ସେପଙ୍ଗ୍: ନିଜର ବିଂଶତମ ଜନ୍ମଦିନରେ ବିଜୟ ମୁକୁଟ ଧରି ନୂଆ ଦଶନ୍ଧିକୁ ପ୍ରବେଶ କରିଛନ୍ତି ଫର୍ମୁଲା ଓ୍ଵାନ୍ ଚାଳକ ମ୍ୟାକ୍ସ ଭେର୍ଷ୍ଟାପେନ୍। ରେଡ୍ ବୁଲ୍ର ଏହି ବେଲ୍ଜିଆନ୍-ଡଚ୍ ଚାଳକ ଶନିବାର ୨୦ତମ ଜନ୍ମଦିନ ପାଳିଥିଲେ। ରବିବାର କିନ୍ତୁ ନିଜର ନୂଆ ଦଶାବ୍ଦୀର ପ୍ରଥମ ଦିନରେ ମାଲେସିଆ ଗ୍ରାଁ ପ୍ରି ମୁକୁଟ ପରିଧାନ କରି ଏହାକୁ ଅଧିକ ସ୍ମରଣୀୟ କରିଥିଲେ। ବିଶ୍ୱ ପ୍ରତିଯୋଗିତାରେ ଆଗୁଆ ଥିବା ମର୍ସିଡିଜ୍ ଚାଳକ ଲୁଇସ୍ ହାମିଲ୍ଟନ୍ ଦ୍ୱିତୀୟ ସ୍ଥାନରେ ରହି ପଏଣ୍ଟ ବ୍ୟବଧାନକୁ ୩୪ରେ ପହଞ୍ଚାଇଛନ୍ତି। ବ୍ରିଟିସ ତାରକା ହାମିଲଟନ୍ ପୋଲ୍ ପୋଜିସନ୍ରୁ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ଟାଇଟଲ୍ ପ୍ରତିଦ୍ୱନ୍ଦ୍ୱୀ ଫେରାରି ଚାଳକ ସେବାଷ୍ଟିଏନ୍ ଭେଟେଲ୍ ଚତୁର୍ଥରେ ସନ୍ତୁଷ୍ଟ ହୋଇଥିଲେ। ଭେର୍ଷ୍ଟାପେନଙ୍କ ରେଡ୍ ବୁଲ୍ ସାଥୀ ତଥା ଗତବର୍ଷ ଏଠାରେ ବିଜେତା ହୋଇଥିବା ଅଷ୍ଟ୍ରେଲିଆର ଡାନିଏଲ୍ ରିକାର୍ଡିଓ ତୃତୀୟରେ ରହିଥିଲେ। ହାମିଲଟନ୍ଙ୍କଠାରୁ ୧୨.୭ ସେକେଣ୍ଡ୍ ଆଗରେ ପହଞ୍ଚିବା ମାତ୍ରେ ଭେର୍ଷ୍ଟାପେନ୍ଙ୍କୁ ତାଙ୍କ ରେଡ୍ ବୁଲ୍ ଦଳ ମୁଖ୍ୟ କ୍ରିଷ୍ଟିଆନ୍ ହର୍ନର ରେଡିଓ ଜରିଆରେ ‘ସୁପର୍..ସୁପର୍ ଜବ୍ ମ୍ୟାକ୍ସ’ ବୋଲି କହି ଅଭିନନ୍ଦନ ଜଣାଇଥିଲେ। ତୁମେ ଏକ ନୂଆ ଦଶକକୁ ଚମତ୍କାର ଢଙ୍ଗରେ ପ୍ରବେଶ କଲ ବୋଲି ସେ କହିଥିଲେ। ଭେର୍ଷ୍ଟାପେନ୍ଙ୍କ ପାଇଁ ଏହା ତାଙ୍କ ଖେଳ ଜୀବନର ଦ୍ୱିତୀୟ ବିଜୟ। ଗତବର୍ଷ ସେ ସ୍ପେନ୍ରେ ନିଜର ପ୍ରଥମ ଫର୍ମୁଲା ଓ୍ଵାନ୍ ବିଜୟ ସ୍ପର୍ଶ ପାଇଥିଲେ। କାରରେ ପ୍ରବେଶ ବେଳଠୁ ମୁଁ ଭଲ ଅନୁଭବ କରିଥିଲି, ଟ୍ରାକ୍ସନରେ ହାମିଲଟନ ସଂଘର୍ଷ କରିଥିଲେ। କିନ୍ତୁ ମୋ ତୁଳନାରେ ତାଙ୍କୁ ହିଁ କିଛି ହରାଇବାକୁ ଥିଲା। ମୁଁ ବିନା ଚାପରେ ଆଗକୁ ବଢ଼ିଥିଲି ବୋଲି ଚତୁର୍ଥ ଲାପ୍ରେ ହାମିଲଟନ୍ଙ୍କୁ କାଟିଥିବା ଭେର୍ଷ୍ଟାପେନ୍ କହିଥିଲେ। ସେବେଠୁ ମୁଁ ନିଜସ୍ୱ ଚାଳନା କରିଥିଲି, କାର ମଧ୍ୟ ଅବିଶ୍ୱସନୀୟ ଥିଲା। ଆବଶ୍ୟକ ବେଳେ ଗତି ବଢ଼ାଇ ପାରିଥିଲି ଏବଂ ସଫଳ ହେଲି ବୋଲି କହିଥିଲେ ଭେର୍ଷ୍ଟାପେନ୍।
ଜନ୍ମଦିନରେ ଭେର୍ଷ୍ଟାପେନ୍ଙ୍କୁ ମୁକୁଟ
/sambad/media/post_attachments/wp-content/uploads/2017/10/Max-Verstappen-celebrates-winning-the-race.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)