ବିଶ୍ବ ପ୍ରତିଯୋଗିତା ପଦାର୍ପଣରେ ମଞ୍ଜୁଙ୍କୁ ରୌପ୍ୟ, କବାଡ଼ିର କ୍ଷତି ମୁଷ୍ଟିଯୁଦ୍ଧରେ ଫାଇଦା: ମଞ୍ଜୁ

ଉଲାନ୍‌ ଉଦେ (ରୁଷିଆ): ସର୍ବାଧିକ ୮ ବିଶ୍ବ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା ଯୋଦ୍ଧା ମେରି କମ୍‌ (୫୧ କେଜି)ଙ୍କ ସାଙ୍ଗକୁ ପଦାର୍ପଣକାରୀ ଜମୁନା ବୋ‌ରୋ (୫୪ କେଜି) ଏବଂ ଲଭ୍‌ଲିନା ର୍ବୋର୍ଗୋହେଁ (୬୯ କେଜି) ଚଳିତ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା ବେଳେ ଅନ୍ୟତମ ପଦାର୍ପଣକାରୀ ମଞ୍ଜୁ ରାଣୀ ଏହାଠୁ ଗୋଟିଏ ପାହଚ ଉପରେ ଅଭିଯାନ ଶେଷ କଲେ। ଷଷ୍ଠ ମାନ୍ୟତାପ୍ରାପ୍ତ ମଞ୍ଜୁ ୪୮ କେଜି ଲାଇଟ୍‌ ଫ୍ଲାଇୱେଟ୍‌ ଓଜନ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିଲା ବେଳେ ଦମ୍‌ଦାର ପ୍ରଦର୍ଶନ ବଳରେ କ୍ବାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଉତ୍ତର କୋରିଆର କିମ୍‌ ହ୍ୟାଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ଏହାପରେ ଥାଇଲାଣ୍ଡ ଓପନ୍‌ ସେମିଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇ ପୂର୍ବତନ ବିଶ୍ବ ପ୍ରତିଯୋଗିତାର କାଂସ୍ୟ ବିଜୟିନୀ ଥାଇଲାଣ୍ଡ ଯୋଦ୍ଧା ଚୁତାମତ୍‌ ରକ୍ଷତଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଲଢ଼େଇ‌ରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ଚଳିତ ବିଶ୍ବ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଭାବେ ଫାଇନାଲ୍‌ ପ୍ରବେଶ କରିଥିବା ମଞ୍ଜୁ ରବିବାର ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଏକ୍‌ଟାରିନା ପାଲ୍‌ସେଭାଙ୍କ ନିକଟରୁ ୧-୪ରେ ହାରି ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହେଲେ। ତଥାପି ବିଶ୍ବ ପ୍ରତିଯୋଗିତା ପଦାର୍ପଣରେ ରୌପ୍ୟ ପଦକ ହାସଲର ଗୌରବ ବହନ କରିଛନ୍ତି। ଶନିବାର ୨୦ ବର୍ଷରେ ପଦାର୍ପଣ କରିଥିବା ହରିଆନା ଝିଅ ମଞ୍ଜୁଙ୍କ ପାଇଁ ଏହା ପ୍ରଥମ ବିଶ୍ବ ପଦକ ହୋଇଛି। ଏଥି ସହିତ ଭାରତ ମଧ୍ୟ ୪ ପଦକ କରାୟତ କରି ବିଶ୍ବ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ସଫଳତା ହାତେଇ ନେଇଛି। ମଞ୍ଜୁ ଏହା ପୂର୍ବରୁ ଚଳିତ ବର୍ଷ ସମ୍ମାନଜନକ ଷ୍ଟ୍ରାଞ୍ଜା ସ୍ମାରକୀ ପ୍ରତିଯୋଗିତା (ୟୁରୋପର ଅନ୍ୟତମ ବହୁ ପୁରୁଣା ତଥା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା)ରେ ରୌପ୍ୟ ପଦକ ଜିତିଥିଲେ।

