ବ୍ରହ୍ମପୁର: ଉଦୀୟମାନ ଭାରୋତ୍ତୋଳକ ମନୋଜ କୁମାର ସାହୁ ମାସେ ହେଲା ଘରେ ବସିଛନ୍ତି। ମନୋଜଙ୍କ ଘର ବ୍ରହ୍ମପୁର ଜଉରା ସାହିରେ। ତାଙ୍କ ବାପା ସୂର୍ଯ୍ୟନାରାୟଣ ସାହୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଜଣେ ବସ୍ ଚାଳକ ଭାବେ କାର୍ଯ୍ୟରତ। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ବେଳେ ମେନାଜ ଭୁବନେଶ୍ବର ସ୍ଥିତ ହାଇପରଫର୍ମାନ୍ସ ସେଣ୍ଟରରେ ପ୍ରାୟ ବର୍ଷେ ହେଲା ରହି ଭାରୋତ୍ତୋଳନ ତାଲିମ୍ ନେଉଥିଲେ। ସେ ଗତ କ୍ରୀଡ଼ାବର୍ଷରେ ତିନିଟି ଭିନ୍ନିଭିନ୍ନ ଜାତୀୟସ୍ତରର ପ୍ରତିଯୋଗିତାରେ ଗୋଟିଏ ଲେଖାଏଁ ମୋଟ ତିନିଟି ପଦକ ହାସଲ କରିଥିଲେ। ଗତ ଫେବ୍ରୁଆରି ୨୭ରେ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରଥମ ଅନ୍ତଃବିଶ୍ବବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରତିନିଧିତ୍ବ କରି ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତମାସ ୧୫ତାରିଖରୁ ହାଇପର୍ଫର୍ମାନ୍ସ ସେଣ୍ଟର୍ ବନ୍ଦ ହୋଇଯାଇଛି। ସେହିଦିନୁ ଘରକୁ ଫେରି ଆସିଛନ୍ତି।
ହାଇପର୍ଫର୍ମାନ୍ସ ସେଣ୍ଟର୍ରେ ଥିବାବେଳେ ବ୍ୟାୟାମ ପାଇଁ ଅତ୍ୟାଧୁନିକ ଜିମ୍ ସୁବିଧା ସହ କ୍ରୀଡ଼ା ଅଭ୍ୟାସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲା। କିନ୍ତୁ ଏବେ ଘରେ ଅଭ୍ୟାସ ପାଇଁ କୌଣସି ସରଞ୍ଜାମ ନାହିଁ। ଅନ୍ୟପଟେ କଟକଣା ଯୋଗୁଁ ପଡ଼ିଆକୁ ଯାଇ ଆବଶ୍ୟକ ଦୌଡ଼କୁଦ ସହ ବ୍ୟାୟାମ କରିପାରୁନାହାନ୍ତି। ତେବେ ନିଜକୁ ଫିଟ୍ ରଖିବା ପାଇଁ ସେ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ଛାତ ଉପରେ ନିୟମିତ ସକାଳେ ସନ୍ଧ୍ୟାରେ ବ୍ୟାୟାମ କରୁଛନ୍ତି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ବାପା ଘରେ ରହୁଛନ୍ତି। ତେଣୁ ବାପା, ମା ଓ ବଡ଼ଭଉଣୀଙ୍କ ସହ ପୁରା ପରିବାର ସହ ସମୟ ବିତାଉଛନ୍ତି। ଏଥିସହ ସ୍ନାତକ ଡିଗ୍ରୀ ହାସଲ ପାଇଁ ପାଠପଢ଼ାକୁ ଗୁରୁତ୍ବ ଦେଉଛନ୍ତି। ତେବେ କଟକଣା କୋହଳ ହେବାପରେ ହାଇପରଫର୍ମାନ୍ସ ସେଣ୍ଟରକୁ ଫେରି ପୁନଃ ଅଭ୍ୟାସ ଜାରି ରଖିବା ସହ ଅନ୍ତର୍ଜାତୀୟ ପଦକ ହାସଲ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/f8h7sf987hs8f97h8s9fh7sfhsfhsfhshsfhhsshffhsh.jpg)