ମାଲେସିଆ ମାଷ୍ଟର୍ସ : ସାଇନା, ସିନ୍ଧୁ, ପ୍ରଣୟ ଆଗେଇଲେ; ଶ୍ରୀକାନ୍ତ, ପ୍ରଣୀତ ବିଦା

ନୂଆଦିଲ୍ଲୀ : ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ମାଲେସିଆ ମାଷ୍ଟର୍ସ ବ୍ୟା଼ଡମିଣ୍ଟନ୍ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଭାରତକୁ ମିଶ୍ର ଫଳ ମିଳିଛି। ଦୁଇ ମହିଳା ତାରକା ସାଇନା ନେହ୍ବାଲ ଓ ପିଭି ସିନ୍ଧୁଙ୍କ ସମେତ ପୁରୁଷ ତାରକା ଏଚ୍‌ଏସ୍‌ ପ୍ରଣୟ ନିଜ ନିଜ ପ୍ରଥମ ରାଉଣ୍ଡ୍‌ ଜିତି ଆଗକୁ ବଢ଼ିଥିଲା ବେଳେ ପୁରୁଷ ତାରକା କିଦାମ୍ବି ଶ୍ରୀକାନ୍ତ ଓ ବି ସାଇ ପ୍ରଣୀତ ନିରାଶ କରିଛନ୍ତି।

ମହିଳା ଏକକ ବର୍ଗରେ ବେଲ୍‌ଜିୟମର ଲିଆନେ ତାନଙ୍କୁ ୩୬ ମିନିଟ୍‌ ମଧ୍ୟରେ ୨୧-୧୫, ୨୧-୧୭ରେ ପରାସ୍ତ କରି ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ଦ୍ବିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି। ସେହିପରି ବିଶ୍ବ ବିଜୟିନୀ ପିଭି ସିନ୍ଧୁ ୩୫ ମିନିଟ୍‌ ମଧ୍ୟରେ ରୁଷିଆର ଏଭ୍‌ଜିନିଆ କେସେସ୍‌କାୟାଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଏକକରେ ୨୬ତମ ମାନ୍ୟତାପ୍ରାପ୍ତ ପ୍ରଣୟ ୩୪ ମିନିଟ୍‌ ମଧ୍ୟରେ ବିଶ୍ବ ମାନ୍ୟତାର ଦଶମ କାଣ୍ଟା ସୁନେୟାମାଙ୍କୁ ସିଧାସଳଖ ୨୧-୯ ଓ ୨୧-୧୭ରେ ପରାସ୍ତ କରି ପ୍ରଥମ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ହେଲେ ପୁରୁଷ ଏକକ ବର୍ଗରେ ଶ୍ରୀକାନ୍ତ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚୀନ୍‌ ତାରକା ତିନ୍‌ ଚେନ୍‌ଙ୍କଠାରୁ ୧୭-୨୧, ୫-୨୧ରେ ଏବଂ ବିଶ୍ବ ପ୍ରତିଯୋଗିତାର କାଂସ୍ୟ ପଦକ ବିଜେତା ପ୍ରଣୀତ ଡେନ୍‌ମାର୍କର ରସ୍‌ମସ୍‌ ଗେମ୍‌କେଙ୍କ ନିକଟରୁ ୧୧-୨୧ ଓ ୧୫-୨୧ରେ ହାରି ପ୍ରଥମ ରାଉଣ୍ଡ୍‌ରୁ ହିଁ ବିଦାୟ ନେଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ପ୍ରଥମ ଦିବସରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୧୯ ମାନ୍ୟତାପ୍ରାପ୍ତ ମାଲେସିଆ ଯୋଡ଼ି ଅଙ୍ଗ୍ ୟ୍ୟୁ ସିନ ଓ ତିଓ ଇ ୟି’ଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର