ସଚିନଙ୍କ ପ୍ରଥମ ଶତକକୁ ମନେପକାଇଲେ ମଞ୍ଜରେକର, ‘ଦୁର୍ବଳତାକୁ ସଚିନ ଚାବି ପକାଇ ଦେଇଥିଲେ’

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର କ୍ରିକେଟ୍‌ର କିଂବଦନ୍ତି ଭାବେ ପରିଚିତ। ସେ ୫୧ ଶତକ ‌ସହ ୧୫,୯୨୧ ଟେଷ୍ଟ୍‌ ରନ୍ କରିଥିଲା ବେଳେ ଦିନିକିଆରେ ୪୯ ଶତକ ଓ ୧୮,୫୨୬ ରନ୍‌ କରିଛନ୍ତି। ୧୯୯୦ ମସିହାରେ ଇଂଲଣ୍ଡ ବିପକ୍ଷ ଓଲ୍ଡ ଟ୍ରାଫର୍ଡ ଟେଷ୍ଟରେ ସଚିନ୍ ତାଙ୍କର ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ଏହା ତାଙ୍କର ସ୍ମରଣୀୟ ମ୍ୟାଚ୍ ବଞ୍ଚାଇବା ପାଳି ମଧ୍ୟରେ ଗୋଟିଏ। ସଚିନ ଅପରାଜିତ ୧୧୯ ରନ୍‌ର ପାଳି ଖେଳି ମ୍ୟାଚ୍‌କୁ ଅମୀମାଂସିତ ରଖିବାକୁ ସକ୍ଷମ ହେଇଥିଲେ। ସଚିନଙ୍କ ଏହି ପାଳିକୁ ମନେ ପକାଇଛନ୍ତି ସେହି ମ୍ୟାଚ୍‌ର ପ୍ରଥମ ପାଳିରେ ୯୩ ରନ୍‌ କରିଥିବା ଭାରତୀୟ ଦଳର ସଦସ୍ୟ ସଂଜୟ ମଞ୍ଜେରକର।

ସଚିନଙ୍କ ଏହି ମ୍ୟାଚ୍‌ ବଞ୍ଚାଇବା ପାଳି ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ। କାରଣ ୧୬ ବର୍ଷ ବୟସର ଏହି ଯୁବକ ଅନ୍ତର୍ଜାତୀୟସ୍ତରର କ୍ରିକେଟ୍‌ ଖେଳୁଥିଲେ। ଅଫ୍ ଷ୍ଟମ୍ପ୍‌ ବାହାରେ ତ‌ାଙ୍କ ବ୍ୟାଟିଂ ଅତି ଚମତ୍କାର ଥିଲା ବୋଲି ଷ୍ଟାର ସ୍ପୋର୍ଟ୍ସ ଚାଟ୍‌ ସୋ’ ‘କ୍ରିକେଟ୍‌ କନେକ୍ଟେଡ୍‌’ରେ ପ୍ରକାଶ କରିଛନ୍ତି ମଞ୍ଜେରକର। ଏହି ମ୍ୟାଚ୍‌ ପୂର୍ବରୁ ସେ ନ୍ୟୁଜିଲାଣ୍ଡରେ ୮୦ ରନ୍‌ କରିଥିଲେ। ହେଲେ ଏହାକୁ ବହୁ କଷ୍ଟରେ ସଂଗ୍ରହ କରିଥିଲେ। କିନ୍ତୁ ଇଂଲଣ୍ଡରେ ସଚିନ ସବୁ ଦୁର୍ବଳତାକୁ ପଛରେ ପକ‌ାଇ ଶତକ ହାସଲ କରିଥିଲେ। ସେହି ଶତକୀୟ ପାଳି ତାଙ୍କ ଅଭିବୃଦ୍ଧିକୁ ସ୍ବୀକୃତି ଦେଇଥିଲା। ଏତେ‌ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସି ସଫଳ ହେବା ମୁଁ ପୂର୍ବରୁ‌ କେବେ ଦେଖି ନଥିଲି ବୋଲି ମଞ୍ଜେରକର କହିଛନ୍ତି। ଓଲ୍ଡ ଟ୍ରାଫୋର୍ଡ ଶତକ ପରେ ତେନ୍ଦୁଲକର ଅଷ୍ଟ୍ରେଲିଆରେ ଦୁଇଟି ଶତକ ହାସଲ କରିଥିଲେ ଏବଂ ବ୍ୟାଟ୍ସମ୍ୟାନ୍ ଭାବରେ ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ବୋଲି କ୍ରିକେଟର୍‌ରୁ ଭାଷ୍ୟକାର ହୋଇଥିବା ମଞ୍ଜେରକର କହିଛନ୍ତି। ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୦ତମ ଟେଷ୍ଟ୍‌ ଖେଳିବା ପରେ ତେନ୍ଦୁଲକର କ୍ରିକେଟରୁ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର