ମା‌ଞ୍ଚେଷ୍ଟର୍ ‌ଟେଷ୍ଟ: ଫଲୋଅନ୍‌ ଏଡ଼‌ାଇଲା ଇଣ୍ଡିଜ୍‌

ଲାଳ ବୋଳିଲେ ଶିବଲେ, ବଲ୍‌ ବିଶୋଧନ କଲେ ଅମ୍ପାୟାର୍‌

ମାଞ୍ଚେଷ୍ଟର୍‌: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍‌ ନାଟକୀୟ ମୋଡ଼ ନେଇଛି। ଇଂଲଣ୍ଡର ପ୍ରଥମ ପାଳି ୪୬୯/୯ ଜବାବରେ ଚତୁର୍ଥ ଦିନ ଖେଳରେ ଶେଷ ଖବର ମିଳିବା ବେଳକୁ ୱେଷ୍ଟଇଣ୍ଡିଜ୍‌ ୮ ୱିକେଟରେ ୨୮୩ ରନ୍ ସଂଗ୍ରହ କରି ଫଲୋଅନ ଏଡ଼ାଇ ନେଇଛି। ତଥାପି ଭ୍ରମଣକାରୀ ଜାସନ୍‌ ହୋଲଡରଙ୍କ ଦଳ ଏବେ ୧୮୬ ରନ୍‌ ପଛରେ ରହିଛି।

