ମାଲେସିଆ ମାଷ୍ଟର୍ସ: ସିନ୍ଧୁ ଆଗେଇଲେ, ସାଇନା ବିଦା

ପ୍ରଣୀତ ଓ କାଶ୍ୟପଙ୍କ ବିଜୟ ଅଭିଯାନ

କୁଆଲାଲୁମ୍ପୁର: ପିଭି ସିନ୍ଧୁଙ୍କ ସମେତ ବି ସାଇ ପ୍ରଣୀତ ଏବଂ ପରୁପଲ୍ଲୀ କାଶ୍ୟପ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ସାଇନା ନେହ୍ବାଲ ଆରମ୍ଭରୁ ବିଦାୟ ‌ନେଇଛନ୍ତି। ସାଇନା ମହିଳା ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ବୁଧବାର ଦକ୍ଷିଣ କୋରିଆ ପ୍ରତିଦ୍ବନ୍ଦ୍ବୀ କିମ୍‌ ଗା ଇୁନଙ୍କ ନିକଟରୁ ୨୧-୧୬, ୧୭-୨୧ ଓ ୧୪-୨୧ରେ ହାରିଯାଇଛନ୍ତି। ସାଇନା ଏହା ପୂର୍ବରୁ ମଧ୍ୟ ଗତ ସପ୍ତାହରେ ମାଲେସିଆ ଓପନ୍‌ ସୁପର ୭୫୦ ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡ ହାରି ବିଦାୟ ନେଇଥିଲେ।

ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ବୁଧବାର ମହିଳା ଏକକ ପ୍ରଥମ ରାଉଣ୍ଡରେ ପ୍ରବଳ ସଂଘର୍ଷ କରି ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ହି ବିଙ୍ଗ୍‌ ଜିଆଓଙ୍କୁ ୨୧-୧୩, ୧୭-୨୧ ଓ ୨୧-୧୫ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ଏହି ବିଜୟ ବଳରେ ସିନ୍ଧୁ ମଧ୍ୟ ଗତ ମାସରେ ଇଣ୍ଡୋନେସିଆ ଓପନ୍‌ ସୁପର ୧୦୦୦ ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଇଣ୍ଡୋନେସିଆ ଓପନ୍‌ ପ୍ରଥମ ରାଉଣ୍ଡରେ ଜିଆଓ ସିଧାସଳଖ ଗେମ୍‌ରେ ସିନ୍ଧୁଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ। ବୁଧବାର ସିନ୍ଧୁ ସେହି ପ୍ରଥମ ରାଉଣ୍ଡରୁ ଜିଆଓଙ୍କୁ ବିଦା କରି ଦେଇଛନ୍ତି। ତଥାପି ପରସ୍ପର ମୁହାଁମୁହିଁରେ ସିନ୍ଧୁଙ୍କ ବିପକ୍ଷରେ ଜିଆଓ ୧୦-୯ରେ ଆଗୁଆ ରହିଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ପ୍ରଣୀତ ୨୧-୧୮ ଓ ୨୧-୯ ସିଧାସଳଖ ଗେମ୍‌ରେ ଗୁଏଟମାଲାର କେଭିନ କର୍ଡନଙ୍କୁ ଏବଂ କାଶ୍ୟପ ୧୬-୨୧, ୨୧-୧୬ ଓ ୨୧-୧୬ରେ ମାଲେସିଆର ଟମି ସୁଗିଆର୍ତୋଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ ସ୍ଥାନ ପକ୍କା କରିଛନ୍ତି। ତେବେ ପୁରୁଷ ଏକକରେ ସମୀର ବର୍ମା ପ୍ରଥମ ରାଉଣ୍ଡରେ ଚାଇନିଜ ତାଇପେର ଚୋଉ ଟିନ୍‌ ଚେନ୍‌ଙ୍କଠାରୁ ୨୧-୧୦, ୧୨-୨୧ ଓ ୧୪-୨୧ରେ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର