ମନୋହର ଭାରତୀୟ କ୍ରିକେଟ୍‌ର ଅପୂରଣୀୟ କ୍ଷତି ଘଟାଇଛନ୍ତି: ଶ୍ରୀନିବାସନ୍

ନିରଞ୍ଜନ ଶାହ ବି କଲେ କଡ଼ା ସମାଲୋଚନା

ମୁମ୍ବାଇ: ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହର ଇସ୍ତଫା ଦେବାକୁ ବହୁ ଭାରତୀୟ କ୍ରି‌କେଟ୍ ପ୍ରଶାସକ ସ୍ବାଗତ କରିଛନ୍ତି। ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ଭଲ ସଙ୍କେତ ବୋଲି ସେମାନେ ମତ ରଖିଛନ୍ତି। ଜଣେ ଭାରତୀୟ ହୋଇ ମଧ୍ୟ ଗତ ଚାରି ବର୍ଷ ହେବ ଭାରତୀୟ କ୍ରିକେଟ୍‌ ବିରୋଧରେ ମନୋହର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମନୋହରଙ୍କୁ ତୀବ୍ର ସମାଲାଚନା କରିବାରେ ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନ୍ ଅଗ୍ରଣୀ ଭୂମିକା ନେଇଛନ୍ତି। ଏପରିକି ଶ୍ରୀନିବାସନ୍ ନିଜ ପୁରୁଣା ସାଥୀ ମନୋହରଙ୍କୁ ଜଣେ ସ୍ବାର୍ଥପର ଓ ଆତ୍ମକୈନ୍ଦ୍ରିକ ବ୍ୟକ୍ତିଭାବେ ଅବିହିତ କରିଛନ୍ତି। ଆଇସିସିରେ ମନୋହରଙ୍କ କାର୍ଯ୍ୟକାଳକୁ ଭାରତୀୟ କ୍ରିକେଟ୍‌ର କଳା ସମୟ ଭାବେ ବର୍ଣ୍ଣନା କରି ଶ୍ରୀନିବାସନ୍ କହିଛନ୍ତି ଯେ ନୂଆ ନେତୃତ୍ବ (ସୌରଭ ଗାଙ୍ଗୁଲି ସଭାପତି ପଦ ଗ୍ରହଣ କରିବା ପରେ) ବିସିସିଆଇର କାର୍ଯଭାର ଗ୍ରହଣ କରିବା ପରେ ମନୋହର ଜାଣିଥିଲେ ଯେ ସେ ଆଉ କୌଣସି ପରିସ୍ଥିତିରେ ଭାରତର ପ୍ରତିନିଧିତ୍ବ କରିପାରିବେନାହିଁ। ସେହିଭଳି ଏହାକୁ ନିଜ ସ୍ବାର୍ଥ ପୂରଣର ଅସ୍ତ୍ର ଭାବେ ବି ବ୍ୟବହାର କରି ପାରିବେ ନାହିଁ। ସେ ଭଲ ଭାବରେ ଜାଣିଥି‌ଲେ ତାଙ୍କ ପାଖରେ ଆଉ କୌଣସି ସୁଯୋଗ ନାହିଁ। ସେଥିପାଇଁ ରଣଭୂମି ଛାଡ଼ି ଚାଲିଗଲେ। ମୋ ବ୍ୟକ୍ତିଗତ ମତ ହେଲା ମନୋହର ଭାରତୀୟ କ୍ରିକେଟ୍‌ର ଏତେ କ୍ଷତି ଘଟାଇଛନ୍ତି ଯେ ଆଇସିସିରୁ ସେ ବିଦାୟ ନେବା ଭାରତୀୟ କ୍ରିକେଟ୍ ସହ ସଂପୃକ୍ତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନନ୍ଦିତ କରିଛି। ମନୋହର ଆର୍ଥିକ ଓ ପ୍ରଶାସନିକ କ୍ଷେତ୍ରରେ ଭାରତର ପ୍ରଭୂତ କ୍ଷତି ଘଟାଇଛନ୍ତି। ସେ ଭାରତ ବିରୋଧୀ। ତାଙ୍କ ପାଇଁ ବିଶ୍ବ କ୍ରିକେଟ୍‌ରେ ଭାରତର ମହତ୍ବ କମିଛି।

ସୂଚନାଯୋଗ୍ୟ ଯେ ନାଗପୁର ଭିତ୍ତିକ ଆଇନଜୀବୀ ମନୋହରଙ୍କ କାର୍ଯ୍ୟକାଳ ସମୟରେ ହିଁ ଆଇସିସି ରାଜସ୍ବରେ ବିସିସିଆଇର ଭାଗ ଯଥେଷ୍ଟ ହ୍ରାସ ପାଇଛି। ଆ‌ଇସିସି ଅଧ୍ୟକ୍ଷ ଭାବେ ସେ ଏମିତି ଅନେକ ପ୍ରଶାସନିକ ପରିବର୍ତ୍ତନ ଆଣିଥିଲେ ଯାହା ବିସିସିଆଇର ସ୍ବାର୍ଥରେ ହାନୀ ପହଞ୍ଚାଇଥିଲା। ମନୋହର ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୫ , ୨୦୦୮ରୁ ୧୯ ସେପ୍ଟେମ୍ବର ୨୦୧୧ ପର୍ଯ୍ୟନ୍ତ ବିସିସିଆଇର ସଭାପତି ଦାୟିତ୍ବ ତୁଲାଇଥିଲେ। ଏହା ପରେ ଜଗମୋହନ ଡାଲମିଆଙ୍କ ଅକାଳ ବିୟୋଗ ପରେ ପୁନର୍ବାର ୪ ଅକ୍ଟୋବର ୨୦୧୫ରୁ ୧୦ ମେ ୨୦୧୬ ପର୍ଯ୍ୟନ୍ତ ଦ୍ବିତୀୟ ଥର ପାଇଁ ଏହି ପଦକୁ ଫେରିଥିଲେ। ତେବେ ବିସିସିଆଇ ୨୦୧୩ର ସ୍ପଟ୍ ଫିକ୍ସିଂ ବିବାଦ ସହ ନୂଆ ସମ୍ବିଧାନ, ଲୋଧା ସମିତି ସୁପାରିସ ଭଳି ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲା ବେଳେ ହଠାତ୍ ନିଜ ପଦରୁ ଇସ୍ତଫା ଦେଇ ଆଇସିସି ଅଧ୍ୟକ୍ଷ ହେବାକୁ ଚାଲି ଯାଇଥିଲେ। ଆ‌ଇସିସି ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ଆର୍ଥିକ, ପରିଚାଳନା ତଥା ଅନ୍ୟାନ୍ୟ ମାମଲା‌ରେ ବିସିସିଆଇକୁ ଅଡ଼ୁଆରେ ପକାଇଥିଲେ। ତାଙ୍କ କାର୍ଯ୍ୟକାଳ ବେଳେ ହିଁ ଆଇସିସି-ବିସିସିଆଇ ସଂପର୍କ ତିକ୍ତତର ହୋଇଥିଲା। ଶ୍ରୀନିବାସନଙ୍କ ଭଳି ବିସିସିଆଇର ପୂର୍ବତନ ସଂପାଦକ ନିରଞ୍ଜନ ଶାହ ମଧ୍ୟ ମନୋହରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମନୋହର ଭାରତୀୟ କ୍ରିକେଟ୍‌ର କି କ୍ଷିତ କରିଛନ୍ତି, ବ୍ୟକ୍ତିଗତ ଭାବେ ତା’ର ଆକଳନ କରନ୍ତୁ। ‘‘ ଗତ କିଛି ବର୍ଷ ହେବ ବିସିସିଆଇ ଅନେକ ସମସ୍ୟା ଦେଇ ଗତି କରିଆସୁଛି। ଏହାର ସୁଯୋଗ ‌ନେଇ ଆଇସିସି ଭାରତୀୟ କ୍ରିକେଟ୍ ଓ ବିସିସିଆଇର ଅଦ୍ଭୂତପୂର୍ବ କ୍ଷତି ଘଟାଇବାକୁ କୌଣସି ସୁଯୋଗ ହାତଛଡ଼ା କରିନି। ତେବେ ମୋର ପୂର୍ଣ୍ଣ ବିଶ୍ବାସ ରହିଛି ଯେ ଏବେକାର ଶକ୍ତିଶାଳୀ ଓ ଦକ୍ଷ ନେତୃତ୍ବ ବିସିସିଆଇର ସେହି ପୁରୁଣା ସମ୍ମାନ ଫେରାଇ ଆଣିପାରିବେ’’ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର