ନୂଆଦିଲ୍ଲୀ: ଡିସେମ୍ବର ୨, ୨୦୧୧ ମସିହାର ଶିତୁଆ ସକାଳରେ ମାନସୀ ଯୋଶୀ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ସେ ନିଜ ବାମଗୋଡ଼ ପେଣ୍ଡା ତଳୁ ହରାଇଥିଲେ। ଦୀର୍ଘଦିନ ଡାକ୍ତରଖାନାରେ ରହିବା ପରେ ସଫ୍ଟଓୟାର ଇଞ୍ଜିନିୟରିଂକୁ ପେସା କରିଥିବା ଏହି ସାହସୀ ଯୁବତୀ ସୁସ୍ଥ ହୋଇ ଘରକୁ ଫେରିଥିଲେ, ହେଲେ ଚାଲିବା ପାଇଁ କୃତ୍ରିମ ଗୋଡ଼ର ସହାୟତା ନେବାକୁ ବାଧ୍ୟ ହୋଇଥିଲେ। ଅନ୍ୟ କେହି ହୋଇଥିଲେ ଏହି ଅଦିନିଆ ମହାଝଟ୍କା ପରେ ପୂରା ଭାଙ୍ଗି ପଡ଼ିଥାଆନ୍ତା। ହେଲେ ମାନସୀ ଆତ୍ମବିଶ୍ବାସ ହରାଇ ନଥିଲେ। ଅକ୍ଷମତାକୁ ନିଜ ଶକ୍ତିରେ ପରିଣତ କରି ପାରାବ୍ୟାଡ୍ମିଣ୍ଟନ୍ରେ କେବଳ ନିଜ ପରିବାରର ନୁହେଁ, ସମଗ୍ର ଦେଶର ଟେକ ରଖିଥିଲେ। ୧୦ ବର୍ଷ ବୟସରୁ ବ୍ୟାଡ୍ମିଣ୍ଟନ୍ ଖେଳିବାର ଲାଭ ତାଙ୍କୁ ଏହି ଅସମୟରେ ମିଳିଥିଲା। ୨୦୧୧ ମସିହାରେ ଅନ୍ତଃକଂପାନି ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ୮ ବର୍ଷ ପରେ ସ୍ବିଜରଲାଣ୍ଡର ବାସେଲଠାରେ ଗତବର୍ଷ ନିଜ ଦେଶର ପାରୁଲ ପର୍ମାଙ୍କୁ ପରାସ୍ତ କରି ସେ ବିଶ୍ବ ପାରାବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ବିଜେତା ହୋଇଥିଲେ। ମାନସୀ ମଧ୍ୟ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ପାଇଥିଲେ। ପୁଲେଲା ଗୋପୀଚାନ୍ଦଙ୍କ ପ୍ରଶିକ୍ଷଣରେ ଏହି ଅନନ୍ୟ ଓ ଐତିହାସିକ ସଫଳତା ହାସଲ କରିଥିବା ମାନସୀ ଏକ ପୁରସ୍କାର ଉତ୍ସବରେ ଯୋଗ ଦେଇ ନିଜ ସଂଘର୍ଷ ଓ ସଫଳତାର ପ୍ରେରଣାଦାୟୀ କାହାଣୀ ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ ୨୦୧୧ର ଦୁର୍ଘଟଣା ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା। ଏଥିରେ ମୁଁ ମୋର ଗୋଟିଏ ଗୋଡ଼ ହରାଇଥିଲି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣୁ ସବୁକିଛି ନୂଆକରି ଆରମ୍ଭ କରିବାକୁ ପଡ଼ିଥିଲା। ଚାଲିବାଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନର ଛୋଟ ବଡ଼ କାମ କରିବା ପୁଣି ଥରେ ଶିଖିବାକୁ ପଡ଼ିଥିଲା। ହେଲେ ବ୍ୟାଡମିଣ୍ଟନ୍ କୋର୍ଟରେ ମୁଁ କେବେବି ମୋ କଟା ଗୋଡ଼କୁ ପ୍ରତିବନ୍ଧକ ହେବାକୁ ଦେଇନି। ଖେଳ ଆପଣଙ୍କୁ ଅନେକ ଉଚିତ ଶିକ୍ଷା ଦେଇଥାଏ। ହାର୍ ଜିତ୍ରୁ ଉପରକୁ ଉଠି, ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଓ ଆତ୍ମବିଶ୍ବାସ ଦେଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ମୋତେ ଅବଶ୍ୟ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ତେବେ ଏହା ହିଁ ମୋ ଆତ୍ମବିଶ୍ବାସ ବଢ଼ାଇଥିଲା। କୃତ୍ରିମ ଗୋଡ଼ ଲଗାଇ ଚାଲି ଶିଖିବା ପରେ ମୁଁ ବ୍ୟାଡମିଣ୍ଟନ୍ ଖେଳିବା ପୁଣି ଥରେ ଆରମ୍ଭ କରିଥିଲି। ଆଜି ମୁଁ ଯେଉଁ ସଫଳତା ପାଇଛି, ତା’ପଛରେ ରହିଛି କଠୋର ଏକାଗ୍ରତା ଓ ନିରନ୍ତର ଅଧ୍ୟବସାୟ। ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବା ମୋ ଜୀବନର ସବୁଠାରୁ ବଡ଼ ସଫଳତା। ମୁଁ ମଧ୍ୟ ଏସୀୟ କ୍ରୀଡ଼ାର କାଂସ୍ୟ ପଦକ ବିଜୟକୁ ମନଭରି ଉପଯୋଗ କରିଥିଲି। ଏବେ ମୁଁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଉପରେ ଧ୍ୟାନ ଦେଉଛି। ମୋ ସଫଳତା ଭାରତରେ ଭିନ୍ନକ୍ଷମଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀକୁ ବଦଳାଇବ ବୋଲି ଆଶା କରୁଛି।