ମୋର କେଉଁଆଡ଼େ ଯିବାର ନାହିଁ, ତେଣୁ ବୋତଲ ପାଖକୁ ଯାଉଛି: ମନିନ୍ଦର ସିଂହ

ନୂଆଦିଲ୍ଲୀ: ଅଶୀ ଦଶକର ପ୍ରମୁଖ ସ୍ପିନର୍‌ ମନିନ୍ଦର ସିଂହଙ୍କ କ୍ରିକେଟ୍ ଯାତ୍ରା ସୀମିତ ରହିଯାଇଛି। କିନ୍ତୁ ତାଙ୍କ ସାମୟିକ ଶୀର୍ଷସ୍ତରୀୟ ପ୍ରଦର୍ଶନ ଏବେ ବି ଅଭୁଲା। ଅନ୍ତର୍ଜାତୀୟ କ୍ରିକେଟ୍‌କୁ ସଅଳ ଆଗମନ ଏବଂ ସଅଳ ବିଦାୟ ତାଙ୍କୁ ଚର୍ଚାଠୁ ଦୂରରେ ରଖିଛି। କ୍ରିକେଟ୍ ଯାତ୍ରାଠୁ ଜୀବନଯାତ୍ରା ବି ଏହି କ୍ରିକେଟରଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଛି। ବିଶୃଙ୍ଖଳିତ ଜୀବନଶୈଳୀ ହିଁ ଏହି ବିଗତ ଦିନର ତାରକାଙ୍କୁ ଅଲୋଡ଼ା କରି ଦେଇଛି। ନିକଟରେ ପ୍ରଦାନ କରିଥିବା ଏକ ବିସ୍ତୃତ ସାକ୍ଷାତକାର ବେଳେ ମନିନ୍ଦର ସିଂହ କହିଥିଲେ ଅନେକ ମନଖୋଲା କଥା। ‘ମୁଁ ଏବେ ନିରୋଳା ଜୀବନ ବିତାଉଛି, ସେତେବେଳେ ମୁଁ ଭାବୁଥିଲି ମୋତେ କେହି ବୁଝି ପାରୁନାହାନ୍ତି। କିନ୍ତୁ ମୁଁ ହିଁ ମୋତେ ମାରି ଦେଇଛି। ଯାହାକି ଗୁଜରାଟୀରେ କୁହାଯାଏ ‘ସେ ଗଲାଣି’। ବ୍ୟର୍ଥତା, ସ୍ବଭାବ ଓ ଅହଂକାର ହିଁ ମୋତେ ଶେଷ କରି ଦେଇଛି। ମୁଁ ଯେତେବେଳେ ଭଲ ବୋଲିଂ କରିବା କଥା କରିପାରିନଥିଲି। ଅନ୍ୟକୁ ଖରାପ ବ୍ୟବହାର କରିବା ମୋ ପାଇଁ ବୁମେରାଂ ହୋଇଛି। ୧୯୮୭ ମସିହାରେ ମୁଁ ଯେତେବେଳେ ମୋ ବୋଲିଂ ‌ଶୈଳୀ ହରାଇ ଥିଲି ସେବେଠୁ ମଦ ପିଇବା ଆରମ୍ଭ କରି ଦେଇଥିଲି। ମୋ ପରିବାର ମୋ ଉପରୁ ନିୟନ୍ତ୍ରଣ ହରାଇଥିଲା। ଏବେ ମୋର ଆଉ କେଉଁଆଡ଼େ ଯିବାର ନାହିଁ, ତେଣୁ ବୋତଲ ପାଖକୁ ଚାଲିଯାଉଛି’ ବୋଲି ବ୍ୟର୍ଥତା ଭରା ଜୀବନ ଜିଉଁଥିବା ମନିନ୍ଦର ପ୍ରକାଶ କରିଛନ୍ତି। ମୋତେ ଅତୀତରେ ଅଧିନାୟକ କପିଳ ଦେବ ଏବଂ ମହିନ୍ଦର ଅମରନାଥ ବି ବୁଝାଇଛନ୍ତି, କିନ୍ତୁ ମୁଁ ଅବୁଝା ରହିଯାଇଥିଲି। ୩୦ ବର୍ଷରେ ଅବସର ନେଇଯିବାକୁ ବାଧ୍ୟ ହୋଇଥିଲି ବୋଲି ମନିନ୍ଦର ପ୍ରକାଶ କରିଥିଲେ।

ବୋଲିଂରେ ଲୟ ହରାଇବା ସହିତ ପିତାଙ୍କ ଅସୁସ୍ଥତା, ବିବାହରେ ସମସ୍ୟା, କୋକେନ ସହ ଗିରଫ ହେବା ଭଳି ଏକାଧିକ ଘଟଣା ମନିନ୍ଦର ସିଂହଙ୍କ ଖେଳ ଜୀବନକୁ ଦିଶାହୀନ କରି ଦେଇଥିଲା। ମାତ୍ର ୧୫ ବର୍ଷରେ ରଣଜୀ ପଦାର୍ପଣ ଏବଂ ୧୭ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଏହି ସ୍ପିନରଙ୍କୁ କିମ୍ବଦନ୍ତୀ ଖେଳାଳି ବିଶେନ୍ ସିଂହ ବେଦୀଙ୍କ ଉତ୍ତରାଧିକାରୀ ବିବେଚନା କରାଯାଉଥିଲା। ସ୍ବଳ୍ପ ବୟସରେ ସଫଳତାକୁ ହଜମ କରିନପାରିବା ଭଳି ବିଫଳତା ତାଙ୍କ ବିପର୍ଯ୍ୟୟର କାରଣ ପାଲଟିଯାଇଛି। ଦେଶ ପାଇଁ ଗୋଟିଏ ଦଶନ୍ଧିର ଖେଳ ଜୀବନରେ ୩୫ ଟେଷ୍ଟ୍‌ରୁ ୮୮ ୱିକେଟ୍, ୫୯ ଦିନିକିଆରୁ ୬୬ ୱିକେଟ୍ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହି ପଞ୍ଜାବୀ ସ୍ପିନର ୧୪୫ ମ୍ୟାଚ୍‌ରୁ ଦଖଲ କରିଥିଲେ ୬୦୬ ୱିକେଟ୍‌ ଯାହାକି ତାଙ୍କ ସ୍ବଳ୍ପ ଜୀବନର ପ୍ରାଧାନ୍ୟକୁ ପ୍ରମାଣିତ କରିଥିଲା। ୧୯୮୬-୮୭ ମସିହାର ଅଷ୍ଟ୍ରେଲିଆ ବିପକ୍ଷ ମାଡ୍ରାସ ଟେଷ୍ଟ୍‌ରେ ମନିନ୍ଦରଙ୍କୁ ଆଉଟ୍ କରି ଗ୍ରେଗ୍ ମାଥ୍ୟୁସ ଐତିହାସିକ ଟାଇ ଆଣିବା ପାଇଁ ସେ ଅଧିକ ଚର୍ଚିତ। ନତୁବା ଲକ୍ଷ୍ମଣ ଶିବରାମକୃଷ୍ଣନଙ୍କ ଭଳି ମନିନ୍ଦରଙ୍କ କ୍ରିକେଟ୍‌ ଜୀବନ ବି ଅପୂରଣୀୟ ବିବେଚିତ ହୋଇଥାଏ।

ସମ୍ବନ୍ଧିତ ଖବର