ନାପିଅର: ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଦାୱିଦ ମଲାନ ଓ ଇଅନ ମୋର୍ଗାନ ଶୁକ୍ରବାର ନାପିଅର୍ରେ ନୂଆ ଇତିହାସ ରଚିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ମଲାନ ଓ ମୋର୍ଗାନ ତୃତୀୟ ୱିକେଟ୍ ଭାଗୀଦାରିରେ ୧୮୩ ରନ୍ ଯୋଡ଼ି ନୂଆ କୀର୍ତ୍ତିମାନ କରିଥିଲେ। ଏହା ପୂର୍ବରୁ ଏହି କୀର୍ତ୍ତିମାନ ଆଲେକ୍ସ ହେଲ୍ସ ଓ ମୋର୍ଗାନ୍ (୧୫୨ ରନ୍, ୨୦୧୪ ଶ୍ରୀଲଙ୍କା ବିପକ୍ଷ)ଙ୍କ ନାମରେ ଥିଲା। ଏହି କୀର୍ତ୍ତିମାନ ଭରା ଭାଗୀଦାରି ବଳରେ ଇଲଣ୍ଡ ୭୬ ରନ୍ରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏଥି ସହିତ ୫ ଟିକିଆ ଶୃଙ୍ଖଳା ଏବେ ୨-୨ ବରାବର ସ୍ଥିତିରେ ପହଞ୍ଚିଯାଇଛି।
ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ମଲାନ୍ (୧୦୩*, ୫୧ ବଲ୍, ୯ ଚୌକା, ୬ ଛକା)ଙ୍କ ଅପରାଜିତ ଶତକ ଏବଂ ମୋର୍ଗାନ୍ (୯୧ ରନ୍, ୪୧ ବଲ୍, ୭ ଚୌକା, ୭ ଛକା)ଙ୍କ ଅର୍ଧଶତକ ବଳରେ ୨୪୧/୩ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୨ ୱିକେଟ୍ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୬.୫ ଓଭରରେ ୧୬୫ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଟିମ୍ ସାଉଦି ୩୯ ଏବଂ କଲିନ୍ ମୁନ୍ରୋ ୩୦ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ମ୍ୟାଟ୍ ପାର୍କିସନ୍ ୩ ଏବଂ କ୍ରିସ୍ ଜୋର୍ଡାନ ୨ ୱିକେଟ୍ ନେଇଥିଲେ। ଅପରାଜିତ ଶତକୀୟ ପାଳି ପାଇଁ ମଲାନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପଞ୍ଚମ ତଥା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ ମ୍ୟାଚ୍ ରବିବାର ଖେଳାଯିବ।