ମାଲିଙ୍ଗାଙ୍କୁ ବିଜୟରେ ବିଦାୟୀ

କଲମ୍ବୋ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଚମତ୍କାର ଢ଼ଙ୍ଗରେ ଅବସର‌ ନେଇଛନ୍ତି ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା। ଶୁକ୍ରବାର ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଘରୋଇ ଶ୍ରୀଲଙ୍କା ଦଳ ମଧ୍ୟ ମାଲିଙ୍ଗାକୁ ବିଜୟରେ ବିଦାୟୀ ଦେଇଛି। ବାଂଲାଦେଶ ପାଳିର ପ୍ରଥମ ଏବଂ ଶେଷ ୱିକେଟ୍ ନେଇ ମଧ୍ୟ ମାଲିଙ୍ଗା ସ୍ମରଣୀୟ ସଫଳତା ଅର୍ଜନ କରିଥିଲେ। ବାଂଲାଦେଶର ପ୍ରଥମ ୨ ୱିକେଟ୍ (ତମିମ୍ ଇକବାଲ ଏବଂ ସୌମ୍ୟ ସରକାର)କୁ ବୋଲଡ୍ ଆଉଟ୍ କରିଥିବା ମାଲିଙ୍ଗା ୪୨ତମ ଓଭରରେ ମୁସ୍ତାଫିଜୁର ରହମାନଙ୍କୁ ଶେଷ ୱିକେଟ୍ ଭାବେ ଆଉଟ୍ କରି ବିଜୟ ମୁଣ୍ଡି ମାରିଥିଲେ। ବିଦାୟୀ ମ୍ୟାଚ୍‌ରେ ମାଲିଙ୍ଗା ୯.୪-୨-୩୮-୩ ବୋଲିଂ ଚିତ୍ର ପାଇବା ମଧ୍ୟ ଚମତ୍କାର ଥିଲା। ୩୬ ବର୍ଷୀୟ ମାଲିଙ୍ଗା ଦେଶର ତୃତୀୟ ସର୍ବାଧିକ ଦିନିକିଆ ୱିକେଟ୍ ହାସଲକାରୀ ଭାବେ ବିଦାୟ ନେଲେ। ମୁଥୟା ମୁରଲୀଧରନ (୫୩୪), ଚାମିନ୍ଦା ଭାସ (୪୦୦)ଙ୍କ ପରେ ମାଲିଙ୍ଗା (୩୩୮) ରହିଛନ୍ତି।

ଶ୍ରୀଲଙ୍କା ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। କୁସାଲ ପେରେରା (୧୧୧)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ପେରେରା ୯୯ ବଲରୁ ୧୧୧ ରନ୍ କରିଥିବାବ‌େଳେ କୁସାଲ ମେଣ୍ଡିଜ୍ (୪୩) ଏବଂ ଆଞ୍ଜେଲୋ ମାଥ୍ୟୁସ (୪୮) ଉପଯୋଗୀ ପାଳି ଖେଳିବାରୁ ଶ୍ରୀଲଙ୍କା ୫୦ ଓଭରରେ ୮ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଜବାବରେ ବାଂଲାଦେଶ ୪୧.୪ ଓଭରରେ ୨୨୩ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ୩୯ ରନ୍‌ରେ ୪ ୱିକେଟ୍ ହରାଇବା ପରେ ମୁସଫିକର ରହିମ୍ (୬୭୦ ଏବଂ ସବିର୍ ରହମାନ (୬୦) ବାଂଲାଦେଶ ପାଇଁ ଲଢ଼ିଥିଲେ। ମାଲିଙ୍ଗାଙ୍କ ସହିତ ଅଭିଜ୍ଞ ନୁୱାନ ପ୍ରଦୀପ (୩/୫୩) ଏବଂ ଧନଞ୍ଜୟ ଡି’ ସିଲଭା (୨/୪୯) ମଧ୍ୟ ସଫଳ ବୋଲର ଥିଲେ। ଶୃଙ୍ଖଳାର ପରବର୍ତୀ ୨ ମ୍ୟାଚ୍‌ କଲମ୍ବୋର ପ୍ରେମଦାସା ଷ୍ଟାଡିୟମ୍‌ରେ ଜୁଲାଇ ୨୮ ଏବଂ ୩୧ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର