ଶ୍ରୀଲଙ୍କାର ସାନ୍ତ୍ବନାମୂଳକ ବିଜୟ: ମାଲିଙ୍ଗାଙ୍କ ୪ ବଲ୍‌, ୪ ୱିକେଟ୍‌

ପାଲିକେଲ: ଭେଟେରାନ ଲସିଥ ମାଲିଙ୍ଗା ପୁଣି ଥରେ ନିଜ ଚକମରେ ଶ୍ରୀଲଙ୍କାକୁ ବିଜୟ ଦେଇଛନ୍ତି। ତିନି ଟିକିଆ ଟ୍ବେଣ୍ଟି-୨୦ ‌ଶୃଙ୍ଖଳାର ଶେଷ ମ୍ୟାଚ୍‌ରେ ମାଲିଙ୍ଗା ନିଜର କମାଲ୍‌ ଦେଖାଇଛନ୍ତି। ଏହି ମ୍ୟାଚ୍‌ରେ ସେ ନିଜର ଦ୍ବିତୀୟ ଓଭର ତଥା ମ୍ୟାଚ୍‌ର ତୃତୀୟ ଓଭରର ଶେଷ ୪ ବଲ୍‌ରେ ୪ ୱିକେଟ୍‌ ଅକ୍ତିଆର କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଦଳୀୟ ସ୍କୋର ୧୫/୦ରୁ ସିଧା ୩ ଓଭର ଶେଷ ସୁଦ୍ଧା ୧୫/୪ ହୋଇଯାଇଥିଲା। ଗୋଟିଏ ଓଭରରେ ଲଗାତାର ୪ ୱିକେଟ୍‌ ନେବା ମାଲିଙ୍ଗାଙ୍କର ଏହା ଦ୍ବିତୀୟ ସଫଳତା ହୋଇଥିଲା। ଏହା ପୂର୍ବରୁ ୨୦୦୭ ଦିନିକିଆ ବିଶ୍ବକପ୍‌ରେ ‌‌ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏଭଳି ସଫଳତା ପାଇଥିଲେ। ଟ୍ବେଣ୍ଟି-୨୦ରେ ଦ୍ବିତୀୟ ତଥା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହା ତାଙ୍କର ପଞ୍ଚମ ହ୍ୟାଟ୍ରିକ୍‌ ଥିଲା। ଏଥିସହ ସେ ମଧ୍ୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୧୦୦ ୱିକେଟ୍‌ ପୂରଣ କରିବାରେ ପ୍ରଥମ ‌େବାଲର ହୋଇଥିଲେ। ଏତିକିରେ ତାଙ୍କ ୱିକେଟ୍‌ ଭୋକ ମେଣ୍ଟି ନ ଥିଲା। ନିଜ ତୃତୀୟ ଓଭରରେ ସେ ଆଉ ଏକ ୱିକେଟ୍‌‌ ନେଇ ୫ ୱିକେଟ୍‌ ସଫଳତା ସାଉଁଟି ଥିଲେ। ତାଙ୍କର ଶିକାର ହୋଇଥିଲେ କଲିନ ମୁନ୍‌ରୋ (୧୨), ହାମିସ ରଦରଫୋର୍ଡ (୦), କଲିନ ଡି’‌ଗ୍ରାଣ୍ଢୋମ (୦), ରସ୍‌ ଟେଲର (୦) ଏବଂ ଟିମ୍‌ ସେଇଫର୍ଟ (୮)। ମାଲିଙ୍ଗାଙ୍କ ଏହି ଘାତକ ବୋଲିଂ ସହ ଅକିଳ ଧନଞ୍ଜୟ ୨ ଏବଂ ଲକ୍ଷ୍ମଣ ସଦାକନ ଓ ୱାନିନ୍ଦୁ ହାସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇବାରୁ ନ୍ୟୁଜିଲାଣ୍ଡ ୧୬ ଓଭରରେ ସମସ୍ତ ୱିକେଟ୍‌ ହରାଇ ୮୮ ରନ୍‌ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଟିମ୍‌ ସାଉଦି ସର୍ବାଧିକ ୨୮* ରନ୍‌ (୨୩ ବଲ୍‌, ୩ ଛକା) କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଧନୁସ୍କା ଗୁଣତିଲକଙ୍କ ୩୦ ଓ ନିରୋସନ ଡିକୱାଲ୍‌ଙ୍କ ୨୪ ରନ୍‌ ବଳରେ ୮ ୱିକେଟ୍‌ ହରାଇ ୧୨୫ ରନ୍‌ କରିଥିଲା। ମିଚେଲ ସାଣ୍ଟନର ଓ ଟଡ୍‌ ଆସ‌ଲେ ୩ ଲେଖାଏଁ ୱିକେଟ୍‌ ପାଇଥିଲେ। ୪-୧-୬-୫ ବୋଲିଂ ଚିତ୍ର ପାଇଥିବା ମାଲିଙ୍ଗା ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏହି ୩ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ଆଗୁଆ ଶୃଙ୍ଖଳା କବ୍‌ଜା କରିଥିଲା।

ସମ୍ବନ୍ଧିତ ଖବର