ବର୍ଷର ଶ୍ରେଷ୍ଠ ମହିଳା ଟି-୨୦ ଖେଳାଳି ପୁରସ୍କାର ଦୌଡ଼ରେ ମନ୍ଧାନା

ଦୁବାଇ: ଭାରତୀୟ ଓପ୍‌ନର ସ୍ମୃତି ମନ୍ଧାନା ଆଇସିସି ଦ୍ବାରା ୨୦୨୧ ବର୍ଷର ଶ୍ରେଷ୍ଠ ମହିଳା ଟି-୨୦ ଖେଳାଳି ପୁରସ୍କାର ଦୌଡ଼ରେ ସ୍ଥାନ ପାଇଛନ୍ତି। ଗୁରୁବାର ମନ୍ଧାନାଙ୍କ ସହ ଅନ୍ୟ ୩ ଜଣଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନେ ହେଲେ ଇଂଲଣ୍ଡର ତାମି ବିଉମଣ୍ଟ୍‌ ଓ ନାଟ୍‌ ସିଭର୍‌ ଏବଂ ଆୟର୍ଲାଣ୍ଡ୍‌ର ଗାବି ଲୁଇସ୍‌। ମନ୍ଧାନା ଚଳିତ ୨୦୨୧ରେ ୯ ଟି-୨୦ ମ୍ୟାଚ୍‌ରୁ ୩୧.୮୭ ହାରରେ ୨୫୫ ରନ୍‌ କରି ଦାବିଦାର ରହିଛନ୍ତି। ସେଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ଦଳର ଦୁଇଟି ବିଜୟରୁ ପ୍ରଥମରେ ହିଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ରେ ୧୧୩ ରନ୍‌ର ପିଛା କରିଥିବା ଭାରତ ପକ୍ଷରୁ ସେ ମାତ୍ର ୨୮ ବଲ୍‌ରେ ୪୮ ରନ୍‌ କରିଥିଲେ। ଏହି ବିଜୟ ମଧ୍ୟ ଭାରତକୁ ମୂଳପୋଛ ହେବାରୁ ରକ୍ଷା କରିଥିଲା। ସେହିପରି ମନ୍ଧାନା ମଧ୍ୟ ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ୧୧୯ ରନ୍‌ କରି ଅଗ୍ରଣୀ ସ୍କୋରର୍‌ ରହିଥିଲେ। ଉଭୟ ମ୍ୟାଚ୍‌ ହାରିଥିବା ଭାରତ ପକ୍ଷରୁ ସେ ସର୍ବାଧିକ ସ୍କୋରର୍‌ ମଧ୍ୟ ରହିଥିଲେ। ଶେଷ ମ୍ୟାଚ୍‌ରେ ତାଙ୍କ ୭୦ ବଲ୍‌ ୫୧ ରନ୍‌ ବେକାର ଯାଇଥିଲା।

ସମ୍ବନ୍ଧିତ ଖବର