ମଙ୍ଗଳା କପ୍‌ କ୍ରିକେଟ୍‌: ହିନ୍ଦୁସ୍ଥାନ ସ୍ପୋର୍ଟିଂ ‌ବିଜେତା

କାକଟପୁର: ୩୨ତମ ରାଜ୍ୟସ୍ତରୀୟ ମଙ୍ଗଳା କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। କିଶାନ ଦତ୍ତଙ୍କ ୯୪ ରନ୍ ବଳରେ ହିନ୍ଦୁସ୍ଥାନ ସ୍ପୋର୍ଟିଂ ବିଜେତା ହୋଇଛି। ଫାଇନାଲ୍‌ ମ୍ୟାଚ୍‌ରେ କଟକର ଜୁଭେନାଇଲ ସ୍ପୋର୍ଟିଂ ଦେଇଥିବା ୧୭୨ ରନ୍‌ର ଲକ୍ଷ୍ୟକୁ ହିନ୍ଦୁସ୍ଥାନ ସ୍ପୋର୍ଟିଂ ଅତି ସହଜରେ ଅତିକ୍ରମ କରିଯାଇଥିଲା। କିଶାନ ଦତ୍ତ ଉଭୟ ଫାଇନାଲ୍‌ ଏବଂ ପ୍ରତ‌ିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍‌ ଜିତିଥିବା ଜୁଭେନାଇଲ୍ ସ୍ପୋର୍ଟିଂ ନିର୍ଦ୍ଧାରିତ ୨୫ ଓଭରରେ ୮ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ସନ୍ତୋଷ ରାଉତ ୪୫, ସାଇଦୀପ୍ ମହାପାତ୍ର ୩୭ ରନ୍ କରିଥିଲେ। ହିନ୍ଦୁସ୍ଥାନ ସ୍ପୋର୍ଟିଂ ପକ୍ଷରୁ ସୁପ୍ରଭାତ ପଟ୍ଟନାୟକ ୩, ଜ୍ୟୋତିରଂଜନ ରାଉତରାୟ ଏବଂ ପବିତ୍ର ବିଶୋଇ ୨ ୱିକେଟ୍ ଲେଖାଏଁ ହାସଲ କରିଥିଲେ। ଜବାବରେ ହିନ୍ଦୁସ୍ଥାନ ସ୍ପୋର୍ଟିଂ ୧୮.୨ ଓଭର୍‌ରେ ୪ ୱିକେଟ୍ ହରାଇ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କିଶାନ ଦତ୍ତ ୪୮ ବଲ୍‌ରୁ ୯୪, ସୂର୍ଯ୍ୟକାନ୍ତ ଦାସ ୩୩ ବଲ୍‌ରୁ ୫୨ ରନ୍ କରିଥିଲେ। ଜୁଭେନାଇଲ୍ ପକ୍ଷରୁ ଆୟୁଷ କୁମାର ଷଡ଼ଙ୍ଗୀ ସଫଳ ବୋଲର୍‌ ଭାବେ ୨ ୱିକେଟ୍ ପାଇଥିଲେ।

ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା କ୍ରିକେଟ୍ ସଂଘ ସଂପାଦକ ସଂଜୟ ବେହେରା, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ବିଜୁ ଜନତା ଦଳ ରାଜ୍ୟ ସଂପାଦକ ତଥା ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, କାକଟପୁର ବ୍ଲକ୍‌ ଅଧ୍ୟକ୍ଷା ମନୋରମା ସ୍ବାଇଁ, ମନ୍ତ୍ରୀଙ୍କ ପ୍ରତିନିଧି କବିରାଜ ବିଶ୍ବାଳ, ସାଂସଦଙ୍କ ପ୍ରତିନିଧି ଜ୍ଞାନରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜକ ମଙ୍ଗଳା କ୍ଲବ୍‌ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ୍ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର