ମାନେ, କୋରିଆ ଓ ଗଞ୍ଜାଲେଜ୍‌ ଫିଫା ବିଶ୍ବକପ୍‌ରୁ ବାଦ୍‌

କାତାର : ଫିଫା ବିଶ୍ବକପ୍‌ ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଥିଲା ବେଳେ ଆହତ ଯୋଗୁଁ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବା ଖେଳାଳିଙ୍କ ତାଲିକା ବି ଲମ୍ବି ଚାଲିଛି। ମଙ୍ଗଳବାର ଫ୍ରାନ୍ସ ଦଳର ଅଭ୍ୟାସ ବେଳେ ଆହତ ହେବାରୁ ଫରୱାର୍ଡ ଖେଳାଳି ଖ୍ରିଷ୍ଟୋଫର ଏନ୍‌କୁଙ୍କୁ ଚଳିତ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଥିଲେ। ତାଙ୍କ ପୂର୍ବରୁ ଡିଫେଣ୍ଡର ପ୍ରେସନେଲ୍‌ କିମ୍ପେମ୍ବେ ମାଂସପେଶୀ ଜନିତ ଆଘାତ ଯୋଗୁଁ ମଧ୍ୟ ଦଳରୁ ବାଦ୍‌ ପଡ଼ିଥିଲେ। ଗୁରୁବାର ଆଉ ୩ ଜଣ ଖେଳାଳିଙ୍କ ବିଶ୍ବକପ୍‌ ଅଭିଯାନ ପ୍ରତିଯୋଗିତା ପୂର୍ବରୁ ଶେଷ ହୋଇଯାଇଛି। ଏହି ତିନି ଜଣ ହେଲେ ସେନେଗଲ୍‌ ଫରୱାର୍ଡ ସାଦିଓ ମାନେ ଏବଂ ଆର୍ଜେଣ୍ଟିନାର ଜାକ୍ବିନ କୋରିଆ ଓ ନିକୋଲାସ୍‌ ଗଞ୍ଜାଲେଜ୍‌।

ମାନେଙ୍କ ଗୋଡ଼ରେ ଅସ୍ତ୍ରୋପଚାର ଜରୁରି ହୋଇପଡ଼ିଛି। ତାଙ୍କ ଗୋଡ଼ର ସ୍କାନ୍‌ ରିପୋର୍ଟରୁ ଗୁରୁତର ଥିବା ଜଣାପଡ଼ିଛି। ଚଳିତ ଫିଫା ବିଶ୍ବକପ୍‌ ଅବସରରେ ସେ ସଂପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା କମ୍‌ ବୋଲି ସେନେଗଲ୍‌ ଦଳର ଡାକ୍ତର ମାନୁଏଲ୍‌ ଆଫୋନ୍‌ସୋ କହିଛନ୍ତି। ଫଳରେ ମାନେ ମୁଖ୍ୟ ପ୍ରତିଯୋଗିତା ଖେଳିବା ପୂର୍ବରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ମାନେଙ୍କ ବାଦ୍‌ ପଡ଼ିବା ସେନେଗଲ୍‌ ପାଇଁ ଶକ୍ତ ଝଟ୍‌କା ଲାଗିଛି। ନିକଟରେ ସେନେଗଲ୍‌ ଦଳର ସଫଳତାରେ ଏହି ଫରୱାର୍ଡ ତାରକାଙ୍କ ଅବଦାନ ରହିଥିଲା। ସେ ମଧ୍ୟ ବିଶ୍ବକପ୍‌ରେ ଆଫ୍ରିକାର ଶ୍ରେଷ୍ଠ ଆଶା ଥିଲେ। ସେ ମଧ୍ୟ ଦୁଇ ଥର ଆଫ୍ରିକାନ୍‌ ଫୁଟ୍‌ବଲ ଅଫ୍‌ ଦି ଇୟର ମନୋନୀତ ହୋଇଥିଲେ। ତାଙ୍କ ଅନୁପସ୍ଥିତି ଗ୍ରୁପ୍‌-ଏ’ରେ ସେନେଗଲ୍‌ର ଆଶା ମଉଳାଇ ‌ଦେଇଛି। ସେନେଗଲ ଚଳିତ ବିଶ୍ବକପ୍‌ରେ ସୋମବାର ନେଦରଲାଣ୍ଡ୍‌ସ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ଦଳ ଆୟୋଜକ କାତାର ଏବଂ ଇକ୍ବେଡର ସହ ଗ୍ରୁପ୍‌ ପର୍ଯ୍ୟାୟରେ ମୁହାଁମୁହିଁ ହେବ।

ଅନ୍ୟପକ୍ଷରେ ଗୁରୁବାର ଆର୍ଜେଣ୍ଟିନା ଦଳ ପାଇଁ ଖରାପ ଖବର ରହିଥିଲା। ଏହାର ଦୁଇ ଖେଳାଳି ଜାକ୍ବିନ କୋରିଆ ଏବଂ ନିକୋଲାସ୍‌ ଗଞ୍ଜାଲେଜ୍‌ ଆହତ ଯୋଗୁଁ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଥିବା ନେଇ ଆର୍ଜେଣ୍ଟିନା ଫୁଟ୍‌ବଲ ସଂଘ ପକ୍ଷରୁ କୁହାଯାଇଛି। ତେବେ ଗଞ୍ଜାଲେଜ୍‌ଙ୍କ ବଦଳ ଖେଳାଳି ଭାବେ ଆଞ୍ଜେଲ କୋରିଆଙ୍କୁ ଡକରା ମିଳିଥିବା ଏହି ସୂତ୍ରରୁ ଜଣାପଡ଼ିଛି। ଜାକ୍ବିନ୍‌ଙ୍କ ବଦଳ ଖେଳାଳିଙ୍କ ନାମ ପରେ ଜଣାଇ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗୁରୁବାର ଅଭ୍ୟାସ ସେସନ୍‌ ପରେ ଗଞ୍ଜାଲେଜ୍‌ଙ୍କ ମାଂସପେଶୀ ଟାଣି ଧରିଥିଲା। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଆର୍ଜେଣ୍ଟିନା ଆସନ୍ତା ୨୨ ତାରିଖରେ ତା’ର ପ୍ରଥମ ମ୍ୟାଚ୍‌ ସାଉଦି ଆରବ ସହ ଖେଳି ଚଳିତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର