ମନ୍ଧାନା ୨୦୨୧ର ଶ୍ରେଷ୍ଠ ମହିଳା କ୍ରିକେଟର୍‌: ରୁଟ୍ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ୍ କ୍ରିକେଟର୍

ଆଇସିସି ପୁରସ୍କାରରେ ପାକିସ୍ତାନର ଆଧିପତ୍ୟ

ଦୁବାଇ: ଭାରତୀୟ ଓପନର୍‌ ସ୍ମୃତି ମନ୍ଧାନା ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ମହିଳା କ୍ରିକେଟର୍ ଘୋଷିତ ହୋଇଛନ୍ତି। ଗତ କ୍ୟାଲେଣ୍ଡର ବର୍ଷରେ ସବୁ ଫର୍ମାଟ୍‌ର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଇସିସି ସୋମବାର ଏହି ଘୋଷଣା କରିଛି। ଏହି ପୁରସ୍କାର ହାସଲ କରିବା ଦୌଡ଼ରେ ମନ୍ଧାନା ଶକ୍ତିଶାଳୀ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳର ଟାମି ବିୟୁମଣ୍ଟ, ଦକ୍ଷିଣ ଆଫ୍ରିକାର ଲିଜେଲ ଲି’ ଏବଂ ଆୟର୍ଲାଣ୍ଡର ଗାବି ଲୁଇସ୍‌ଙ୍କୁ ପଛରେ ପକାଇଛନ୍ତି। ଏହା କରି ସେ ଆକର୍ଷଣୀୟ ରାଚେଲ ହେହୋ ଫ୍ଲିଣ୍ଟ ଟ୍ରଫିର ହକଦାର ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୧୮ ମସିହାରେ ଆଇସିସିର ବର୍ଷର ଶ୍ରେଷ୍ଠ ଦିନିକିଆ ମହିଳା ଖେଳାଳି ଘୋଷିତ ହୋଇଥିଲେ। ତେବେ ବର୍ଷର ଶ୍ରେଷ୍ଠ କ୍ରିକେଟର୍ ଘୋଷିତ ହେବାରେ ଦ୍ବିତୀୟ ଭାରତୀୟ ମହିଳା କ୍ରିକେଟର୍ ହୋଇଛନ୍ତି ମନ୍ଧାନା। ତାଙ୍କ ପୂର୍ବରୁ ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଦୀର୍ଘ ୧୪ ବର୍ଷ ତଳେ ଅର୍ଥାତ୍ ୨୦୦୭ରେ ଆଇସିସି ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର୍ ପୁରସ୍କାର ଲାଭ କରିଥିଲେ।

ଗତବର୍ଷ ଭାରତୀୟ ମହିଳା ଦଳ ସେତେଟା ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ଉପଅଧିନାୟିକା ମନ୍ଧାନା ବ୍ୟକ୍ତିଗତ ଭାବେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତି ନେଇଥିଲେ। ଦକ୍ଷିଣ ଆଫ୍ରିକାର ଗସ୍ତରେ ଭାରତ ଜିତିଥିବା ଦୁଇଟି ଯାକ ମ୍ୟାଚ୍‌ରେ ସେ ବେଶ୍ ଦାୟିତ୍ବବାନ ବ୍ୟାଟିଂ କରିଥିଲେ। ୨୫ ବର୍ଷୀୟ ମନ୍ଧାନା‌ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା, ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ବି ଭଲ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଖେଳି ଶତକ ହାସଲ କରିଥିଲେ। ପାକିସ୍ତାନର ଫାତିମା ସାନା ମଧ୍ୟ ଶ୍ରେଷ୍ଠ ଉଦୀୟମାନ ମହିଳା କ୍ରି‌କେଟ୍ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଲିଜେଲ ଲି’ ଶ୍ରେଷ୍ଠ ଦିନିକିଆ ମହିଳା କ୍ରିକେଟର୍ ଏବଂ ଇଂଲଣ୍ଡର ଟାମି ବିୟୁମଣ୍ଟ ଶ୍ରେଷ୍ଠ ମହିଳା ଟ୍ବେଣ୍ଟି-୨୦ ଖେଳାଳି ମନୋନୀତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ମାରାଇସ୍ ଏରାସମସ୍ ବର୍ଷର ଶ୍ରେଷ୍ଠ ଅମ୍ପାୟାର ଘୋଷିତ ହୋଇଛନ୍ତି।

ଆଇସିସି ପୁରୁଷ କ୍ରିକେଟର୍ ପୁରସ୍କାରରେ କିନ୍ତୁ ଭାରତୀୟଙ୍କ ସେତେଟା ଭାଗୀଦାରି ନାହିଁ। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ବର୍ଷର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ଘୋ‌ଷିତ ହୋଇଛନ୍ତି। ଅନ୍ୟ ଆଇସିସି ପୁରସ୍କାରରେ ପାକିସ୍ତାନର ଆଧିପତ୍ୟ ଦେଖିବାକୁ ମିଳିଛି। ଏହି ଦେଶର ଯୁବ ଦ୍ରୁତ ବୋଲର ସାହିନ ଆଫ୍ରିଦି ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର୍ ମନୋନୀତ ହୋଇଛନ୍ତି। ସେହି ପାକିସ୍ତାନର ଅଧିନାୟକ ବାବର ଆଜମ ଶ୍ରେଷ୍ଠ ପୁରୁଷ ଦିନିକିଆ କ୍ରିକେଟର୍ ଏବଂ ଉପଅଧିନାୟକ ମହମ୍ମଦ ରିଜୱାନ୍ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି ଘୋଷିତ ହୋଇଛନ୍ତି।

ସମ୍ବନ୍ଧିତ ଖବର