ମନ୍ଧାନା ଓ ହର୍ମନପ୍ରୀତ୍‌ଙ୍କ ଶତକ: ଭାରତର ଦ୍ବିତୀୟ ବିଜୟ

ହାମିଲଟନ୍: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ରେ ଭାରତ ଶନିବାର ଜବରଦସ୍ତ ବିଜୟ ହାସଲ କରିଛି। ସ୍ମୃତି ମନ୍ଧାନା ଏବଂ ହର୍ମନପ୍ରୀତ୍‌ କୌରଙ୍କ ଶତକ ସହିତ ବୋଲରଙ୍କ ମିଳିତ ପ୍ରଦର୍ଶନ କାରଣରୁ ମିତାଲି ରାଜଙ୍କ ଦଳ ୧୫୫ ରନ୍‌ର ବଡ଼ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ଏଥି ସହ ଭାରତ ୩ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ ସହ ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଛି। ପାକିସ୍ତାନକୁ ହରାଇଥିବା ଭାରତ ନିଜ ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରିଯାଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଭଳି ୨ରୁ ୨ ବିଜୟ ସହ ଅପରାଜେୟ ଥିବା ୱେଷ୍ଟଇଣ୍ଡିଜ୍‌ର ଧାରାକୁ ଭାରତ ରୋକି ଦେଇଛି।

ଶନିବାର ଟସ୍ ଜିତି ମିତାଲି ରାଜ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ୍ ଭାଗୀଦାରିରେ ସ୍ମୃତି ମନ୍ଧାନା ଏବଂ ୟାସ୍ତିକା ଭାଟିଆ ୬.୩ ଓଭରରେ ୪୯ ରନ୍ ଉଠାଇଥିଲେ। ଭାରତ ହଠାତ୍‌ ୭୮/୩ରେ ପହଞ୍ଚିଯାଇଥିଲା। ଏହି ସମୟରେ ଏକାଠି ହୋଇଥିବା ମନ୍ଧାନା ଓ ହର୍ମାନପ୍ରୀତ୍‌ ଚତୁର୍ଥ ୱିକେଟ୍‌ ପାଇଁ ୧୮୪ ରନ୍‌ ଯୋଡ଼ି ୱେଷ୍ଟଇଣ୍ଡିଜ ହାତରୁ ସମ୍ପୂର୍ଣ୍ଣ ଭାବେ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। କୌଣସି ୱିକେଟ୍ ପାଇଁ ମହିଳା ବିଶ୍ବକପ୍‌ରେ ଏହା ସର୍ବୋଚ୍ଚ ଭାଗୀଦାରିର କୀର୍ତ୍ତିମାନ ମଧ୍ୟ ପ୍ରତିଷ୍ଠା କରିଥିଲା। ମନ୍ଧାନା ୧୧୯ ବଲ୍‌ରୁ ୧୩‌ ଚୌକା ଓ ୨ ଛକା ସହାୟତାରେ ୧୨୩ ଏବଂ ହର୍ମନପ୍ରୀତ୍‌ ୧୦୭ ବଲ୍‌ରୁ ୧୦ ଚୌକା, ୨ ଛକା ସହାୟତାରେ ୧୦୯ ରନ୍‌ କରି ଆଉଟ୍ ହୋଇଥିଲେ ମଧ୍ୟ ଭାରତ ୮ ୱିକେଟ୍ ହରାଇ ୩୧୭ ରନ୍‌ ସଂଗ୍ରହ କରିନେଇଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍‌ ପାଇଁ ପ୍ରାରମ୍ଭିକ ଯୋଡ଼ି ଦିନ୍ଦ୍ରା ଡଟିନ୍‌ (୬୨) ଏବଂ ହେଲି ମାଥ୍ୟୁସ୍‌ (୪୩) ମାତ୍ର ୧୨.୧ ଓଭରରେ ୧୦୦ ରନ୍‌ ପୂର୍ଣ୍ଣ କରିନେଇଥିଲେ ମଧ୍ୟ ଭାରତୀୟ ବୋଲର ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ୬୨ ରନ୍‌ ଭିତରେ ସମସ୍ତ ୧୦ ୱି‌କେଟ୍ ପୋଛି ନେଇଥିଲେ। ସ୍ନେହ ରାଣା (୯.୩-୧-୨୨-୩), ମେଘନା ସିଂହ (୬-୦-୨୭-୨) ଏବଂ ରାଜେଶ୍ବରୀ ଗାଏକ୍ବାଡ (୧୦-୩-୨୪-୧) ପ୍ରଭାବୀ ବୋଲିଂ କରିଥିଲେ। ଝୁଲନ ଗୋସ୍ବାମୀ, ପୂଜା ବସ୍ତ୍ରକାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ୱେଷ୍ଟଇଣ୍ଡିଜ୍ ପାଳି ୪୦.୩ ଓଭରରେ ୧୬୨ ରନ୍‌ରେ ସୀମିତ ରହିଯାଇଥିଲା। ମନ୍ଧାନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲେ ମଧ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ସେ ହର୍ମନପ୍ରୀତ୍‌ଙ୍କୁ ସାମିଲ କରିଥିଲେ।

