ବିସିସିଆଇ ଭାଷ୍ୟକାର ମଣ୍ଡଳିରୁ ମଞ୍ଜରେକର ବାଦ୍

ମୁମ୍ବାଇ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ମଞ୍ଜରେକରଙ୍କୁ ବିସିସିଆଇ ତା’ର ଭାଷ୍ୟକାର ମଣ୍ଡଳିରୁ ବାଦ୍ ଦେଇଛି। ସେ ମଧ୍ୟ ଆଇପିଏଲ୍ ଭାଷ୍ୟକାର ତାଲିକାରୁ ବିଦା ହୋଇଥିବା ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଦଳର ଘରୋଇ ମ୍ୟାଚ୍‌ଗୁଡ଼ିକରେ ନିୟମିତ ଧାରା ବିବରଣୀ ଦେଉଥିବା‌ ମଞ୍ଜରେକରଙ୍କୁ ଧର୍ମଶାଳା ଦିନିକିଆ ଅବସରରେ ଦେଖିବାକୁ ମିଳି ନଥିଲା। ଏହି ମ୍ୟାଚ୍ ଅବଶ୍ୟ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ତଥାପି ତାଙ୍କ ଛଡ଼ା ବିସିସିଆଇ ଭାଷ୍ୟକାର ମଣ୍ଡଳିର ଅନ୍ୟ ସଦସ୍ୟ ସୁନିଲ ଗାଭାସ୍କର, ଏସ୍ ଶିବରାମକୃଷ୍ଣନ୍ ଓ ମୁରଲୀ କାର୍ତ୍ତିକ ଧର୍ମଶାଳାରେ ଉପସ୍ଥିତ ଥିଲେ। ସେଥିପାଇଁ ତାଙ୍କୁ ‌ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଥିଲା।

୧୯୯୬ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ‌ନେବା ପରେ ମଞ୍ଜରେକର ତିନିଟି ବିଶ୍ବକପ୍ ସହ ଆଇସିସିର ଅଧିକାଂଶ ମ୍ୟାଚ୍‌ରେ ଧାରାବିବରଣୀ ପ୍ରଦାନ କରିଆସୁଛନ୍ତି। ‌ତେବେ ନିକଟରେ ଦୁଇଟି ଘଟଣା ପାଇଁ ସେ ବିବାଦୀୟ ହୋଇପଡ଼ିଥିଲେ। ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ସେ ସାମୟିକ କ୍ରିକେଟର ଭା‌‌ବେ ବର୍ଣ୍ଣନା କରିବା ସହ ହର୍ଷ ଭୋଗଲେଙ୍କ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେଥିପାଇଁ ବିସିସିଆଇ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲା। ଏହା ପରେ ତାଙ୍କ ଚୁକ୍ତିକୁ ନବୀକରଣ ନ କରିବାକୁ ନିଷ୍ପତ୍ତି ‌ନେଇଛି।

ସମ୍ବନ୍ଧିତ ଖବର