ମନୋହର ପୁଣି ଆଇସିସି ଅଧ୍ୟକ୍ଷ: ଦିଲ୍ଲୀରେ ଆଇସିସି-ବିସିସିଆଇ ବୈଠକ

ନୂଆଦିଲ୍ଲୀ,: ବିସିସିଆଇର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶଶାଙ୍କ ମନୋହର ପୁଣି ଥରେ ଆଇସିସିର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ୨୦୧୬ ମସିହାରେ ଆଇସିସିର ପ୍ରଥମ ନିରପେକ୍ଷ ଅଧ୍ୟକ୍ଷ ପଦ ଗ୍ରହଣ କରିଥିବା ମନୋହର ଏଥର ମଧ୍ୟ ନିର୍ବିବାଦୀୟ ଭାବେ ନିର୍ବାଚିତ ହୋଇଛନ୍ତି। ସେଥିପାଇଁ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ବି ସେ ଆଇସିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ନିଜ ପ୍ରଥମ କାର୍ଯ୍ୟକାଳ ଅର୍ଥାତ୍‌ ଗତ ଦୁଇ ବର୍ଷ ମଧ୍ୟରେ ମନୋହର ଆଇସିସିର ପରିଚାଳନାରେ ଅନେକ ସଂସ୍କାର ଆଣିବା ସହ ରାଜସ୍ୱ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ପରିବର୍ତନ ଆଣିଥିଲେ। ଏପରିକି ତାଙ୍କ କାର୍ଯ୍ୟକାଳ ସମୟରେ ଆଇସିସିରେ ପ୍ରଥମ ନିରପେକ୍ଷ ମହିଳା ନିର୍ଦେଶକ ନିଯୁକ୍ତି ଭଳି ଯୁଗାନ୍ତକାରୀ କାର୍ଯ୍ୟ ସଂପାଦନ ହୋଇଥିଲା।
ଟେଷ୍ଟ କ୍ରିକେଟ୍‌ର ଭବିଷ୍ୟତ ଏବଂ ବିଶ୍ୱ କ୍ରିକେଟ୍‌ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାରେ ବିଚାର ବିମର୍ଷ କରିବା ଲାଗି ଆଇସିସିର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ବିସିସିଆଇ କର୍ମକର୍ତାଙ୍କୁ ଭେଟିବେ। ତେବେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ ବୈଠକର ନିର୍ଦିଷ୍ଟ ତାରିଖ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆ ଯାଇନାହିଁ। ବୈଠକରେ ଦିବା/ରାତ୍ର ଟେଷ୍ଟ୍‌ ମୁଖ୍ୟ ପ୍ରସଙ୍ଗ ହେବ। ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା, ସଂପାଦକ ଅମିତାଭ ଚୌଧୁରୀ ଓ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ ସହ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ବିସିସିଆଇର ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର