ରାଉରକେଲା: କିଛି ପୂର୍ବତନ ହକି ଖେଳାଳି, ହକିପ୍ରେମୀ, ବିଭିନ୍ନ ଜିଲ୍ଲା ସଂଘ ଚାନ୍ଦା ଆଦାୟକରି ମଣିପୁର ଦଳକୁ ରାଉରକେଲା ପଠାଇଥିଲେ। ଦଳ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ଆର୍ଥିକ ସମସ୍ୟା ଯୋଗୁ ଘରକୁ ଫେରିବାରେ ନେଇ ସମସ୍ୟା ଦେଖାଦେଇଥିଲା। ତେବେ, ଗତ ୧୬ ତାରିଖରେ ଏନେଇ ‘ସମ୍ବାଦ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ଦଳକୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ। ଏହାପରେ ଦଳ ମଣିପୁର ଅଭିମୁଖେ ବାହାରିଯାଇଛି। ପୂର୍ବାହ୍ନରେ ଖେଳାଳି ଇସ୍ପାତ ଏକ୍ସପ୍ରେସ୍ରେ ଚଢ଼ିଥିଲେ। କୋଲକାତାରୁ ଓହ୍ଲାଇବାପରେ ସେଠାରୁ ଇମ୍ଫାଲକୁ ବିମାନରେ ଯିବେ।
ସୂଚନା ଅନୁସାରେ, ଶ୍ରୀ ସୁନ୍ୟାନୀ ଆଜି ପୂର୍ବାହ୍ନରେ ମଣିପୁର ଖେଳାଳିଙ୍କକୁ ଭେଟି ଆର୍ଥିକ ସହାୟତା ଯୋଗାଇବା ସହିତ ଘରକୁ ଫେରିବା ପାଇଁ ବନ୍ଦୋବସ୍ତ କରିଥିଲେ। ମଣିପୁର ହକିର ପୂର୍ବତନ ଚୟନ କମିଟି ସଦସ୍ୟ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ, ଅଲିମ୍ପିଆନ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଖଙ୍ଗୁଜମ୍ ଚିଙ୍ଗଲେନ୍ସନା ସିଂହ, ମଣିପୁର କନିଷ୍ଠ ବାଳକ ଦଳର କୋଚ୍ ନେପୋଲିଅନ ସିଂହ ଚାନମାଥବାମ୍, ଟିମ୍ ମ୍ୟାନେଜର ଥିୟାମ ରୋଶନ କୁମାର ସିଂହ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ। ସହାୟତା ପାଇବାପରେ ମଣିପୁର ହକି ଖେଳାଳି ଖୁସିବ୍ୟକ୍ତ କରିବାସହ ସାଧୁବାଦ ଜଣାଇଛନ୍ତି। ଏନେଇ ଅଲିମ୍ପିଆନ୍ ଚିଙ୍ଗଲେନ୍ କହିଛନ୍ତି, ‘ ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ଓଡ଼ିଶାବାସୀ ଆମ ସଂଘର୍ଷର କାହାଣୀ ବିଷୟରେ ଅବଗତ ହୋଇଛନ୍ତି। ଆମ କାହାଣୀକୁ ଓଡ଼ିଶାବାସୀଙ୍କ ପାଖକୁ ପହଞ୍ଚାଇଥିବାରୁ ସମଗ୍ର ‘ସମ୍ବାଦ’ ପରିବାର ନିକଟରେ କୃତଜ୍ଞ। ଏହାସହ ଆର୍ଥିକ ସହାୟତା ଯୋଗାଇଥିବା ଶ୍ରୀ ସୁନ୍ୟାନୀଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ।’ ଏହି ଗସ୍ତ କିନ୍ତୁ ଚିରସ୍ମରଣୀୟ ହୋଇରହିବ ବୋଲି ମୁଖ୍ୟ ପ୍ରଶିକ୍ଷକ ନେପୋଲିଅନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମଣିପୁର ତାର ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶାଠାରୁ ପରାସ୍ତ ହୋଇ କ୍ବାର୍ଟର ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା।