ନୂଆଦିଲ୍ଲୀ: ପେସାଦାର ସ୍ତରରେ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ହେଲ୍ମେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଉ ବୋଲି କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ୍ ତେନ୍ଦୁଲକର ସତ୍ତ୍ବାଧିକାରୀମାନକୁ ପରାମର୍ଶ ଦେଇଛନ୍ତି। ନିଜ ଖେଳ ଜୀବନରେ କ୍ବଚିତ୍ ବିନା ହେଲ୍ମେଟ୍ରେ ବ୍ୟାଟିଂ କରିଥିବା ଏହି ମହାନ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚଳିତ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅକ୍ଟୋବର ୨୪ରେ ଖେଳାଯାଇଥିବା ମ୍ୟାଚ୍ ବେଳର ଘଟଣାର ଏକ ଭିଡିଓକୁ ଟ୍ବିଟ୍ କରି ଏଭଳି ପରାମର୍ଶ ଦେଇଛନ୍ତି। ସେହି ମ୍ୟାଚ୍ ବେଳେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ବିଜୟ ଶଙ୍କର ଏକ ରନ୍ ପୂରଣ କରିବା ପାଇଁ କ୍ରିଜ୍ରେ ପହଞ୍ଚିବାକୁ ଯାଉଥିଲା ବେଳେ କିଙ୍ଗ୍ସ ଏକାଦଶ କ୍ଷେତ୍ରରକ୍ଷକ ନିକୋଲାସ୍ ପୂରନ୍ଙ୍କ ଏକ ଥ୍ରୋ ତାଙ୍କ ମୁହଁରେ ବାଜିଥିଲା। କ୍ରିକେଟ୍ ଏବେ ଦ୍ରୁତ ଖେଳ ହୋଇଯାଇଛି; ହେଲେ ଏହା ନିରାପଦ କି ବୋଲି ସଚିନ୍ ପ୍ରଶ୍ନ କରିଛନ୍ତି। ନିକଟରେ ଆମେ କିଛିଟା ଅଘଟଣ ଦେଖିଛେ।
ତେଣୁ ସ୍ପିନର ହୁଅନ୍ତୁ ବା ପେସର୍ ସେମାନଙ୍କୁ ସମ୍ମୁଖୀନ ହେବାବେଳେ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ହେଲ୍ମେଟ୍ ପିନ୍ଧିବା ଉଚିତ ବୋଲି ସଚିନ୍ କହିଛନ୍ତି। ଅକ୍ଟୋବର ୨୪ ତାରିଖର ଆଇପିଏଲ୍ ମ୍ୟାଚ୍ ବେଳର ଅଘଟଣକୁ ନେଇ ଟ୍ବିଟ୍ କରିଥିବା ଭିଡ଼ିଓକୁ ମଧ୍ୟ ସଚିନ୍ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଟ୍ୟାଗ୍ କରିଛନ୍ତି। ସେଥିରେ ସେ ତାଙ୍କର ଏକ ସ୍ମୃତିକୁ ମନେ ପକାଇ ଦେଇଛନ୍ତି। ଏକ ପ୍ରଦର୍ଶନୀ ମ୍ୟାଚ୍ ବେଳେ ସୁନିଲ ଗାଭାସ୍କରଙ୍କ ଏକ ଫୁଲ୍ ଟସ୍ ବଲ୍ ତାଙ୍କ ଟପ୍ ଏଜ୍ ନେଇଥିଲା ବେଳେ ଶାସ୍ତ୍ରୀ କିପରି ଆଘାତପ୍ରାପ୍ତ ହୋଇଥିଲେ ସେ କଥା ସଚିନ୍ ମନେ ପକାଇ ଦେଇଛନ୍ତି। ତାହା ବଡ଼ ଆଘାତ ପହଞ୍ଚାଇ ପାରିଥା’ନ୍ତା; ହେଲେ ଭାଗ୍ୟବଶତଃ ବିଶେଷ କ୍ଷତି ଘଟିନଥିଲା। ପୁଣି ସାଂପ୍ରତିକ ସମୟରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଫିଲ୍ ହ୍ୟୁଗ୍ସ ସେଫିଲ୍ଡ ସିଲ୍ଡର ଏକ ମ୍ୟାଚ୍ରେ ମୃତ୍ୟୁବରଣ କରିଥିବା ଘଟଣା ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ଥିଲା। ହ୍ୟୁଗ୍ସ ହେଲ୍ମେଟ୍ ପିନ୍ଧି ମଧ ତାଙ୍କ ବେକରେ ସିନ୍ ଆବୋଟ୍ଙ୍କ ବଲ୍ ଏତେ ଜୋର୍ରେ ବାଜିଥିଲା ଯେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦୃଷ୍ଟିରୁ ବ୍ୟାଟ୍ସମ୍ୟାନ୍ଙ୍କୁ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସାଙ୍ଗକୁ ଅତିରିକ୍ତ ନିରାପତ୍ତା ପାଇଁ ବେକର ଗାର୍ଡ ବ୍ୟବହାର କରିବାକୁ ମଧ୍ୟ ସଚିନ୍ ଆହ୍ବାନ କରିଛନ୍ତି। କଂପାନିମାନେ ମଧ୍ୟ ହେଲ୍ମେଟ୍କୁ ନୂଆ ଆକୃତି ଦେଉଛନ୍ତି ବୋଲି ସେ କହିଛନ୍ତି।