ମିତାଲି ଓ ଝୁଲଣଙ୍କ ବିଶ୍ବକପ୍‌ କୀର୍ତ୍ତିମାନ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ ବେଳେ ଭାରତୀୟ ଦଳର ଦୁଇ ବରିଷ୍ଠ ସଦସ୍ୟା ମିତାଲି ରାଜ ଓ ଝୁଲଣ ଗୋସ୍ବାମୀ ଗୋଟିଏ ଲେଖାଏଁ ବିଶ୍ବକପ୍‌ କୀର୍ତ୍ତିମାନ ନିଜ ନାମରେ କରି ନେଇଛନ୍ତି। ମିତାଲି ଆଇସିସି ମହିଳା ବିଶ୍ବକପ୍‌ରେ ସର୍ବାଧିକ ୨୪ ମ୍ୟାଚ୍‌ରେ ନେତୃତ୍ବ ନେବା ସହ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା ବେଲିଣ୍ଡା କ୍ଲାର୍କ (୨୩ ମ୍ୟାଚ୍‌ ନେତୃତ୍ବ)ଙ୍କୁ ପଛ‌ରେ ପକାଇଥିଲେ। ମିତାଲିଙ୍କ ଅଧିନାୟକତ୍ବରେ ଭାରତ ୧୫ ବିଜୟ ୮ ପରାଜୟ ଲଭିଥିବା ବେଳେ ଗୋଟିଏ ନିଷ୍ଫଳ ରହିଥିଲା। ସଂଯୋଗବଶତଃ ଉଭୟ ମିତାଲି ଓ ବେଲିଣ୍ଡା ମାତ୍ର ଦୁଇ ଜଣ ମହିଳା କ୍ରିକେଟର୍‌ ଯିଏ ଦୁଇରୁ ଅଧିକ ବିଶ୍ବକପ୍‌ରେ ନିଜ ନିଜ ଦଳର ନେତୃତ୍ବ ନେଇଛନ୍ତି। ଗତ ରବିବାର ପାକିସ୍ତାନ ବିପକ୍ଷରେ ଖେଳିବାବେଳେ ୩୯ ବର୍ଷୀୟା ମିତାଲି ପ୍ରଥମ ମହିଳା ତଥା ତୃତୀୟ କ୍ରିକେଟର୍ ଭାବେ ୬ ବିଶ୍ବକପ୍‌ରେ ପଦାର୍ପଣ କରିଥିଲେ। ପୂର୍ବରୁ କେବଳ ସଚିନ ତେନ୍ଦୁଲକର ଏବଂ ଜାଭେଦ ମିଆଁଦାଦ ଏହି କ୍ଲବ୍‌ରେ ଥିଲେ।

ଅନ୍ୟପକ୍ଷରେ ଶନିବାର ସବୁଠୁ ଅଭିଜ୍ଞ ମଧ୍ୟମଗତି ବୋଲର ଝୁଲଣ‌ ଗୋସ୍ବାମୀ ଆଇସିସି ମହିଳା ବିଶ୍ବକପ୍‌ ଇତିହାସର ସବୁଠୁ ସଫଳ ବୋଲର ହୋଇଥିଲେ। ଅନିଶା ମହମ୍ମଦଙ୍କୁ ଆଉଟ୍ କରିବା ମାତ୍ରେ ସେ ମହିଳା ବିଶ୍ବକପ୍‌ର ଅଗ୍ରଣୀ ବୋଲର ହୋଇଥିଲେ। ଠିକ୍ ୧୭ ବର୍ଷ ତଳେ ବିଶ୍ବକପ୍‌ ପଦାର୍ପଣ (୨୨ ମାର୍ଚ୍ଚ ୨୦୦୫ ବନାମ ଶ୍ରୀଲଙ୍କା) କରିଥିବା ଝୁଲଣ ମୋଟ ୪୦ ୱିକେଟ୍ ନେଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଝୁଲଣ ୪୦ ଜଣ ଭିନ୍ନ ବ୍ୟାଟର୍‌ଙ୍କୁ ଆଉଟ୍ କରିଛନ୍ତି। ବିଶ୍ବକପ୍‌ ମଇଦାନରେ ସେ କୌଣସି ବ୍ୟାଟରଙ୍କୁ ଦ୍ବିତୀୟ ଥର ଆଉଟ୍ କରିନାହାନ୍ତି। ଶନିବାର ଅନିଶା ମହମ୍ମଦ ତାଙ୍କ ସପ୍ତମ ୱେଷ୍ଟଇଣ୍ଡିଆନ୍‌ ଶିକାର ହୋଇଥିଲେ। ୨୦୦୫ରେ ଶ୍ରୀଲଙ୍କାର ଇନୋକା ଗଲଗେଦାରା ତାଙ୍କ ପ୍ରଥମ ବିଶ୍ବକପ୍‌ ୱିକେଟ୍‌ ଥିଲେ। ଝୁଲଣ ୩୧ ବିଶ୍ବକପ୍‌ ମ୍ୟାଚ୍‌ରୁ ୪୦ ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆର କାରୋଲ୍‌ ହାଜେସ୍‌ (୨୦ ମ୍ୟାଚ୍‌ରୁ ୩୯ ୱିକେଟ୍) ଦ୍ବିତୀୟ ସ୍ଥାନକୁ ଖସିଛନ୍ତି।

ସମ୍ବନ୍ଧିତ ଖବର