ଜାତୀୟ ୧୭ ବର୍ଷରୁ କମ୍‌ ଓପନ୍‌ ଚେସ୍‌ରେ ମନୀଷ ଷଷ୍ଠ: ଓପନ୍‌ରେ ମୟଙ୍କ, ବାଳିକାରେ ଭାଗ୍ୟଶ୍ରୀ ବିଜେତା

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟର ଇଣ୍ଟରନ୍ୟାସ୍‌ନାଲ ଚେସ୍‌ ହଲ୍‌ରେ ଆୟୋଜିତ ୩୨ତମ ଜାତୀୟ ୧୭ ବର୍ଷରୁ କମ୍‌ ଓପନ୍‌ ଏବଂ ବାଳିକା ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବାଳିକା ବର୍ଗରେ କୌଣସି ଓଡ଼ିଆ ଖେଳାଳି ଶୀର୍ଷ-୨୦ରେ ସ୍ଥାନ ପାଇନଥିଲା ବେଳେ ଓପନ୍‌ ବର୍ଗରେ ମନୀଷ କୁମାର ଷଷ୍ଠ ସ୍ଥାନରେ ରହି ଶ୍ରେଷ୍ଠ ଓଡ଼ିଆ ଖେଳାଳି ବିବେଚିତ ହୋଇଛନ୍ତି। ସେ ମୋଟ ୭.୫ ପଏଣ୍ଟ ପାଇ ଏହି ସ୍ଥାନରେ ଅଭିଯାନ ଶେଷ କରିଥିଲା ବେଳେ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟତମ ଓଡ଼ିଆ ଖେଳାଳି ଭାବେ ଏହି ବର୍ଗରେ ହର୍ଷିତ ରଞ୍ଜନ ସାହୁ (୭ ପଏଣ୍ଟ), ଜଗଦୀଶ ବାରିକ୍‌ (୬.୫ ପଏଣ୍ଟ୍‌) ଏବଂ ଶ୍ରେୟସ ଶୁଭମ ପଟନାୟକ (୬.୫ ପଏଣ୍ଟ) ଯଥାକ୍ରମେ ଦଶମ, ସପ୍ତଦଶ ଏବଂ ୧୯ତମ ସ୍ଥାନ ପାଇଛନ୍ତି। ଏହି ତିନି ଜଣ ଯଥାକ୍ରମେ ୧୦,୦୦୦, ୬୦୦୦ ଏବଂ ୬୦୦୦ ଟଙ୍କାର ପୁରସ୍କାର ରାଶି ପାଇଛନ୍ତି।

ପ୍ରତିଯୋଗିତାର ଓପନ୍‌ ବର୍ଗରେ ଆସାମର ମୟଙ୍କ ଚକ୍ରବର୍ତୀ (୮.୫ ପଏଣ୍ଟ) ଏବଂ ବାଳିକା ବର୍ଗରେ ମହାରାଷ୍ଟ୍ରର ଭାଗ୍ୟଶ୍ରୀ ପାଟିଲ (୯ ପଏଣ୍ଟ) ବିଜେତା ହୋଇଥିଲା ବେଳେ ଉଭୟେ ଟ୍ରଫି ସହିତ ୯୦,୦୦୦ ଲେଖାଏଁ ଟଙ୍କାର ପୁରସ୍କାର ରାଶି କରାୟତ୍ତ କରିଛନ୍ତି। ଉଭୟ ବର୍ଗରେ ୪,୫୦,୦୦୦ ଲେଖାଏଁ ମୋଟ ୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ୧୯୮୨ରେ ଅର୍ଜୁନ ଏବଂ ୨୦୦୮ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଭଲିବଲ୍‌ ତାରକା ଜିଇ ଶ୍ରୀଧରନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲା ବେଳେ ସର୍ବଭାରତୀୟ ଚେସ୍‌ ସଂଘ ଯୁଗ୍ମ ସଂପାଦକ ରଞ୍ଜନ ମହାନ୍ତି, ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି, ଆଇଏମ୍‌ ପଦ୍ମିନୀ ରାଉତ, ମୁଖ୍ୟ ଆର୍ବିଟର ଅସିତ ବରଣ ଚୌଧୁରୀ ଏବଂ ନିଖିଳ ଓଡ଼ିଶା ଚେସ୍‌ ସଂଘର ସଂପାଦକ ଦେବବ୍ରତ ଭଟ୍ଟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର