ଶ୍ରୀଲଙ୍କା ଦଳରେ ମାଥ୍ୟୁସ: ମାଲିଙ୍ଗା ଅଧିନାୟକ

କଲମ୍ବୋ : ଆସନ୍ତା ୫ ତାରିଖରୁ ଭାରତ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ବୁଧବାର ଘୋଷିତ ଏହି ୧୫ ଜଣିଆ ଦଳରେ ପୂର୍ବ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌ ସ୍ଥାନ ପାଇଥିଲା ବେଳେ ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗାଙ୍କ ନେତୃତ୍ବ ଉପରେ ସିଂହଳୀ କ୍ରିକେଟ୍‌ ବୋର୍ଡ ପୁଣି ଥରେ ଆସ୍ଥା ପ୍ରକଟ କରିଛି। ତେବେ ୨୦୧୮ ଅଗଷ୍ଟ ପରଠୁ ପ୍ରାୟ ଦେଢ଼ ବର୍ଷ ହେଲା ଗୋଟିଏ ହେଲେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିନଥିବା ମାଥ୍ୟୁସ୍‌ଙ୍କ ସାମିଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହେଲେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଭାରତ ଗସ୍ତ ପାଇଁ ମାଥ୍ୟୁସ୍‌ଙ୍କୁ ଦଳରେ ସାମିଲ କରାଯାଇଥିବା ସିଂହଳୀ ବୋର୍ଡ କହିଛି। ମାଥ୍ୟୁସ୍‌ଙ୍କ ସାମିଲ ହିଁ ଦଳର ମଧ୍ୟକ୍ରମକୁ ସୁଦୃଢ଼ କରିପାରିବ ବୋଲି ମନୋନୟନକର୍ତା କହିଛନ୍ତି।

ନୂଆ ବର୍ଷ ୨୦୨୦ରେ ଉଭୟ ଦଳ ପାଇଁ ଏହା ପ୍ରଥମ ଆନ୍ତର୍ଜାତିକ ଶୃଙ୍ଖଳା ହେବ। ଭାରତୀୟ ଦଳ ବିଜୟ ସହ ୨୦୧୯କୁ ବିଦାୟ ଜଣାଇଥିଲା ବେଳେ ଶ୍ରୀଲଙ୍କା ଦଳ ୨୦୧୯ରେ ତା’ର ଶେଷ ମ୍ୟାଚ୍‌ ହାରିଯାଇଥିଲା। ଏହି ଦୃଷ୍ଟିରୁ ଆୟୋଜକ ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ତୁଳନାରେ ଶକ୍ତିଶାଳୀ ମନେହୁଏ। ଅବଶ୍ୟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ରୋହିତ ଶର୍ମାଙ୍କ ଭଳି ବିସ୍ଫୋରକ ଖେଳାଳି ନଥିଲେ ମଧ୍ୟ ଭାରତକୁ ହରାଇବା ଶ୍ରୀଲଙ୍କା ପକ୍ଷରେ ସହଜ ହେବନାହିଁ। ତଥାପି ନିକଟରେ ମାଲିଙ୍ଗାଙ୍କ ବିନା ଶ୍ରୀଲଙ୍କା ଦଳ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ଦଳ ପାକିସ୍ତାନକୁ ତା’ ଘରୋଇ ମାଟିରେ ପରାସ୍ତ କରିଥିବାରୁ ଭାରତକୁ ମଧ୍ୟ ସଜାଗ ରହିବାକୁ ପଡ଼ିବ।

ଶ୍ରୀଲଙ୍କା ଦଳ: ଲସିତ୍‌ ମାଲିଙ୍ଗା (ଅଧିନାୟକ), କୁସାଲ ପେରେରା, ଦନୁଷ୍କା ଗୁଣତିଲକା, ଅଭିଷ୍କା ଫର୍ନାଣ୍ଡୋ, ଭାନୁକା ରାଜପକ୍ଷ, ଓସାଦା ଫର୍ନାଣ୍ଡୋ, ଦାସୁନ ସନକା, ଆଞ୍ଜେଲୋ ମାଥ୍ୟୁସ୍‌, ନିରୋସାନ୍‌ ଡିକ୍‌ୱେଲା, କୁସାଲ ମେଣ୍ଡିସ୍‌, ୱାନିନ୍ଦୁ ହସ୍‌ରଙ୍ଗା, ଲକ୍ଷ୍ମଣ ସନ୍ଦକନ୍‌, ଧନଞ୍ଜୟ ଡି’ସିଲ୍‌ଭା, ଇଶୁରୁ ଉଡ଼ାନା ଓ ଲାହିରୁ କୁମାରା।

ସମ୍ବନ୍ଧିତ ଖବର