କଲମ୍ବୋ: ଆୟୋଜକ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଭାରତକୁ ନେଇ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ମହିଳା ଦିନିକିଆ ଶୃଙ୍ଖଳାରେ ଭାରତ ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ଭାରତ ୯୭ ରନ୍‌ରେ ଆୟୋଜକ ଦଳକୁ ମାତ୍‌ ଦେଇ ଟ୍ରଫି ହାତେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହର୍ମନପ୍ରୀତ କୌରଙ୍କ ଦଳ ଉପଅଧିନାୟିକା ସ୍ମୃତି ମନ୍ଧାନା (୧୧୬ ରନ୍‌, ୧୦୧ ବଲ୍‌, ୧୫ ଚୌକା, ୨ ଛକା)ଙ୍କ ଶତକ ବଳରେ ୩୪୨/୭ କରିଥିଲା। ହର୍ଲିନ ଦେଓଲ ୪୭, ଜେମିମା ରଡ୍ରିଗୁଏଜ ୪୪, ହର୍ମନପ୍ରୀତ ୪୧, ପ୍ରତୀକା ରାୱଲ ୩୦, ଦୀପ୍ତି ଶର୍ମା ୨୦* ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ।

Advertisment

ଶ୍ରୀଲଙ୍କା ପକ୍ଷରୁ ମାଲ୍‌କି ମଦାରା, ଦେୱାମୀ ବିହାଙ୍ଗା ଓ ସୁଗନ୍ଦିକା କୁମାରୀ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଚାମାରି ଆଟାପାଟୁ ୫୧, ନୀଳାକଶିକାଙ୍କ ୪୮ ରନ୍‌ ସତ୍ତ୍ବେ ଶ୍ରୀଲଙ୍କା ୪୮.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୫ ରନ୍‌ କରିଥିଲା। ସ୍ନେହା ରାଣା ୪, ଅମନଜୋତ କୌର ୩ ଏବଂ ଶ୍ରୀ ଚାରଣୀ ୧  ୱିକେଟ୍‌ ନେଇଥିଲା ବେଳେ ୨ ଜଣ ରନ୍‌ଆଉଟ୍‌ ହୋଇଥିଲେ। ନିଜର ୧୧ତମ ଦିନିକିଆ ଶତକ ହାସଲ କରିଥିବା ମନ୍ଧାନା ଫାଇନାଲ୍‌ର ଏବଂ ମୋଟ ୧୫ ୱିକେଟ୍‌ ନେଇଥିବା ସ୍ନେହା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ମହିଳା ଭାବେ ମନ୍ଧାନା (୫୪ ଛକା) ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଥିଲେ। ସେ ହରମନ୍‌ପ୍ରୀତ କୌର (୫୩)ଙ୍କୁ ଟପିଥିଲେ।