ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ପୁରୁଖା ତାରକା ସ୍ମୃତି ମନ୍ଧାନାଙ୍କ ଜନ୍ମଦିନ ଆଜି। ଶନିବାର ତାଙ୍କୁ ୨୪ ବର୍ଷ ପୂରି ୨୫ ଚାଲିଲା। ମନ୍ଧାନା ଭାରତୀୟ ଦଳର ସ୍ଥିର ପ୍ରଦର୍ଶନକାରୀ ବ୍ୟାଟର୍ଙ୍କ ମଧ୍ୟରେ ଅନ୍ୟତମ। ବିଶେଷକରି ସୀମିତ ଓଭର କ୍ରିକେଟ୍ରେ ଚୂଡାନ୍ତ ଏକାଦଶରେ ତାଙ୍କ ନାମ ପ୍ରଥମେ ସ୍ଥାନ ପାଇଥାଏ। ଧଳା ବଲ୍ରେ ଏପର୍ଯ୍ୟନ୍ତ ସେ ୫୧ ଦିନିକିଆ ଏବଂ ୭୫ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ସାରିଲେଣି। ୨୦୨୫ ଦିନିକିଆ ଏବଂ ୧୭୧୬ ଟ୍ବେଣ୍ଟି-୨୦ ରନ୍ ତାଙ୍କ ନାମରେ ରହିଛି। ଦିନିକିଆ ଆନ୍ତର୍ଜାତିକରେ ମନ୍ଧାନା ମଧ୍ୟ ୪ ଶତକ ଜମାଇଛନ୍ତି। ଶନିବାର ଏହି ଅନ୍ୟତମ ସଫଳ ମହିଳା ବ୍ୟାଟର୍ଙ୍କ ଶୁଭ ଜନ୍ମ ଦିନରେ ଶୁଭେଚ୍ଛାର ସୁଅ ଛୁଟିଛି। ଦ୍ରୁତ ବୋଲିଂ କିଂବଦନ୍ତି ଝୁଲଣ ଗୋସ୍ବାମୀ ପ୍ରଥମ ଖେଳାଳି ଭାବେ ମନ୍ଧାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଟ୍ବିଟରରେ ଲେଖିଛନ୍ତି, ‘‘ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ସ୍ମୃତି। ଆଶା ଏହା ଶ୍ରେଷ୍ଠ ବର୍ଷର ଆରମ୍ଭ।
ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂହ ନିଜ ଟ୍ବିଟରରେ ତାଙ୍କୁ ଶୁଭେଚ୍ଛା ଜଣାଇ ସହିତ ବାର୍ତା ପୋଷ୍ଟ କରିଛନ୍ତି। ‘‘ଶୁଭ ଜନ୍ମଦିନ ସ୍କୃତି; ଚମତ୍କାର ପ୍ରଦର୍ଶନ ଜାରି ରହୁ ଏବଂ ତ୍ରିରଙ୍ଗାକ ଗର୍ବର ସହ ଉଡାଇଚାଲ। ଜଣେ ବାମହାତୀ ଭାବେ ଭାରତୀୟ ଦଳରେ ତୁମାର ଖ୍ୟାତି ରହିଛି। ଏହି ସାମର୍ଥ୍ୟକୁ ଆଗକୁ ବଢ଼ାଅ। ମୋର ଶୁଭକାମନା ରହିଛି।’’ ଅନ୍ୟତମ ପୁରୁଷ ଦଳର ତାରକା ଶିଖର ଧାୱନ୍ ମଧ୍ୟ ସ୍ମୃତିଙ୍କୁ ଶୁଭକାମନା ଜଣାଇଛନ୍ତି। ସେ ଟ୍ବିଟ୍ କରିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମନ୍ଧାନା। ଭାରତୀୟ ଦଳର ବୋଝ ସଫଳତାର ସହ ବୋହିଚାଲ। ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଡବ୍ଲୁଭି ରମଣ ତାଙ୍କ ଶୁଭେଚ୍ଛା ବାର୍ତାରେ ଲେଖିଛନ୍ତି, ଏହା ଏକ ସୁନ୍ଦର ଦିନ ଏବଂ ଭଗବାନ ତୁମର ମଙ୍ଗଳ କରନ୍ତୁ।
ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଟ୍ବିଟର ହ୍ୟାଣ୍ଡଲ ମଧ୍ୟ ସ୍ମୃତିଙ୍କ ଶୁଭେଚ୍ଛା କରିବାକୁ ଭୂଲି ନାହିଁ। ତାଙ୍କର ସ୍ବତନ୍ତ୍ର ଦିନରେ ୨୦୧୭ ମହିଳା ବିଶ୍ବକପ୍ରେ ସ୍ମୃତିଙ୍କ ଅବିଶ୍ବସନୀୟ ପାଳିର ଏକ ଭିଡିଓକୁ ସେୟାର କରିଛି। ବିସିସିଆଇ ତା’ ପୋଷ୍ଟ୍ରେ ଲେଖିଛି, ‘‘ସେନା’’ ରାଷ୍ଟ୍ର (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ)ରେ ଦିନିକିଆ ଆନ୍ତର୍ଜାତିକ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା। ୨୦୦୦ ଦିନିକିଆ ଆନ୍ତର୍ଜାତିକ ରନ୍ କରିବାରେ ଦ୍ରୁତତମ ଭାରତୀୟ ମହିଳା। ଆସ ଆମର ଅତି ପ୍ରିୟର ସ୍ମୃତିଙ୍କ ଜନ୍ମଦିନ ପାଳିବା। ବିଷେକରି ୨୦୧୭ ବିଶ୍ବକପ୍ରେ ୯୦ ରନ୍ର ପାଳିକୁ ଏହି ଅବସରରେ ମନେ ପକାଇବା ବୋଲି ବିସିସିଆଇ ଟ୍ବିଟ୍ କରିଛି। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମହିଳା ଦଳର ଜେମିମା ରୋଦ୍ରିଗ୍ବେଜ, ଭାରତୀୟ ତାରକା ଭୁବନେଶ୍ବର କୁମାର, ଆକାଶ ଚୋପ୍ରା ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପକ୍ଷରୁ ମଧ୍ୟ ସ୍ମୃତିଙ୍କୁ ଜନ୍ମଦିନର ଅଜସ୍ର ଶୁଭେଚ୍ଛା ଜ୍ଞାପନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/mandhana.jpg)