଲା ୱାନ୍ ଡ୍ରାଇଭର ଲେକ୍ଲର୍କ, ଅଭିନେତ୍ରୀ ହାଲେ ବେରି ଏହି ମଶାଲକୁ ଧାରଣ କରି ଦୌଡ଼ି ସାରିଛନ୍ତି। ଶେଷ ପର୍ଯ୍ୟାୟରେ ଫ୍ରେଞ୍ଚ୍ ଅଭିନେତ୍ରୀ ଲାଇଟିଟିଆ କାଷ୍ଟା ଓ ଫ୍ରେଞ୍ଚ୍ ରାପର ଏମ୍ସି ସୋଲାର ମଶାଲ୍ ଧରି ଦୌଡ଼ିବା ପରେ ସେଣ୍ଟ ଡେନିସ୍ଠାରୁ ଡଗ୍ ଏହି ଟର୍ଚ୍ଚ ସେମାନଙ୍କଠୁ ଗ୍ରହଣ କରିବେ। ଅଲିମ୍ପିକ୍ସର ଉଦ୍ଘାଟନୀ ସମାରୋହ ଶୁକ୍ରବାର ଭାରତୀୟ ସମୟ ରାତି ୧୧ଟାରେ ଆରମ୍ଭ ହେବ ଏବଂ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଉଦ୍ଘାଟନୀ ସମାରୋହ ଷ୍ଟାଡିୟମ୍ ବାହାରେ ଆୟୋଜିତ ହେବ।