୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ ସମ୍ଭାବ୍ୟ ଦଳରେ ମନୀଷା

ଯୋଡ଼ା: ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଫୁଟ୍‌ବଲ୍‌-୨୦୨୦ ଲାଗି ବଛା ଯାଇଥିବା ୩୫ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳରେ ଯୋଡ଼ାର ଝିଅ ମନୀଷା ନାଏକ ସ୍ଥାନ ପାଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମନୋନୀତ ହୋଇ ସେ ଗୋଆରେ ପ୍ରଶିକ୍ଷଣ ନେଉଛନ୍ତି। ମନୀଷାଙ୍କ ଘର ଯୋଡ଼ା ବସ୍ତିରେ। ତାଙ୍କ ବାପା ମୁରଲୀଧର ନାଏକ ଓ ମା ମୁଗନୀ ନାଏକ। ମନୀଷା କ୍ରୀଡ଼ା ଛାତ୍ରାବାସରେ ରହି ସୁନ୍ଦରଗଡ଼ ଟାଉନ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଗତ ବର୍ଷ ମେ ମାସରେ ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଖେଳିବା ନିମନ୍ତେ ସମ୍ଭାବ୍ୟ ଭାରତୀୟ ଦଳ ପାଇଁ ସେ ମନୋନୀତ ହୋଇଥିଲେ। ଆସନ୍ତା ନଭେମ୍ବର ମାସରେ ଭାରତରେ ହେବାକୁ ଥିବା ଏହି ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଫୁଟ୍‌ବଲ୍‌ ଖେଳରେ ସେ ଅଂଶଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ମନୀଷା ୨୦୧୯ ମେ ମାସ ୧୦ ତାରିଖରୁ ଗୋଆଠାରେ ପ୍ରଶିକ୍ଷଣ ନେଉଛନ୍ତି। ଗୋଆରୁ କିଛିଦିନ ହେବ ତାଙ୍କ ଘରକୁ ଆସିଥିବା ସମୟରେ ସେ ‘ସମ୍ବାଦକୁ କହିଛନ୍ତି ଯେ ଯୋଡ଼ାରେ ବି ଫୁଟ୍‌ବଲ୍‌ ଖେଳରେ ବହୁ ପ୍ରତିଭା ଅଛନ୍ତି। ଉପଯୁକ୍ତ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଲେ ପିଲାମାନେ ଫୁଟ୍‌ବଲ୍‌ ଖେଳରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳ ହୋଇପାରନ୍ତେ। ଆଗାମୀ ଦିନରେ ସେ ଭାରତର ମହିଳା ଫୁଟ୍‌ବଲ୍‌ ଦଳରେ ସ୍ଥାନ ପାଇବାକୁ ଏବଂ ମହିଳା ବିଶ୍ବକପ୍‌ ଖେଳିବାକୁ ବହୁ ପରିଶ୍ରମ କରୁଛନ୍ତି। ଏଥିରେ ସେ ସଫଳ ହେବେ ବୋଲି ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର