ଧନରାଜଙ୍କ ପ୍ରେରଣାଦାୟୀ ଶବ୍ଦକୁ ମନେ ପକାଇଲେ ମନ୍‌ପ୍ରୀତ୍‌ ‘‘ଆତ୍ମବିଶ୍ବାସ ଥିଲେ କୌଣସି ବି ଦଳକୁ ପରାସ୍ତ କରିପାରିବ’’

ନୂଆଦିଲ୍ଲୀ: କିଂବଦନ୍ତି ହକି ତାରକା ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେଙ୍କ ପ୍ରେରଣାଦାୟକ ଶବ୍ଦକୁ ମନେ ପକାଇଛନ୍ତି ଏବର ଅଧିନାୟକ ମନ୍‌ପ୍ରୀତ୍‌ ସିଂହ। ଧନରାଜଙ୍କ ସେହି ପ୍ରେରଣାଦାୟକ ଶବ୍ଦ ମଧ୍ୟ ଯେକୌଣସି ମ୍ୟାଚ୍‌ ପୂର୍ବରୁ ତାଙ୍କୁ ପ୍ରେରିତ କରିଥାଏ ବୋଲି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ କହିଛନ୍ତି। ଟ୍ବିଟରରେ ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମରେ ପିଲ୍ଲେ ତାଙ୍କୁ କ’ଣ ଶିଖାଇଥିଲେ ବା ପ୍ରେରଣା ଦେଇଥିଲେ ତାକୁ ସାଧାରଣରେ ବାଣ୍ଟିବା ପାଇଁ ମନ୍‌ପ୍ରୀତ୍‌ଙ୍କୁ କୁହାଯାଇଥିଲା। ଏହାର ଉତ୍ତରରେ ମନ୍‌ପ୍ରୀତ୍‌ କହିଥିଲେ, ପିଲ୍ଲେଙ୍କ ସେହିସବୁ ଶବ୍ଦ ଆମେ ସବୁବେ‌ଳ ପାଇଁ ମନେ ରଖିଥିବୁ। ପିଲ୍ଲେ କହିଥିଲେ, ”ତୁମର ଯଦି ନିଜ ଉପରେ ବିଶ୍ବାସ ଅଛି, ତାହାଲେ ତୁ‌ମେ ଯେକୌଣସି ଦଳକୁ ବି ପରାସ୍ତ କରିବାକୁ ସମର୍ଥ ହେବ”। ଆଉ ତାହା ହିଁ ଆମକୁ କୌଣସି ମ୍ୟାଚ୍‌ ପୂର୍ବରୁ ପ୍ରେରିତ କରିଥାଏ ବୋଲି ମନ୍‌ପ୍ରୀତ୍‌ କହିଛନ୍ତି। ଟ୍ବିଟରରେ ଏହି ପ୍ରଶ୍ନୋତ୍ତର ସେସନ୍‌ ବେଳେ ୧୯୭୫ ବିଶ୍ବବିଜେତା ଦଳରୁ ତୁମର ସବୁଠୁ ପସନ୍ଦର ଖେଳାଳି କିଏ ବୋଲି ମନ୍‌ପ୍ରୀତ୍‌ଙ୍କୁ ପଚାରାଯାଇଥିଲା। ଆଉ ମନ୍‌ପ୍ରୀତ୍‌ ହିଁ ତତ୍‌କାଳୀନ ଅଧିନାୟକ ଅଜିତ୍‌ପାଲ ସିଂହଙ୍କ ନାମ କହିଥିଲେ। ଏଠାରେ ସୂଚନାଯୋଗ୍ୟ, ଭାରତ ମାତ୍ର ଥରକ ପାଇଁ ହିଁ ବିଶ୍ବକପ୍‌ ଜିତିବାର ଗୌରବ ପାଇଥିଲା।

ଅଲିମ୍ପିକ୍ସ ସ୍ଥଗିତ ଉପରେ ମନ୍‌ପ୍ରୀତ୍‌ଙ୍କ ପ୍ରତିକ୍ରିୟା ହେଲା, ଆମେ ସକାରାତ୍ମକ ରହିଛୁ, ପ୍ରେରଣା ପାଉଛୁ ଓ କାର୍ଯ୍ୟକାରୀ କରିବାକୁ ପ୍ରୟାସ ମଧ୍ୟ କରୁଛୁ। ଅଧିକ ସମୟ ମିଳିଯାଇଥିବାରୁ ଆମ ଅଭ୍ୟାସ ଓ ପ୍ରସ୍ତୁତିରେ କୌଣସି ବାଧା ଉପୁଜିବ ନାହିଁ। ବରଂ ଆସନ୍ତାବର୍ଷ ପାଇଁ ପ୍ରସ୍ତୁତି ଖୁବ୍‌ ଭଲ ହେବ ବୋଲି ମନ୍‌ପ୍ରୀତ୍‌ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଧନରାଜ ଏପର୍ଯ୍ୟନ୍ତ ଭାରତ ଉତ୍ପାଦନ କରିଥିବା ଶ୍ରେଷ୍ଠ ହକି ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଭାବେ ଗଣାଯାଆନ୍ତି। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ୪ ଅଲିମ୍ପିକ୍ସ (୧୯୯୨, ୧୯୯୬, ୨୦୦୦ ଓ ୨୦୦୪), ୪ ବିଶ୍ବକପ୍‌ (୧୯୯୦, ୧୯୯୪, ୧୯୯୮ ଓ ୨୦୦୨), ୪ ଚାମ୍ପିଅନ୍‌ସ ଟ୍ରଫି (୧୯୯୫, ୧୯୯୬, ୨୦୦୨ ଓ ୨୦୦୩) ଏବଂ ୪ ଏସୀୟ କ୍ରୀଡ଼ା (୧୯୯୦, ୧୯୯୪, ୧୯୯୮ ଓ ୨୦୦୨) ଖେଳିବାର କୀର୍ତ୍ତିମାନ ରଚିଛନ୍ତି।‌ ସେମଧ୍ୟରୁ ଭାରତ ତାଙ୍କ ନେତୃତ୍ବରେ ୧୯୯୮ ଏସୀୟ କ୍ରୀଡ଼‌ା ଓ ୨୦୦୩ ଏସିଆ କପ୍‌ ବିଜେତା ହୋଇଥିଲା। ସେ ମଧ୍ୟ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ସର୍ବାଧିକ ଗୋଲ୍‌ ସ୍କୋରର୍‌ ଥିଲା ବେଳେ ଏକମାତ୍ର ଭାରତୀୟ ଖେଳାଳି ଭାବେ ୧୯୯୪ ସିଡ୍‌ନି ବିଶ୍ବକପ୍‌ ବେଳେ ବିଶ୍ବ ଏକାଦଶ ଦଳର ସଦସ୍ୟ ରହିଥିଲେ।

ସମ୍ବନ୍ଧିତ ଖବର