ରଗ୍‌ବି ବିଶ୍ବକପ୍‌ ଦେଖିବାକୁ ମନ୍ଦୁଇ ମନୋନୀତ

ଭୁବନେଶ୍ବର: ଭାରତୀୟ ରଗ୍‌ବି ୟୁନିୟନ୍ ଦେଶର ଉଦୀୟମାନ ରଗ୍‌ବି ଖେଳାଳିଙ୍କୁ ଏକ ନିଆରା ସୁଯୋଗ ଦେବାକୁ ଯାଉଛି। ୟୁନିୟନ୍ ଭାରତର ୮ ଜଣ ଭାଗ୍ୟଶାଳୀ ରଗ୍‌ବି ତାରକାଙ୍କୁ ରଗ୍‌ବି ବିଶ୍ବକପ୍ ଦେଖିବା ଲାଗି ଜାପାନ ପଠାଇଛି। ଏହି ୮ ଜଣ ଖେଳାଳିଙ୍କ ମଧ୍ୟରେ ୪ ଜଣ ବାଳକ ଥିଲା ବେଳେ ଅନ୍ୟ ୪ ଜଣ ହେଉଛନ୍ତି ବାଳିକା। ଏମାନଙ୍କ ସହ ଦୁଇ ଜଣ ରଗ୍‌ବି ସଂଗଠକ ମଧ୍ୟ ଜାପାନ ଯାଇ ସ୍ବଚକ୍ଷୁରେ ବିଶ୍ବକପ୍‌ର ମଜା ନେବେ। ଜାପାନ ଯାଉଥିବା ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ମନ୍ଦୁଇ ସଏ ସ୍ଥାନ ପାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ହରିହରାନନ୍ଦ ବାଳାଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟା ମନ୍ଦୁଇ ମାତ୍ର ବର୍ଷକର ହୋଇଥିଲା ବେଳେ ତାଙ୍କ ପିତାଙ୍କ ଅକାଳ ବିୟୋଗ ଘଟିଥିଲା। ମା’ ଜଣେ ଦିନ ମଜୁରିଆ। ହେଲେ ସେ ରଗ୍‌ବି ଖେଳିବାକୁ ବହୁତ ଭଲ ପାଆନ୍ତି। ମନ୍ଦୁଇ ନିଜ ବିଦ୍ୟାଳୟ ରଗ୍‌ବି ଦଳର ସଦସ୍ୟ ଅଛନ୍ତି। ଭବିଷ୍ୟତରେ ସେ ଓଡ଼ିଶାର ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମନ୍ଦୁଇଙ୍କ ସହ ଭାରତୀୟ ରଗ୍‌ବି ୟୁନିୟନ ଦ୍ବାରା ମନୋନୀତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ବିହାରର ଗୁରିୟା କୁମାରୀ, ଜମ୍ମୁ କଶ୍ମୀରର ଜୁନୈରା ଅମ୍ବର, ତାମିଲନାଡୁର ଆର ପ୍ରିୟା, ପଶ୍ଚିମବଙ୍ଗର ମହମ୍ମଦ ଜାଭେଦ, ମହାରାଷ୍ଟ୍ରର ପୃଥ୍ବୀରାଜ ବାଜିରାଓ ମାନେ, କର୍ଣ୍ଣାଟକର କୌଶିକ କୁମାର ଓ ଦିଲ୍ଲୀର କିଶନ। ଏମାନେ ସମସ୍ତେ ରବିବାରଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାପାନ ଶିଶୁ ରଗ୍‌ବି ସ୍ପିରିଟ୍ ମହୋତ୍ସବରେ ମଧ୍ୟ ଯୋଗଦେବେ।

ସମ୍ବନ୍ଧିତ ଖବର