ବର୍ଷା କାରଣରୁ ଶନିବାର ତୃତୀୟ ଦିନର ଖେଳକୁ ସମ୍ପୂର୍ଣ୍ଣ ଧୋଇଯାଇଥିଲେ ମଧ୍ୟ ରବିବାର ବିନା ବାଧାରେ ଖେଳ ହୋଇଥିଲା। କ୍ରେଗ୍ ବ୍ରାଥ୍‌ୱେଟ୍‌ ଏବଂ ନାଇଟ୍ ୱାଚ୍‌ମ୍ୟାନ୍‌ ଅଲଜାରି ଯୋସେ‌ଫ୍‌ ଦ୍ବିତୀୟ ୱିକେଟ୍ ପାଇଁ ୫୪ ରନ୍ ଯୋଡ଼ିଥିଲେ। ଯୋସେଫ (୩୨, ୫୨ ବଲ୍‌)ଙ୍କୁ ଓଲି‌ ପୋପ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଡୋମିନିକ୍‌ ବେସ୍‌ ଏହି ଭାଗୀଦାରିକୁ ଅଲଗା କରିଥିଲେ। ଏହ‌ା ପରେ ବ୍ରାଥୱେଟଙ୍କ ସହ ଯୋଗ ଦେଇଥିବା ସାଇ ହୋପ୍‌ କ୍ରିଜ୍‌ରେ ଜମିଯିବା ସତ୍ତ୍ବେ ଲମ୍ବା ପାଳି ଖେଳିପାରିନଥିଲେ। ସାଇ ହୋପ୍‌ (୨୫, ୭୧ ବଲ)ଙ୍କୁ ୱିକେଟରକ୍ଷକ ଜୋସ୍ ବଟ୍ଟଲରଙ୍କ ଦ୍ବାରା କ୍ୟାଚ୍‌ କରାଇ ସାମ୍ କରନ୍ ଦ୍ବିତୀୟ ଝଟ୍‌କା ଦେଇଥିଲେ। କରନ୍‌ ଲଗାତାର ଦ୍ବିତୀୟ ଅର୍ଧଶତକ ଭାଗୀଦାରିକୁ ଅଲଗା କରିଥିଲେ। ସାମରା ବ୍ରୁକ୍ସଙ୍କ ସହିତ ମିଶି ଲଗାତାର ତୃତୀୟ ଅର୍ଧଶତକ ଭାଗୀଦାରି (୭୬) କରିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ କ୍ରେଗ୍ ବ୍ରାଥୱେଟଙ୍କୁ ବେନ୍ ‌ଷ୍ଟୋକ୍ସ ଆଉଟ୍ କରିଥିଲେ। ବ୍ରାଥୱେଟ୍‌ ୧୬୫ ବଲରୁ ୭୫ ରନ୍ କରିଥିବା ବ‌େଳେ ଷ୍ଟୋକ୍ସ ନିଜ୍‌ ବୋଲିଂରେ କ୍ୟାଚ୍‌ ନେଇଥିଲେ। ଚା’ପାନ ବିରତି ପରେ ଅଭିଜ୍ଞ‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ୧୦ ରନ୍ ଭିତରେ ୩ ୱିକେଟ୍ ନେଇ ଇଂଲଣ୍ଡକୁ ପ୍ରତ୍ୟାବର୍ତନ ପଥକୁ ଆଣିଥିଲେ। ପ୍ରଥମ ଟେଷ୍ଟ୍‌ରେ ନ ଖେଳି ଅସନ୍ତୋଷ ପ୍ରକାଶ କରିଥିବା ବ୍ରଡ୍ ଲଗାତାର ୩ ଓଭରରେ ସାମରା ବ୍ରୁକ୍ସ (୬୮, ୧୩୭ ବଲ), ଜର୍ମାଇନ୍ ବ୍ଲାକଉଡ୍‌ (୦) ଏବଂ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍‌ ସନ୍ ଡାଓରିଚ୍ (୦)ଙ୍କୁ ଆଉଟ୍ କରିଥିଲେ। ବ୍ରୁକ୍ସ ଏବଂ ଡାଓରିଚ୍ ଏଲବିଡବ୍‌ଲ୍ୟୁ ହୋଇଥିବା ବେଳେ ବ୍ଲାକଉଡ୍‌ ବୋଲ୍ଡ ହୋଇଯାଇଥିଲେ। ଅଧିନାୟକ ଜାସନ୍ ହୋଲଡର (୨)ଙ୍କୁ କ୍ରିସ୍ ୱକ୍ସ ସ୍ଲିପ୍‌ରେ ଜୋ ରୁଟଙ୍କ ହାତରେ କ୍ୟାଚ୍‌ କରାଇ ଇଣ୍ଡିଜ୍‌କୁ ଆଉ ଏକ ଝଟ୍‌କା ଦେଇଥିଲେ। ପ୍ରଥମ ଟେଷ୍ଟ୍‌କୁ ୱେଷ୍ଟଇଣ୍ଡିଜ୍ ଜିତି ୧-୦ରେ ଆଗୁଆ ଥିବାରୁ ଏବେ କେବଳ ଏହି‌ ‌ଟେଷ୍ଟ୍ ନୁହେଁ ୩ ମ୍ୟାଚ୍‌ ଶୃଙ୍ଖଳାରେ ବି ସୁରକ୍ଷିତ ରହିବାର ସମ୍ଭାବନା ବଢ଼ିଯାଇଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ୍ ପ୍ରଥମ ପାଳି: ୧୬୨ ଓଭରରେ ୪୬୯/୯, ଘୋଷିତ (ବେନ୍ ଷ୍ଟୋକ୍ସ-୧୭୬, ଡୋମିନିକ୍‌ ଶିବଲେ-୧୨୦, ରସ୍ତନ ଚେଜ୍‌-୫/୧୭୨, କେମାର ରୋଚ୍‌-୨/୫୮, ଜାସନ୍ ହୋଲହର-୧/୭୦, ଅଲଜାରି ଯୋସେଫ୍‌-୧/୭୦)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୯୭ ଓଭରରେ ୨୮୩/୮ (କ୍ରେଗ୍ ବ୍ରାଥ୍‌ୱେଟ୍‌-୭୫, ଅଲଜାରି ଯୋସେଫ୍‌-୩୨, ସାଇ ହୋପ୍‌-୨୫, ରସ୍ତନ୍ ଚେଜ୍‌-୪୮*‌, ଷ୍ଟୁଆର୍ଟ ବ୍ରଡ୍‌-୩/୬୬, ସାମ୍ କରନ୍‌-୨/୬୬, ବେନ୍ ‌ଷ୍ଟୋକ୍ସ-୧/୨୯, କ୍ରିସ୍ ୱକ୍ସ-୧/୪୨, ଡୋମିନିକ୍ ବେସ୍-୧/୬୭)।

