ଭୁବନେଶ୍ୱର : ପୁରୀର ପ୍ରଥମ କୁସ୍ତି ଗୁରୁ ଭାବେ ପରିଚିତ ମକୁନ୍ଦ ବରାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା କ୍ରୀଡ଼ା ପୁରସ୍କାର ଉତ୍ସବ ଶନିବାର ସଂଧ୍ୟାରେ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଉଦୀୟମାନ‌ ଖେଳାଳି ଭାବେ ବାପି ଦାସ (କୁସ୍ତି), ଡି ଭଗବାନ ରେଡ୍ଡୀ (କରାଟେ), ଶୁଭସ୍ମିତା ରାଉତ (ଫୁଟ୍‌ବଲ୍), ମହମ୍ମଦ ଅନସରୁଲ ହକ୍‌ (ସଫ୍ଟ ଟେନିସ୍‌) ସମ୍ବର୍ଧିତ ହୋଇଛନ୍ତି। ପ୍ରତିଭାସମ୍ପନ୍ନ ଆଥଲେଟ୍‌ ସୁସ୍ମିତା ଟିଗାଙ୍କୁ ଚଳିତ ବର୍ଷର ମକୁନ୍ଦ ବରାଳ ସ୍ମାରକୀ- ଅନୁରାଧା ବିଶ୍ବାଳ କ୍ରୀଡ଼ା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। କ୍ରୀଡ଼ା ପ୍ରଶିକ୍ଷକ ତଥା ପ୍ରଶାସକ ରବୀନ୍ଦ୍ରନାଥ ସେନାପତି, ଆଥଲେଟିକ୍ସ ପ୍ରଶିକ୍ଷକ ନୀଳମଣି ଦାସ, ଭଲିବଲ୍‌ ପ୍ରଶିକ୍ଷକ ସୁଷମା ନନ୍ଦ, ହକି ପ୍ରଶିକ୍ଷକ ଅମୂଲ୍ୟ ବେହେରା, ଯୋଗ ପ୍ରଶିକ୍ଷକ ଗଣେଶ୍ବର ଗୋଚ୍ଛିକାରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ସମସ୍ତଙ୍କୁ ଅର୍ଥ ରାଶି ସହ ସମ୍ମାନିତ କରାଯାଇଛି। ଉଦୀୟମାନ କ୍ରୀଡ଼ାବିତ୍ ଓ କ୍ରୀଡ଼ାଗୁରୁଙ୍କୁ ପ୍ରୋତ୍ସାହିତ କରିବା ଲାଗି ମକୁନ୍ଦ ବରାଳ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଗତ ୭ବର୍ଷ ଧରି ଏହି ଉତ୍ସବ ଅନୁଷ୍ଠିତ ହେଉଛି।

Advertisment

ମ୍ୟାନେଜିଂ ଟ୍ରଷ୍ଟି ପୀୟୂଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧୁଭୂଷଣ ନାୟକ, ନବରଞ୍ଜନ ପଟ୍ଟନାୟକ, ଡ. ବିଶ୍ବନାଥ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ, ଶିକ୍ଷାବିତ ଡ. ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।। ଟ୍ରଷ୍ଟି ନବକିଶୋ‌ର ବରାଳ, କୈବଲ୍ୟ ବରାଳ ଓ ଅଜିତ କୁମାର, ଗୌରୀଶଙ୍କର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସୁରତରଙ୍ଗ ପକ୍ଷରୁ ପ୍ରିୟରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ପୁରୁଣା ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା। ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ।