ମାଲେସିଆ ଓପନ୍‌: ୟୁକିଙ୍କଠୁ ହାରିଲେ ସମୀର

କୁଆଲାଲୁମ୍ପୁର: ଭାରତୀୟ ତାରକା ସମୀର ବର୍ମା ଏଠାରେ ଚାଲିଥିବା ୭୫୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ଓପନ୍‌ରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ବେ ପ୍ରଥମ ରାଉଣ୍ଡ୍‌ ପରାଜୟ ବରଣ କରିଛନ୍ତି। ମଙ୍ଗଳବାର ପୁରୁଷ ଏକକ ମୁକାବିଲାରେ ସମୀର ଚୀନ୍‌ ତାରକା ତଥା ବିଶ୍ବମାନ୍ୟତାର ଦ୍ବିତୀୟ ସି ୟୁକିଙ୍କ ନିକଟରୁ ୨୦-୨୨, ୨୩-୨୧ ଓ ୧୨-୨୧ରେ ହାର୍‌ ମା‌ନିଥିଲେ। ସମୀର ମଧ୍ୟ ପୂର୍ବରୁ ଗତବର୍ଷ ଡିସେମ୍ବରରେ ବିଶ୍ବ ଟୁର୍‌ ଫାଇନାଲ୍‌ସର ସେମିରେ ୟୁକିଙ୍କଠୁ ପରାସ୍ତ ହୋଇଥିଲେ। ତେବେ ଏହି ପ୍ରତିଯୋଗିତାରେ ଅନ୍ୟତମ ଭାରତୀୟ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକି ରେଡୀ ଯୋଡ଼ି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଣବ-ସିକି ମିଶ୍ରିତ ଯୁଗଳ ପ୍ରଥମ ରାଉଣ୍ଡ୍‌ରେ ଆୟର୍ଲାଣ୍ଡ୍‌ ଯୋଡ଼ି ସାମ୍‌ ମାଗି ଓ କ୍ଲୋଏ ମାଗିଙ୍କୁ ସିଧାସଳଖ ଗେମ୍‌ ୨୨-୨୦ ଓ ୨୪-୨୨ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରି‌ନେଇଛନ୍ତି।

ସମ୍ବନ୍ଧିତ ଖବର