ଚପଲ ଦୋକାନରୁ ଅଢେଇକୋଟିର ଖେଳାଳି: ଲଖନଉ କିଣିଥିବା ଏହି ଖେଳାଳିଙ୍କ ବାବଦରେ ଜାଣିଛନ୍ତି କି?

ବାଙ୍ଗାଲୋର: ବାଙ୍ଗାଲୋରରେ ଚାଲିଥିବା ଖେଳାଳି ହାଟରେ ବିଶ୍ବର ସବୁଠାରୁ ଧନୀ ତଥା ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍‌ ଆଇପିଏଲ୍‌ ପାଇଁ କ୍ରିକେଟର୍ କିଣାବିକା ଜାରି ରହିଛି । ବହୁ ପ୍ରତୀକ୍ଷିତ ନିଲାମର ପ୍ରଥମ ଦିନରେ ଝାଡ଼ଖଣ୍ଡର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କୁ ତାଙ୍କ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାର ଆଖି ଖୋସି ହୋଇଗଲା ଭଳି ଦରରେ କିଣି ନେଇଛି। ତେବେ ଏହି ମେଗା ନିଲାମରେ ଜଣେ ଖେଳାଳିଙ୍କୁ ଲଖନଉ ଫ୍ରାଞ୍ଚାଇଜ୍ ମୂଳ ମୂଲ୍ୟର ୧୩ ଗୁଣ ଅଧିକ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ମିଳିଥିବା ସୂଚନା ମୁତାବକ ଲଖନଉ ସୁପର ଜିଆଣ୍ଟସ୍ ଅଭିନବ ମନୋହର ସାଦରଙ୍ଗାନୀଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି |

ଅଭିନବ ମନୋହର ସାଦରଙ୍ଗାନୀଙ୍କ ମୂଳ ମୂଲ୍ୟ(ବେସ ପ୍ରାଇସ) ୨୦ ଲକ୍ଷ ଟଙ୍କା ଥିଲା। ଘରୋଇ କ୍ରିକେଟରେ ବ୍ୟାଟିଂ କରି ଅଭିନବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ଦୃଢ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଥିବାରୁ ଆଇପିଏଲ ମେଗା ନିଲାମରେ ତାଙ୍କ ଉପରେ ଏକ ବଡ ବିଡ୍ ଡକାଯାଇଥିଲା | ସୂଚନା ମୁତାବକ ଅଭିନବ ମନୋହର ସାଦରଙ୍ଗାନୀଙ୍କ ବୟସ ୨୭ ବର୍ଷ ହୋଇଥିବାବେଳେ ସେ କର୍ଣ୍ଣାଟକର ବାଙ୍ଗାଲୋରରୁ ଆସିଛନ୍ତି। ସେ ସୟଦ ମୁଶତାକ୍ ଅଲି ଟ୍ରଫିରେ କ୍ରିକେଟ୍ ଡେବ୍ୟୁ କରିଥିଲେ । ସେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା |

ସେ ସୟଦ ମୁସ୍ତାକ ଅଲି ଟ୍ରଫିର ଚାରୋଟି ମ୍ୟାଚରେ ୧୫୦ର ଷ୍ଟ୍ରାଇକ ରେଟରେ ୧୬୨ ରନ୍ ସଂଗ୍ରହ କରିଥିଲେ | ଚାରିଟି ଇନିଂସରେ ସେ ୧୧ଟି ଚୌକା ଓ ୧୧ଟି ମାରିଥିଲେ | ସେ ଦୁଇଟି କ୍ୟାଚ୍ ମଧ୍ୟ ନେଇଥିଲେ। ଏସବୁ ରେକର୍ଡ ଦେଖି ଲଖନଉ ତାଙ୍କୁ ନେବା ପାଇଁ ମନ ବଳାଇଥିଲା | ଅଭିନବ ମନୋହର ସାଦରଙ୍ଗାନୀ ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି | ମନୋହର ସାଦରଙ୍ଗାନି ପୂର୍ବରୁ ବାଙ୍ଗାଲୋରରେ ଏକ ଚପଲ ଦୋକାନ କରିଥିଲେ, ଯାହା ଦ୍ୱାରା ତାଙ୍କ ପରିବାରର ପ୍ରତିପୋଷଣ ହେଉଥିଲା | ସେ ପିଲାଦିନରୁ କ୍ରିକେଟ୍ ପ୍ରତି ଆଗ୍ରହୀ ଥିଲେ। ଅନେକ ଅସୁବିଧାକୁ ଦୂର କରି ସେ କ୍ରିକେଟ୍ ଶିଖିଥିଲେ |

ସମ୍ବନ୍ଧିତ ଖବର