ଜାତୀୟ ପ୍ରଶିକ୍ଷକଙ୍କ ସହାୟତା ନେବାକୁ ମନା କଲେ ମନିକା

ଟିଟି: ମନିକା, ସୁତୀର୍ଥା ଆଗେଇଲେ

ଟୋକିଓ: ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ୨୩ ତାରିଖରୁ ହୋଇଥିଲା ବେଳେ ଭାରତୀୟଙ୍କ ପ୍ରତିଦ୍ବନ୍ଦ୍ବିତା ଶନିବାରଠୁ ଆରମ୍ଭ ହୋଇଯାଇଛି। ହେଲେ ଟେବୁଲ ଟେନିସ୍‌ ତାରକା ମନିକା ବାତ୍ରା ତାଙ୍କ ପ୍ରଥମ ରାଉଣ୍ଡ୍‌ ମ୍ୟାଚ୍‌ ବେଳେ ଜାତୀୟ ପ୍ରଶିକ୍ଷକ ସୌମ୍ୟଦୀପ ରୟଙ୍କଠାରୁ କୌଣସି ପରାମର୍ଶ ନେବାକୁ ମନା କରିଦେଇଥିଲେ। ବିଶେଷକରି ତାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକଙ୍କୁ କୋର୍ଟ ନିକଟକୁ ଅନୁମତି ନମିଳିବାରୁ ସେ ଜାତୀୟ ପ୍ରଶିକ୍ଷକଙ୍କ ସହାୟତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ଏଭଳି ସ୍ଥିତିରେ ବିଶ୍ବ ମାନ୍ୟତାର ୬୨ ମନିକା ଏହି ମ୍ୟାଚ୍‌ରେ ତାଙ୍କ ବ୍ରିଟେନ୍‌ ପ୍ରତିଦ୍ବନ୍ଦ୍ବୀ ଟିନ୍‌ ଟିନ୍‌ ହୋ (୯୪ ମାନ୍ୟତାପ୍ରାପ୍ତ)ଙ୍କୁ ୪-୦ରେ ପରାସ୍ତ କରିଥିଲେ। କିନ୍ତୁ କୋର୍ଟ ନିକଟରେ ଉଦ୍ଦିଷ୍ଟ ପ୍ରଶିକ୍ଷକଙ୍କ ସ୍ଥାନରେ କେହି ବି ବସିନଥିଲେ। ଯାହାକି ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ନଜରକୁ ଆସିଛି।

ଏଠାରେ ସୂଚନାଯୋଗ୍ୟ, ମନିକାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ସନ୍‌ମୟ ପରଞ୍ଚପେ ବିବାଦୀୟ ପରିସ୍ଥିତିରେ ତାଙ୍କ ସହ ଟୋକିଓ ଯାତ୍ରା କରିବାକୁ ଅନୁମତି ପାଇଥିଲେ। ହେଲେ ତାଙ୍କୁ ଜାତୀୟ ଦଳ ସହ କ୍ରୀଡ଼ା ଗ୍ରାମରେ ରହିବାକୁ ଅନୁମତି ମିଳିଲାନି। ଫଳରେ ସେ ଏକ ହୋଟେଲରେ ରହୁଛନ୍ତି ଏବଂ କେବଳ ଟ୍ରେନିଂ ସେସନ୍‌ରେ ଆକଳନ କରିବାକୁ ଅନୁମତି ପାଇଛନ୍ତି। କିନ୍ତୁ ମନିକା ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ସ୍ବୀକୃତିକୁ ଉନ୍ନୀତ କରିବାକୁ ଚାହୁଁଥିଲେ। ଯାହାଫଳରେ କି ପରଞ୍ଚପେ ତାଙ୍କ ମ୍ୟାଚ୍‌ ବେଳେ କୋର୍ଟ ପାଖରେ ରହିପାରିଥା’ନ୍ତେ। କିନ୍ତୁ ମନିକାଙ୍କ ଏହି ଅନୁରୋଧକୁ ଆୟୋଜକମାନେ ପ୍ରତ୍ୟାଖ୍ୟାନ କରିଦେଇଥିବା ଦଳୀୟ ମୁଖ୍ୟ ତଥା ଭାରତୀୟ ଟେବୁଲ ଟେନିସ୍‌ ସଂଘର ପରାମର୍ଶଦାତା ଭାବେ ଟୋକିଓରେ ଅବସ୍ଥାନ କରିଥିବା ଏମ୍‌ପି ସିଂହ କହିଥିଲେ। ଏଥିରେ କ୍ଷୁବ୍‌ଧ ହୋଇଥିଲେ ମନିକା ଏବଂ ଜାତୀୟ ପ୍ରଶିକ୍ଷକଙ୍କ ଦ୍ବାରା ପ୍ରଶିକ୍ଷଣ ନେବାକୁ ମନା କରିଦେଇଥିଲେ। ମୁଁ ଏଥିରେ ମଧ୍ୟସ୍ଥତା କରିଥିଲି; ହେଲେ ରୟଙ୍କ ସହାୟତା ନେବାକୁ ମନିକା ରୋକ୍‌ଠୋକ୍‌ ମନା କରିଦେଇଥିଲେ ବୋଲି ଏମ୍‌ପି ସିଂହ କହିଥିଲେ। ‌ହେଲେ ଏନେଇ ମନିକାଙ୍କଠୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ତେବେ ମନିକାଙ୍କ ଏକକ ମ୍ୟାଚ୍‌ ପରେ ଶରତ କମଲ ଓ ମନିକା ଖେଳିଥିବା ସେମାନଙ୍କ ରାଉଣ୍ଡ-୧୬ ମିଶ୍ରିତ ଯୁଗଳ ମ୍ୟାଚ୍‌ ବେଳେ ରୟ କୋର୍ଟ ପାଖରେ ରହିଥିବା ଦେଖାଯାଇଥିଲା। ଏବର ଜାତୀୟ ପ୍ରଶିକ୍ଷକ ରୟ ହେଉଛନ୍ତି ୨୦୧୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜେତା ପୁରୁଷ ଦଳର ସଦସ୍ୟ ଥିଲେ ଏବଂ ଶରତ କମଲ୍‌ଙ୍କ ଜଣେ ଲମ୍ବା ସମୟର ଦଳୀୟ ସାଥୀ।