ମା‌‌‌‌ଞ୍ଚେଷ୍ଟର୍‌: କୋଭିଡ୍‌-୧୯ ପରବର୍ତୀ ଆଇସିସି ବାସନ୍ଦ ପରେ ପ୍ରଥମ ଥର ପାଇଁ ବଲ୍‌ରେ ଲାଳ ଲଗାଇବାର ଉଦାହରଣ ନଜରକୁ ଆସିଛି। ଚଳିତ ଦ୍ବିତୀୟ ଟେ‌ଷ୍ଟ୍‌ର ଚତୁର୍ଥ ଦିବସ ମଧ୍ୟାହ୍ନ‌ ଭୋଜନ ବିରତି ପୂର୍ବରୁ ଇଂଲଣ୍ଡ କ୍ଷେତ୍ରରକ୍ଷକ ଡମ୍‌ ଶିବଲେ ଅଜ୍ଞାତରେ ବଲ୍‌ରେ ଲାଳ ଲଗାଇ ଦେଇଥିଲେ। କିନ୍ତୁ ଏହା ଜାଣିବା ପରେ ସେ ଏବଂ ଇଂଲଣ୍ଡ ଖେଳାଳିମାନେ ବଲ୍‌କୁ ତୁରନ୍ତ ଅମ୍ପାୟାର୍‌ ମାଇକେଲ୍‌ ଗଫ ଓ ରିଚାର୍ଡ ଇଲିଙ୍ଗୱର୍ଥଙ୍କ ନିକଟକୁ ଆଣିଥିଲେ। ଗଫ୍ ନିଜ ପକେଟରୁ କିଛି କାଢ଼ି ବଲ୍‌କୁ ବିଶୋଧନ କରିଥିଲେ। ବୋଲର ଡୋମିନିକ୍ ବେସଙ୍କୁ ବଲ୍ ହସ୍ତାନ୍ତର କରିବା ପୂର୍ବରୁ ଅମ୍ପାୟାର୍ ମଧ୍ୟ ବଲ୍‌କୁ ଘସି ‌ଚିକ୍କଣ କରିଥିଲେ। କୋଭିଡ୍‌-୧୯ ମହାମାରୀ ପରେ ଜୈବ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ଏହି ଟେଷ୍ଟ୍‌ ଖେଳାଯାଉଥିବା ବେଳେ ଆଇସିସି ପୂର୍ବରୁ ବଲ୍‌ରେ ଲାଳ ଲଗାଇବା ଉପରେ କଟକଣା ଲଗାଇଛି। ଦ୍ବିତୀୟ ଥର ପାଇଁ କୌଣସି ଦଳ ଏଭଳି ଉଲ୍ଲଂଘନ କଲେ ୫ ରନ୍ ଦଣ୍ଡ ‌ପ୍ରଦାନର ନିୟମ କରାଯାଇଛି।

ଆର୍ଚରଙ୍କୁ ତାଲିମ ଅନୁମତି
ଅନ୍ୟପକ୍ଷରେ ପଡିଆ ବାହାରେ ଜୈବସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ କରି ଦ୍ବିତୀୟ ଟେଷ୍ଟ୍‌ରୁ ବଞ୍ଚିତ ହୋଇଥିବା ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ରବିବାରଠାରୁ ଅଭ୍ୟାସ ଆରମ୍ଭ ଲାଗି ଅନୁମତି ମିଳିଛି। ରବିବାର ସକାଳେ ଅନ୍ୟ ଖେଳାଳିମାନେ ପଡିଆକୁ ଆସିବା ପୂର୍ବରୁ ସକାଳ ୭ଟାରେ ଆର୍ଚର ଆଉଟ୍‌ଫିଲ୍ଡରେ ଦୌଡ଼ିଥିଲେ। ଗ୍ଲୋଭ୍‌ସ ସହ ମୁଖା ମଧ୍ୟ ପରିଧାନ କରିଥିଲେ। ଇସିବି ଡାକ୍ତରୀଦଳ ସାମାଜିକ ଦୂରତା ସହିତ ତାଙ୍କୁ ଅନୁସରଣ କରୁଥିଲେ। ୫ ଦିନର ସଙ୍ଗରୋଧରେ ଥିବା ଆର୍ଚର କିନ୍ତୁ ଦଳଠାରୁ ଦୂରେଇ ରହିଛନ୍ତି। ଦୁଇ ଥର କୋଭିଡ-୧୯ ପରୀକ୍ଷାରେ ନେଗେଟିଭ୍ ଆସିଲେ ଦଳରେ‌ ଯୋଗଦେବେ। ପ୍ରଥମ ଟେଷ୍ଟ୍‌ ପରେ ଓଲ୍ଡଟ୍ରାଫୋର୍ଡ ଯିବା ବାଟରେ ସେ ବ୍ରିଟନ୍‌ସ୍ଥିତ ତାଙ୍କ ବାସଭବନରେ ଘଣ୍ଟାଏ ବିତାଇଥିବାରୁ ‌ଜୈବସୁରକ୍ଷା ବିଧିର ଉଲ୍ଲଂଘନ କରିଥିଲେ। ଏଥି ପାଇଁ ତାଙ୍କୁ ଚଳିତ ଟେଷ୍ଟରୁ ବାଦ୍ ଦିଆଯିବା ସହିତ ୧୫,୦୦୦ ପାଉଣ୍ଡ ଦଣ୍ଡ ଓ ଲିଖିତ ଚେତାବନୀ ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର