ନୂଆଦିଲ୍ଲୀ : ପୂର୍ବତନ ବାମହାତୀ ସ୍ପିନର ମନିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିବାର ମାତ୍ର କିଛି ମାସ ପରେ ହିଁ ଭାରତୀୟ କ୍ରିକେଟ୍ ନାଟକୀୟ ମୋଡ଼ ନେଇଥିଲା। ମନିନ୍ଦରଙ୍କ ପଦାର୍ପଣର ୭ ମାସ ଭିତରେ ହିଁ ଭାରତ ୧୯୮୩ ବିଶ୍ବକପ୍ ଜିତି ନେଇଥିଲା। ବ୍ୟକ୍ତିଗତ ଭାବେ ସେ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ନଥିଲେ। ହେଲେ ବିଶ୍ବକପ୍ ପରେ ରାତାରାତି ତାରକା ପାଲଟି ଯାଇଥିବା ଅନେକ ଭାରତୀୟ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ ବାଣ୍ଟିବାର ସୌଭାଗ୍ୟ ମନିନ୍ଦର ପାଇଥିଲେ। ୧୯୮୩ ବିଶ୍ବକପ୍ ପରେ ଆଉ ଏକ ବଡ଼ ଘଟଣା ମଧ୍ୟ ଘଟିଥିଲା। ଲିଟିଲ ମାଷ୍ଟର ସୁନିଲ ଗାଭାସ୍କରଙ୍କ ବ୍ୟାଟ୍ରୁ ଆଉ ଆଗ ଭଳିଆ ରନ୍ ବାହାରିନଥିଲା। ଅର୍ଥାତ୍ ଗାଭାସ୍କର କୌଣସି କାରଣରୁ ଅସ୍ଥିର ପ୍ରଦର୍ଶନ ଦେବା ଆରମ୍ଭ କରି ଦେଇଥିଲେ।
ବିଶ୍ବକପ୍ ବିଜୟ ପରେ ଖେଳିଥିବା ୩୫ ଟେଷ୍ଟ୍ରୁ ସେ ୪୮.୦୧ ହାରରେ ରନ୍ କରିଥିଲେ। ଯାହା ତାଙ୍କ ଖେଳ ଜୀବନର ହାରାହାରି ରନ୍ ସଂଗ୍ରହ (୫୧.୧୨)ଠାରୁ କମ୍ ଥିଲା। ଏହା ସତ୍ତ୍ବେ ଅସୀମ ଏକାଗ୍ରତା ଗାଭାସ୍କରଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥିଲା। ୧୯୮୨ରୁ ୮୭ ମଧ୍ୟରେ ମନିନ୍ଦର ତାଙ୍କ ସହ ୨୬ ଟେଷ୍ଟ୍ ଓ ୩୫ ଦିନିକିଆ ଖେଳିବାର ସୌଭାଗ୍ୟ ପାଇଥିଲେ। ଗାଭାସ୍କରକୁ ମନିନ୍ଦର ସେଥିପାଇଁ 'ଏକାଗ୍ରତାର ଭଗବାନ' କହୁଥିଲେ। ବୁଧବାର ଦେଇଥିବା ଏକ ସାକ୍ଷାତକାରରେ ସେ ନିଜ ପ୍ରିୟ ଲିଟିଲ ମାଷ୍ଟରଙ୍କୁ ନେଇ ୧୯୮୬ ମସିହାରେ ଇଂଲଣ୍ଡରେ ଘଟିଥିବା ଏକ ଘଟଣାକୁ ବର୍ଣ୍ଣନା କରିଥିଲେ। ''ଏହି ଗସ୍ତରେ ଗାଭାସ୍କର ଆଶାଜନକ ପ୍ରଦର୍ଶନ କରିପାରିନଥିଲେ। ହେଲେ ଅଧିନାୟକ କପିଳ ଦେବଙ୍କୁ ସେ ସବୁବେଳେ କହୁଥିଲେ 'ବ୍ୟସ୍ତ ହୁଅନି, ସମୟ ଆସିଲେ ମୁଁ ତୁମକୁ ନିଶ୍ଚିତ ଭାବେ ରନ୍ ଦେବି'। କିଛି ଅଭ୍ୟାସ ମ୍ୟାଚ୍ରେ ଭଲ ନକରି ପାରିବା ପରେ ଭାରତୀୟ ଗଣମାଧ୍ୟମ ତାଙ୍କୁ ନେଇ ନାନା ପ୍ରଶ୍ନ ଉଠାଉଥିଲା। ଏଥିରେ ବିଚଳିତ ନହୋଇ ସମରସେଟ୍ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଶତକ ଅର୍ଜନ କରିବାକୁ ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ। କପିଳ ଓ ମୁଁ ଅଭ୍ୟାସ ସାରି ଫେରୁଥିଲା ବେଳେ ଗାଭାସ୍କର ମୋ କାନ୍ଧକୁ ଥାପୁଡ଼ାଇ ଏମିତି ଏକ କଥା କହିଥିଲେ, ଯାହା ମୋ ମନ ଛୁଇଁ ଯାଇଥିଲା।
ସେ କହିଥିଲେ, 'ପୁଅ କୁଆଡ଼େ ଯାଆନି କି ଡ୍ରେସ୍ ବଦଳାନି, କେବଳ ବାଲକୋନିରେ ବସି ମୋତେ ଶତକ ମାରୁଥିବାର ଦେଖ' ସତକୁ ସତ ସେ ଶତକ ମଧ୍ୟ ହାସଲ କରିଥିଲେ। ଏହି ମ୍ୟାଚ୍ରେ ସେ ପାଳି ଆରମ୍ଭ କରି ନଥିଲେ। ପଞ୍ଚମ ସ୍ଥାନରେ ଖେଳି ୧୩୬ ରନ୍ର ଅପରାଜିତ ପାଳି ଖେଳିଥିଲେ। ଗାଭାସ୍କର ଅବଶ୍ୟ ସେହି ଶୃଙ୍ଖଳାରେ ସେତେଟା ଭଲ କରିପାରିନଥିଲେ। ମାତ୍ର ଗୋଟିଏ ଅର୍ଧଶତକ ସହ ୬ ପାଳିରୁ ୧୭୫ ରନ୍ କରିଥିଲେ'' ବୋଲି ମନିନ୍ଦର ଏହି ଅବସରରେ କହିଥିଲେ। ଗାଭାସ୍କରଙ୍କ ଖେଳିବା ଶୈଳୀର ଆଉ ଏକ ରୋଚକ ଦିଗ ଉପରୁ ମଧ୍ୟ ମନିନ୍ଦର ଏହି ସାକ୍ଷାତକାର ଅବସରରେ ପରଦା ଉଠାଇଥିଲେ। '' ଗାଭାସ୍କର କେବେ ବି ଦୀର୍ଘ ସମୟ ପାଇଁ ଅଭ୍ୟାସ କରନ୍ତି ନାହିଁ, ମୁଁ ଭାବୁଛି ସେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରୁଥାଆନ୍ତି। କାରଣ ଅନ୍ତର୍ଜାତୀୟ କ୍ରିକେଟ୍ରେ ଆପଣ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହାହିଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।'' ବୋଲି ମନିନ୍ଦର ମତ ଦେଇଥିଲେ। ୧୯୮୬ ଇଂଲଣ୍ଡ ଗସ୍ତର ବିଫଳତାର ୧୩ ମାସ ପରେ ଗାଭାସ୍କର ବିଶ୍ବର ପ୍ରଥମ ଖେଳାଳି ଭାବେ ୧୦,୦୦୦ ଟେଷ୍ଟ୍ ରନ୍ ପୂରଣ କରିଥିଲେ। ଅହମ୍ମଦାବାଦଠାରେ ପାକିସ୍ତାନ ବିପକ୍ଷରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ବେଙ୍ଗାଲୁରୁରେ ଖେଳା ଯାଇଥିବା ପର ମ୍ୟାଚ୍ ଅବଶ୍ୟ ତାଙ୍କ ଖେଳ ଜୀବନର ଶେଷ ଟେଷ୍ଟ୍ ହୋଇଥିଲା। ସେହିବର୍ଷ ନଭେମ୍ବରରେ ଇଂଲଣ୍ଡ ବିପକ୍ଷରେ ଏକ ଦିନିକିଆ ମ୍ୟାଚ୍ ଖେଳି ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/gavaskar.jpg)