ଟିଟି: ମନିକା, ସୁତୀର୍ଥା ଆଗେଇଲେ
ଟେବୁଲ ଟେନିସ (ଟିଟି)ରେ ଭାରତକୁ ମିଶ୍ରିତ ସଫଳତା ମିଳିଛି। ମହିଳା ଏକକରେ ଭାଗନେଇଥିବା ମନିକା ବାତ୍ରା ଏବଂ ସୁତୀର୍ଥା ବାନାର୍ଜୀ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ଶରତ କମଲ ଏବଂ ମନିକା ବାତ୍ରାଙ୍କୁ ନେଇ ଗଠିତ ମିଶ୍ରିତ ଯୁଗଳ ଯୋଡ଼ି ଆରମ୍ଭରୁ ବିଦାୟ ନେଇଛନ୍ତି। ମହିଳା ଏକକରେ ମନିକା ୪-୦ (୧୧-୭, ୧୧-୬, ୧୨-୧୦, ୧୧-୯) ସେଟ୍‌ରେ ବ୍ରିଟେନ୍‌ର ଟିନ୍‌ ଟିନ୍‌ ହୋ’ଙ୍କୁ ଏବଂ ସୁତୀର୍ଥା ୪-୩ (୫-୧୧, ୧୧-୯, ୧୧-୧୩, ୯-୧୧, ୧୧-୩, ୧୧-୯, ୧୧-୫)‌ ସେଟ୍‌ରେ ସ୍ବିଡେନ୍‌ର ଲିଣ୍ଡା ବର୍ଗଷ୍ଟ୍ରମ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ମିଶ୍ରିତ ଯୁଗଳ ରାଉଣ୍ଡ ୧୬ ମ୍ୟାଚ୍‌‌ରେ ଶରତ ଓ ମନିକା ଚାଇନିଜ୍‌ ତାଇପେର ଲିନ୍‌ ୟୁନ୍‌-ଜୁ ଓ ଚେଙ୍ଗ ଆଇ-ଚିଙ୍ଗ୍‌ଙ୍କଠୁ ହାରି ଯାଇଥିଲେ। ଚାଇନିଜ୍‌ ତାଇପେ ଯୋଡ଼ି ୪-୦ (୧୧-୮, ୧୧-୬, ୧୧-୫, ୧୧-୪) ସେଟ୍‌ରେ ଭାରତୀୟ ଯୋଡ଼ିଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ।

ସମ୍ବନ୍ଧିତ ଖବର