ଅର୍ଜୁନ ପାଇଁ ଆନନ୍ଦିତ:ସାଥୀ ଖେଳାଳିଙ୍କର ଯଥେଷ୍ଟ ଅବଦାନ ରହିଛି:ମନପ୍ରୀତ

ଭୁବନେଶ୍ୱର: କନିଷ୍ଠ ଦଳର ନେତୃତ୍ୱ ନେବା ସହ ବରିଷ୍ଠସ୍ତରରେ ମଧ୍ୟ ମନପ୍ରୀତ ସିଂହ ଭାରତୀୟ ହକି ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି। ଦୁଇଟି ଚାମ୍ପିଅନ୍ସ ଟ୍ରଫି ରୌପ୍ୟ, ରାଜ୍ୟଗୋଷ୍ଠୀ ରୌପ୍ୟ, ଏସିଆଡ୍‌ ସ୍ୱର୍ଣ୍ଣ ସହ କାଂସ୍ୟ ଏବଂ ଏସିଆ କପ୍‌ରେ ସ୍ୱର୍ଣ୍ଣ ତଥା କାଂସ୍ୟ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ରହିଛନ୍ତି ସେ। ୨୬ ବର୍ଷୀୟ ମନପ୍ରୀତ ଭୁବନେଶ୍ୱର ହକି ବିଶ୍ୱକପ୍‌ ଖେଳିବାର ମଧ୍ୟ ଶତପ୍ରତିଶତ ସମ୍ଭାବନା ରହିଛି। ମନପ୍ରୀତ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦେଶର ୨୦ ଜଣ ବଛାବଛା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ଏକମାତ୍ର ହକି ଖେଳାଳି ଭାବେ ସେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଭାରତୀୟ ହକି ଦଳର ଦକ୍ଷ ହାଫ୍‌ବ୍ୟାକ୍‌ ମନପ୍ରୀତ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ହକି ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ଅବସରରେ ସମ୍ବାଦକୁ ଦେଇଛନ୍ତି ସାକ୍ଷାତକାର।
ସମ୍ବାଦ: ଅର୍ଜୁନ ପୁରସ୍କାର ପାଇବେ ବୋଲି ଆଶା ଥିଲା କି?
ମନପ୍ରୀତ: ମୁଁ ଜଣେ ଖେଳାଳି। ମୋ କାମ ହେଲା ଖେଳିବା। ପଡ଼ିଆର ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବା। ଭଲ ଖେଳିଲେ ପୁରସ୍କାର ଆପେଆପେ ଆସିବ। ତଥାପି ଅର୍ଜୁନ ପୁରସ୍କାର ପାଇ ମୁଁ ବେଶ୍‌ ଆନନ୍ଦିତ ଓ ଗର୍ବିତ। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ମୋ ଏକାଗ୍ରତା, କଠିନ ପରିଶ୍ରମ ସହ ସାଥୀ ଖେଳାଳିଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଛି। ହକି ଏକ ଦଳଗତ ଖେଳ। ଆପଣ ଏକା କିଛି କରି ପାରିବେ ନାହିଁ। ସାଥୀ ଖେଳାଳିଙ୍କ ସହଯୋଗ ଓ ସମର୍ଥନ ପାଇଁ ହିଁ ମୁଁ ଆଜି ଏହି ସ୍ତରରେ ପହଞ୍ଚି ପାରିଛି।
ସମ୍ବାଦ: ସାଂପ୍ରତିକ ପରିସ୍ଥିତିରେ ଦ୍ରୁତ ହକି ଖେଳିବାର କେତେ ମହତ୍ୱ ରହିଛି?
ମନପ୍ରୀତ: ହକି ଏବେ ବହୁତ ଫାଷ୍ଟ ହୋଇଗଲାଣି। ରକ୍ଷଣଭାଗ ଖେଳାଳି ଭାବେ ଆମ କାମ ହେଲା ବଲ୍‌ ଅଗ୍ରଭାଗ ଖେଳାଳିଙ୍କ ନିକଟରେ ପହଞ୍ଚାଇବା। ଆମେ ସେମାନଙ୍କୁ ଯେତେ ବଲ୍‌ ଦେବୁ ସେମାନେ ସେତେ ଗୋଲ୍‌ କରିବାକୁ ସକ୍ଷମ ହେବେ। ଏଣୁ ବ୍ୟକ୍ତିିଗତ ଭାବେ ବଲ୍‌କୁ ନିୟନ୍ତ୍ରଣରେ ରଖିବା ଏବଂ ଏହାକୁ ସାଥୀ ଖେଳାଳିଙ୍କ ପାଖକୁ ପାସ୍‌ ଦେବା ଉପରେ ମୁଁ ଅଧିକ ଗୁରୁତ୍ୱ ଦେଇଥାଏ।
ସମ୍ବାଦ: ସର୍ଦାର ସିଂହ ଅବସର ନେବାର ପ୍ରଭାବ ଭାରତୀୟ ହକି ଦଳ ଉପରେ ପଡ଼ିବ କି?
ମନପ୍ରୀତ: ମୁଁ ପୁଣି ଥରେ କହିବି, ହକି ଏକ ଦଳଗତ ଖେଳ। ଏଥିରେ ଜଣକ ଉପରେ ସବୁକିଛି ନିର୍ଭରଶୀଳ ନଥାଏ। ଆଟାକିଂରେ ଏବେ ସିମରନ୍‌ଜିତ୍‌ ଏବଂ ଆକାଶଦୀପଙ୍କ ