ମାଲେସିଆ ମା‌ଷ୍ଟର୍ସରୁ ଶ୍ରୀକାନ୍ତ ବିଦା, ସେମିରେ ସାଇନା

କୁଆଲାଲୁମ୍ପୁର: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବିଡବ୍ଲୁଏଫ୍‌ ସୁପର ୫୦୦ ପ୍ରତି‌ଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ସପ୍ତମ ମାନ୍ୟତା ସାଇନା ୨୧-୧୮, ୨୩-୨୧ରେ ପୂର୍ବତନ ବିଶ୍ବ ବିଜୟିନୀ ଜାପାନର ନାଜୋମି ଓକୁହାରାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ୨୦୧୭ ସଂସ୍କରଣ ବି‌ଜୟିନୀ ଏବଂ ୨୦୧୧ ଉପବିଜୟିନୀ ୨୮ ବର୍ଷୀୟା ସାଇନା ସେମିଫାଇନାଲ୍‌ରେ ୩ ଥରର ବିଶ୍ବ ମୁକୁଟଧାରୀ ସ୍ପେନ୍‌ର କାରୋଲିନା ମାରିନ୍‌ଙ୍କୁ ଭେଟିବେ। କାରୋଲିନାଙ୍କ ବିପକ୍ଷରେ ସାଇନା ୫ ଥର ଜିତିଥିଲା ବେଳେ ‌ଶେଷ ୧୦ ମୁକାବିଲାରେ ତାଙ୍କଠୁ ବହୁବାର ପରାସ୍ତ ହୋଇଛନ୍ତି। ଫଳରେ ସେମି‌ଫାଇନାଲ୍‌ରେ କାରୋଲିନାଙ୍କ ପଲ୍ଲା ଭାରି ରହିବା ସମ୍ଭାବନା ରହିଛି। ‌ଅନ୍ୟପକ୍ଷରେ ପୁରୁଷ ଏକକ କ୍ବାର୍ଟର୍‌ ଫାଇନାଲ୍‌ରୁ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତଙ୍କ ଅଭିଯାନ ଶେଷ ହୋଇଛି। ସେ କଡ଼ା ସଂଘର୍ଷ କରି ୨୩-୨୧, ୧୬-୨୧, ୧୭-୨୧ରେ ଚତୁର୍ଥ ମାନ୍ୟତା କୋରିଆର ସନ୍‌ ୱାନ୍‌ ହୋ’ଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର