କୁଆଲାଲମ୍ପୁର: ଭାରତର ତାରକା ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମାଲେସିଆ ଓପନ୍‌ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ପୁରୁଷ ଯୁଗଳ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସାତ୍ତ୍ବିକ-ଚିରାଗ କଡ଼‌ା ସଂଘର୍ଷ କରି ୨୧-୯, ୧୮-୨୧, ୧୭-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍‌ର ଲିଆଙ୍ଗ ୱେଇକେଙ୍ଗ ଓ ୱାଙ୍ଗ ଚାଙ୍ଗଙ୍କଠୁ ହାରି ଯାଇଥିଲେ। ପ୍ରଥମ ଗେମ୍‌କୁ ସହଜରେ ଜିତିଥିବା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସାତ୍ତ୍ବିକ-ଚିରାଗ ଦ୍ବିତୀୟରେ ହାରିଯାଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ଗେମ୍‌ର ପ୍ରଥମାର୍ଦ୍ଧ‌ରେ ଏହି ଯୋଡ଼ି ୧୧-୭ରେ ଆଗରେ ରହିଥିଲେ। ଦ୍ବିତୀୟାର୍ଦ୍ଧରେ ଚୀନ୍‌ ଯୋଡ଼ି ଚମତ୍କାର ଖେଳି ମ୍ୟାଚ୍‌ ନିଜ ପକ୍ଷକୁ ନେବା ସହ ଭାରତୀୟ ଯୋଡ଼ିଙ୍କ ବିପକ୍ଷରେ ଚତୁର୍ଥ ବିଜୟ ପାଇଥିଲେ। ୨୦୨୩ରେ ଏହି ଭାରତୀୟ ଯୋଡ଼ି ଚୀନ୍‌ ଯୋଡ଼ିଙ୍କ ବିପକ୍ଷରେ ୪ ମ୍ୟାଚ୍‌ ଖେଳି ୩ ପରାଜୟ ବରଣ କରିଥିଲା ବେଳେ କେବଳ କୋରିଆ ଓପନ୍‌ରେ ଜିତିଥିଲେ। ଏହାପରେ ନୂଆଦିଲ୍ଲୀରେ ମଙ୍ଗଳବାରଠୁ ଆରମ୍ଭ ହେଉଥିବା ଇଣ୍ଡିଆ ଓପନ୍‌ ୭୫୦ ପ୍ରତିଯୋଗିତାରେ ସାତ୍ତ୍ବିକ-ଚିରାଗ ଖେଳିବେ।