ମାଞ୍ଚେଷ୍ଟର୍ : ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍ ସ୍ଥଗିତ ରହିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ବ୍ୟଥିତ ହୋଇପଡ଼ିଛି। ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍ଙ୍କ ବିଶ୍ବାସ ଏହି ଟେଷ୍ଟ୍ ଖେଳାଯାଇପାରିଥା’ନ୍ତା। କେବଳ କୋଭିଡ୍ ପାଇଁ ନୁହେଁ ଭାରତୀୟ ଖେଳାଳିଙ୍କ ଉତ୍କଣ୍ଠା ଓ ଭୟ କାରଣରୁ ସ୍ଥଗିତ ରଖାଗଲା। ଭାରତୀୟ ଖେଳାଳିଙ୍କୁ ବୁଝାଇବା ସହ ସୁରକ୍ଷିତ ଭାବେ ମ୍ୟାଚ୍ ଖେଳିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଭାରତୀୟ ଖେଳାଳିମାନେ ପଡିଆକୁ ଆସିବାକୁ କୁଣ୍ଠିତ ହେବାରୁ ଏଭଳି ପରିସ୍ଥିତି ଉପୁଜିଲା। କିଛି ଘଟିନଥିଲା, କେବଳ ଘଟିବାର ଆଶଙ୍କା ଥିଲା। ପ୍ରଶଂସକଙ୍କ ପାଇଁ ମୁଁ ଦୁଃଖିତ ବୋଲି ହାରିସନ୍ ପ୍ରକାଶ କରିଛନ୍ତି। ଅଧିକ କିଛି ଭାରତୀୟ ଖେଳାଳି ସଂକ୍ରମିତ ହେଲେ କାଳେ ସଙ୍ଗରୋଧ କାରଣରୁ ଆଇପିଏଲ୍ ମ୍ୟାଚ୍ ହରାଇବେ ସେହି କାରଣରୁ ଖେଳିବାକୁ ରାଜି ହେଲେ ନାହିଁ ବୋଲି ହାରିସନ୍ ପରୋକ୍ଷରେ ଅଭିଯୋଗ କରିଛନ୍ତି। ଏବେ ପୁନଃନିର୍ଧାରିତ ଟେଷ୍ଟ୍ ମ୍ୟାଚ୍କୁ ସ୍ବତନ୍ତ୍ର ଟେଷ୍ଟ୍ କୁହାଯିବ, ଶୃଙ୍ଖଳା ନିର୍ଣ୍ଣାୟକ ନୁହେଁ ବୋଲି ସେ କହିଥିଲେ।
ଇସିବି ସିଇଓଙ୍କୁ ୨୨ରେ ଭେଟିବେ ଗାଙ୍ଗୁଲି
ମାଞ୍ଚେଷ୍ଟର, : ଶୁକ୍ରବାରଠୁ ଆରମ୍ଭ ହେବାକୁ ଥିବା ପଞ୍ଚମ ଟେଷ୍ଟ୍ ସ୍ଥଗିତ ରହିବା ପରେ ଆସନ୍ତାବର୍ଷ ଏହାକୁ କିପରି ଓ କେଉଁ ସମୟରେ କରାଯାଇପାରିବ ସେନେଇ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପ୍ରତିପକ୍ଷ ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଟମ୍ ହାରିସନ୍ ଏବଂ ଇଆନ୍ ହ୍ବାଟ୍ମୋରଙ୍କ ସହ ଆଲୋଚନା କରିବେ। ଚଳିତ ମାସ ୨୨ ତାରିଖରେ ଲଣ୍ଡନକୁ ନିଜର ବ୍ୟକ୍ତିଗତ ଭ୍ରମଣରେ ଯିବା ଅବସରରେ ଗାଙ୍ଗୁଲି ସେହିଦିନ କିମ୍ବା ୨୩ ତାରିଖରେ ଉଭୟ ହାରିସନ୍ ଏବଂ ହ୍ବାଟ୍ମୋରଙ୍କୁ ଭେଟିବେ। ବିଶେଷକରି ପଞ୍ଚମ ଟେଷ୍ଟ୍ ଖେଳାନଯିବାରୁ ଇସିବି ୪୦ ମିଲିଅନ୍ ପାଉଣ୍ଡ କ୍ଷତି ସହିଥିବା ସଂର୍କରେ ଆଲୋଚନା ମଧ୍ୟ ହେବ। କ୍ଷତି ସହିଥିବା ୪୦ ମିଲିଅନ୍ ପାଉଣ୍ଡ ମଧ୍ୟରେ ପ୍ରସାରଣ ବାବଦରେ ୩୦ ମିଲିଅନ୍ ଏବଂ ଟିକେଟ ଓ ଆତିଥେୟତା ବାବଦରେ ୧୦ ମିଲିଅନ୍ ପାଉଣ୍ଡର ହିସାବ ଦେଇଛି ଇସିବି।