କବାଡ଼ିର କ୍ଷତି ମୁଷ୍ଟିଯୁଦ୍ଧରେ ଫାଇଦା: ମଞ୍ଜୁ
ମଞ୍ଜୁ ରାଣୀ ହରିଆନାର ରୋହତକ ଜିଲ୍ଲା ଅନ୍ତର୍ଗତ ରିତାଲ ଫୋଗଟ ଗ୍ରାମରେ ୧୯୯୯ ମସିହା ଅକ୍ଟୋବର ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କୁ ୧୧ ବର୍ଷ ହୋଇଥିଲା ବେଳେ ବାପାଙ୍କୁ ହରାଇଥିଲେ। ସୀମା ସୁରକ୍ଷା ବଳର ଜଣେ ଅଧିକାରୀ ଥିବା ତାଙ୍କ ପିତା ୨୦୧୦ରେ କର୍କଟ ରୋଗରେ ପରଲୋକ ଗମନ କରିଥିଲେ। ସେବେଠାରୁ ସଂଘର୍ଷପୂର୍ଣ୍ଣ ଜୀବନ ବିତାଉଥିଲେ ମଞ୍ଜୁ। ହେଲେ କ୍ରୀଡ଼ା ପ୍ରତି ଅହେତୁକ ଆଗ୍ରହ ଓ ନିଷ୍ଠା ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ପ୍ରଥମେ ସେ କବାଡ଼ି ‌‌ଖେଳ ଉପରେ ଧ୍ୟାନ ଦେଇଥିଲେ। ହେଲେ ତାହା ଏକ ଦଳଗତ କ୍ରୀଡ଼ା ଥିଲା, ଯେଉଁଥିରେ କି ଶ୍ରେୟ ବାଣ୍ଟି ହୋଇଯାଉଥିଲା। ତେଣୁ ବ୍ୟକ୍ତିଗତ କ୍ରୀଡ଼ା ମୁଷ୍ଟିଯୁଦ୍ଧ ପ୍ରତି ଆକୃଷ୍ଟ ହେଲେ। ଏକ୍ଷେତ୍ରରେ ତାଙ୍କ କ୍ରୀଡ଼ାପ୍ରେମୀ ମା’ ଇଶ୍ବନ୍ତୀ ଦେବୀ ସମର୍ଥନ ଯୋଗାଇଥିଲେ। ବ୍ୟକ୍ତିଗତ କ୍ରୀଡ଼ାରେ ପାରଦର୍ଶିତା ଦେଖାଇ ପାରିଲେ ସବୁ ଶ୍ରେୟ ତୁମର ହେବ ବୋଲି ମା’ କହିଥିଲେ। ମା’ଙ୍କ ପ୍ରେରଣା ହିଁ ମୋତେ ମୁଷ୍ଟିଯୁଦ୍ଧକୁ ପସନ୍ଦ କରିବାକୁ ମନୋବଳ ଦେଇଥିଲା। ତଥାପି ହରିଆଣା ପକ୍ଷରୁ ମନୋନୀତ ହୋଇପାରିନଥିଲା ବେଳେ ପଞ୍ଜାବ ପାଇଁ ଟ୍ରଫି ଜିତିବା ପରେ ଚଳିତ ବର୍ଷ ଜାତୀୟ ଶିବିରକୁ ମନୋନୀତ ହୋଇଥିଲି। ଯାହାକି ମୋତେ ବିଶ୍ବ ପ୍ରତିଯୋଗିତାରେ ଅଂଶ ଗ୍ରହଣର ସୁଯୋଗ ଦେଇଥିଲା। ତେଣୁ କବାଡ଼ିରେ ଯାହା କିଛି କ୍ଷତି ହୋଇଥିଲା ସେସବୁ ଆଜି ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପଦକ ଜିତିବା ପରେ ଭରଣା ହୋଇଯାଇଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ମଞ୍ଜୁ। ଅନ୍ୟପକ୍ଷରେ ମୁଷ୍ଟିଯୁଦ୍ଧକୁ କ୍ୟାରିୟର କରିବା କ୍ଷେତ୍ରରେ ବିଜେନ୍ଦର ଭାଇ (ବିଜେନ୍ଦର ସିଂହ) ଏବଂ ମେରି ଦିଦି (ମେରି କମ୍‌) ମୋତେ ଖୁବ୍‌ ଉତ୍ସହିତ କରିଥିଲେ। ମୁଁ ମଧ୍ୟ ସେମାନଙ୍କୁ ଅନୁକରଣ କରି ପ୍ରଦର୍ଶନ ବଢ଼ାଇ ପାରିଥିଲି। ଯାହାର ଫଳ ଏବେ ମିଳିଛି ବୋଲି ମଞ୍ଜୁ କହିଛନ୍ତି।

ସମ୍ବନ୍ଧିତ ଖବର