ପ୍ୟାରିସ୍: ସେ ନିଜେ ବି ମନେ ପକାଇପାରିବେ ନାହିଁ ନିଜ ଶରୀରରେ କେତୋଟି ଭଙ୍ଗା ହାଡ଼ ଅଛି, ପିଲାଦିନଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ କେତେଥର ତାଙ୍କର ଅସ୍ତ୍ରୋପଚାର ହୋଇଛି। ପ୍ରଥମ ବାଇକ୍ ଚଳାଇବା ପୂର୍ବରୁ ସେ ଅନେକ ଥର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇସାରିଥିଲେ। କିନ୍ତୁ ଲକ୍ଷ୍ୟ ନିର୍ଦ୍ଦିଷ୍ଟ ଥିଲେ, ଖେଳ ପ୍ରତି ନିଷ୍ଠାର ଭଲ ପାଇବା ସହ ସଙ୍କଳ୍ପ ଯୋଡ଼ି ହୋଇ ରହିଥିଲେ ସଫଳତା ପାଦ ଛୁଇଁଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆର୍ଜେଣ୍ଟିନାର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ବିଏମ୍ଏକ୍ସ ଫ୍ରିଷ୍ଟାଇଲ୍ ରାଇଡର୍ ଜୋସ୍ ଅଗଷ୍ଟୋ ଟୋରେସ୍ ଓରଫ୍ ମାଲିଗ୍ନୋ। ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ମାଲିଗ୍ନୋଙ୍କ ଚର୍ଚ୍ଚା ଚାରିଆଡେ। ଫ୍ରାକ୍ଚର ଓ ଇନଜ୍ୟୁରି ତାଙ୍କ ପାଇଁ ସେ ଭଲ ପାଉଥିବା ଖେଳର ଅଂଶବିଶେଷ।
କଚଟି, କହୁଣୀ, ଆଙ୍ଗୁଠି, ଆଣ୍ଠୁ, ଗୋଇଠି କେଉଁଠି ଏକାଧିକ ଥର ଅସ୍ତ୍ରୋପଚାର ନହୋଇଛି ଗଣି ହେବ ନାହିଁ। ଶେଷ ଥର ପାଇଁ ସେ ସମ୍ମୁଖୀନ ହୋଇଥିବା କ୍ଲାଭିକଲ୍ ଫ୍ରାକ୍ଚର୍ ଓ କାନ୍ଧ ଆଘାତ ସମସ୍ୟାରୁ ବି ସମ୍ପୂର୍ଣ୍ଣ ଭାବେ ସେ ମୁକୁଳି ନାହାନ୍ତି। ତଥାପି ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମଣନ୍ତି। ମୋ ସାଥୀ ଖେଳାଳିମାନେ ଭିନ୍ନ ମେଟାଲ ରଖିଥିବାର ତାଙ୍କୁ ବିମାନବନ୍ଦରରେ ପ୍ରଶ୍ନ କରାଯାଇଥାଏ। ଅଡୁଆରେ ପଡ଼ିଥାନ୍ତି, କିନ୍ତୁ ମୁଁ ଟାଇଟାନିୟମ୍ ପ୍ଲେଟ୍ ଶରୀର ଭିତରେ ରଖିବାରୁ ଏଭଳି ପ୍ରତିବଂଧକର ସମ୍ମୁଖୀନ ହୁଏ ନାହିଁ। ଏହା ହିଁ ବିଏମ୍ଏକ୍ସ ରାଇଡର୍ର ଜୀବନ’ ବୋଲି ରିଓ ୨୦୧୬ ପରେ ଆର୍ଜେଣ୍ଟିନାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଦେଇଥିବା ମାଲିଗ୍ନୋ କହିଛନ୍ତି।
ଅଲିମ୍ପିକ୍ସ ପୋଡ଼ିୟମ୍ରେ ସେଲ୍ଫି ନେବା ବେଳେ ମାଲିଗ୍ନୋ ପରିବାର ସହ ଭିଡିଓ କଲ୍ କରିବାବେଳେ ତାଙ୍କ ପ୍ରିୟ କୁକୁର ଟେବୁଲ୍ ଉପରକୁ ଲମ୍ଫ ମାରି ଅଭିନନ୍ଦନ ଜଣାଇବାର ମୁହୂର୍ତ୍ତ ବି ଏବେ ଖୁବ୍ ଚର୍ଚ୍ଚା ହୋଇଛି। ମୁଁ ବଞ୍ଚିଛି, କାରଣ ଏବେ ବି ବହୁ ଆଘାତ ସମସ୍ୟାା ରହିଛି ଯେଉଁଥିରୁ ସମ୍ପୂର୍ଣ୍ଣ ମୁକ୍ତି ମିଳି ନାହିଁ। ଦୁଇ ୟୁରୋପୀୟଙ୍କୁ (କିରେନ ରେଇଲି-ଫ୍ରାନ୍ସ ଓ ଆନ୍ଥୋନି ଜିନଜିନ-ଫ୍ରାନ୍ସ) ହରାଇ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ହେବା ପାଇଁ ମୋତେ ବହୁ ବିପଦ ଅତିକ୍ରମ କରିବାକୁ ପଡ଼ିଛି ବୋଲି ସେ କୁହନ୍ତି। ଫୁଟ୍ବଲ୍ ପ୍ରାଧାନ୍ୟ ଦେଶ ଆର୍ଜେଣ୍ଟିନାର ହୋଇଥିବାରୁ ମାଲିଗ୍ନୋ ଯେତେବେଳେ ଫିଫା ସଭାପତି ଜିଆନି ଇନଫାଣ୍ଟିନୋଙ୍କଠାରୁ ସ୍ବର୍ଣ୍ଣ ପଦକ ଗ୍ରହଣ କଲେ, ସେବେ ଉଲ୍ଲସିତ ହୋଇପଡ଼ିଥିଲେ। ଲିଓନେଲ୍ ମେସିଙ୍କୁ ଆଦର୍ଶ ମାନୁଥିବା ଏହି ବିଏମ୍ଏକ୍ସ ରାଇଡର୍ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବା ପରେ ମାତ୍ର କେଇ ଘଣ୍ଟା ଭିତରେ ସୋସିଆଲ୍ ମିଡିଆରେ ୩ ଲକ୍ଷ ଅନୁଗାମୀଙ୍କୁ ଆକର୍ଷିତ କରିପାରିଛନ୍ତି।