ନୂଆଦିଲ୍ଲୀ: ହକି ଦମ୍ପତି ମନଦୀପ ସିଂହ ଓ ଉଦିତା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜଳନ୍ଧରରେ ଶୁକ୍ରବାର ଆୟୋଜିତ ମନ୍ତ୍ରମୁଗ୍ଧକର ତଥା ରଙ୍ଗାରଙ୍ଗ ଉତ୍ସବରେ ଉଭୟ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ସ୍ଥାନୀୟ ମଡେଲ ଟାଉନ୍ସ୍ଥିତ ଗୁରୁଦ୍ବାରାରେ ପଞ୍ଜାବୀ ରୀତିନୀତିରେ ବିବାହ ସଂପନ୍ନ ହୋଇଥିଲା। ଭାରତୀୟ ପୁରୁଷ ଓ ମହିଳା ଦଳର ଖେଳାଳିଙ୍କ ସହ ଭାରତୀୟ କ୍ରୀଡ଼ା ଜଗତର ବହୁ ପ୍ରତିଷ୍ଠିତ ତାରକାଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ଜଳନ୍ଧର ବାସିନ୍ଦା ମନଦୀପ ଓ ହରିୟାଣା ହିସାରର ଉଦିତା ବହୁ ଦିନ ହେବ ପରସ୍ପରକୁ ପ୍ରେମ କରି ଆସୁଥିଲେ। ତେବେ ସଂପର୍କକୁ ଲୁଚାଇ ରଖି ହକି ଉପରେ ଅଧିକ ଧ୍ୟାନ ଦେଇ ଚାଲିଥିଲେ।
ଦୁଇ ଜଣ ଯାକ ଭାରତୀୟ ପୁରୁଷ ଓ ମହିଳା ଦଳର ପ୍ରମୁଖ ସଦସ୍ୟ ଭାବେ ନିଜନିଜକୁ ଗଢ଼ି ତୋଳିଥିଲେ। ଅଲିମ୍ପିକ୍ସ ଖେଳିବାର ସ୍ବପ୍ନ ବି ପୂରଣ କରିଥିଲେ। ଏବେ ଏହି ସଂପର୍କକୁ ଆହୁରି ଆଗକୁ ନେଇ ଜୀବନର ଚଲାବାଟକୁ ଏକାଠି ଚାଲିବାକୁ ଯାଉଛନ୍ତି। ବିବାହର ଫଟୋ ପଦାକୁ ଆସିବା ପରେ ଉଭୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ ଶୁଭେଚ୍ଛା ବାର୍ତ୍ତାରେ ପୋତି ପକାଇଛନ୍ତି। ସେହିଭଳି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସଂପାଦକ ଭୋଳାନାଥ ସିଂହଙ୍କ ସହ ରାଜନୀତି, ସମାଜସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମନଦୀପ ଓ ଉଦିତାଙ୍କୁ ଉଜ୍ଜ୍ବଳ ଭବିଷ୍ୟତର କାମନା ସମ୍ବଳିତ ଶୁଭେଚ୍ଛା ବାର୍ତ୍ତା ମିଳିଚାଲିଛି।