ମାଦ୍ରିଦ୍: ଚଳିତ ଚାମ୍ପିଅନ୍ସ ଲିଗ୍ର ଶୁକ୍ରବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ମାଞ୍ଚେଷ୍ଟର ସିଟି ୨-୧ରେ ରିଅଲ୍ ମାଦ୍ରିଦ୍କୁ ଏବଂ ଲିୟନ୍ ବିଦେଶ ମ୍ୟାଚ୍ର ଫଳାଫଳକୁ ନେଇ ଜୁଭେଣ୍ଟସ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ରିଅଲ୍ ମାଦ୍ରିଦ୍କୁ ଶୁକ୍ରବାର ୨-୧ (ମୋଟ ୪-୨) ଗୋଲ୍ ବ୍ୟବଧାନରେ ପରାସ୍ତ କରି ସିଟି ଦଳ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଯାଇଛି। ଦୁଇ ଦଳର ଉଭୟ ଚରଣ ମୁହାଁମୁହିଁରେ ସିଟି ଦଳ ସମାନ ୨-୧ ଲେଖାଏଁ ବ୍ୟବଧାନରେ ବିଜୟୀ ହୋଇଛି। ଶୁକ୍ରବାର ଦ୍ବିତୀୟ ଚରଣ ମ୍ୟାଚ୍ରେ ରାହିମ ଷ୍ଟର୍ଲିଂ ଏବଂ ଗାବ୍ରିଏଲ୍ ଜେସସ୍ ସିଟି ଦଳର ଗୋଲ୍ ସ୍କୋରର୍ ରହିଥିଲେ। ଅନ୍ୟପକ୍ଷରେ ସ୍ପାନିସ୍ ବିଜେତା ସିଟି ଦଳର ଗୋଲ୍ରକ୍ଷକ ପୂରା ମ୍ୟାଚ୍ରେ ୫ ଗୋଲ୍ ବଞ୍ଚାଇ ଦଳ ବିଜୟର ପ୍ରମୁଖ ନାୟକ ସାଜିଥିଲେ। ଉଭୟ ଚରଣ ଫଳାଫଳକୁ ଦେଖିଲେ ସିଟି ଦଳ ୪-୨ ଗୋଲ୍ ବ୍ୟବଧାନରେ ବାଜି ମାରିନେଇଛି।
ଅନ୍ୟପକ୍ଷରେ ପର୍ତୁଗାଲ୍ ତାରକା କ୍ରିଷ୍ଟି୍ଆନ୍ ରୋନାଲ୍ଡୋଙ୍କ ଯୁଗଳ ଗୋଲ୍ ବଳରେ ଶୁକ୍ରବାର ବିଜୟ ସତ୍ତ୍ବେ ଜୁଭେଣ୍ଟସ୍ ଆଗକୁ ବଢ଼ିପାରିନାହିଁ। ଶୁକ୍ରବାର ଏହି ଦଳ ୨-୧ ଗୋଲ୍ରେ ଫ୍ରାନ୍ସ ଦଳ ଲିୟନ୍କୁ ପରାସ୍ତ କରିଥିଲା। ହେଲେ କ୍ବାର୍ଟର ଫାଇନାଲ୍ ପ୍ରବେଶ ପାଇଁ ଏହା ଯଥେଷ୍ଟ ହୋଇନଥିଲା। ବରଂ ବାହାର ଗୋଲ୍ ବଳରେ ଲିୟନ୍ କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛି। ଉଭୟ ଚରଣ ଶେଷ ପରେ ମୋଟ ଉପରେ ଜୁଭେଣ୍ଟସ୍-ଲିୟନ୍ ୨-୨ ସମାନ ସ୍ଥିତିରେ ରହିଥିଲେ। ହେଲେ ବାହାରେ ୧-୦ ଗୋଲ୍ରେ ବିଜୟୀ ହୋଇଥିବା ଲିୟନ୍କୁ କ୍ବାର୍ଟର ଫାଇନାଲ୍ ଟିକେଟ ମିଳିଯାଇଛି।
ପ୍ରଶିକ୍ଷକଙ୍କୁ ବହିଷ୍କାର କଲା ଜୁଭେଣ୍ଟସ୍
ଶୁକ୍ରବାର ଚଳିତ ଚାମ୍ପିଅନ୍ସ ଲିଗ୍ କ୍ବାର୍ଟର ଫାଇନାଲ୍ରୁ ଦଳ ବାଦ୍ ପଡ଼ିବା ପରେ ସେରି ଏ କ୍ଲବ୍ ଜୁଭେଣ୍ଟସ୍ ତା’ର ପ୍ରଶିକ୍ଷକ ମୌରିଜିଓ ସାରିଙ୍କୁ ପଦରୁ ବହିଷ୍କୃତ କରିଛି। ୨ ବର୍ଷ ପୂର୍ବେ ଜୁଭେଣ୍ଟସ୍କୁ କ୍ରମାଗତ ନବମ ଥର ପାଇଁ ସେରି ଏ ବିଜେତା କରାଇବା ସତ୍ତ୍ବେ ୬୧ ବର୍ଷ ବୟସ୍କ ପ୍ରଶିକ୍ଷକ ସାରିଙ୍କୁ ବହିଷ୍କାର କରାଯାଇଛି ବୋଲି ଏକ ବିବୃତି ରଖିଛି ତୁରିନ୍ କ୍ଲବ୍। ୯ ଥର କ୍ରମାଗତ ସେରି ଏ ବିଜେତା କରାଇ ନୂଆ ଇତିହାସ ରଚିଥିବା ଯୋଗୁଁ ଏହି ଅବସରରେ ଜୁଭେଣ୍ଟସ୍ ଫୁଟ୍ବଲ କ୍ଲବ୍ ମଧ୍ୟ ସାରିଙ୍କୁ ଧନ୍ୟବାଦ ଜଣାଇଛି।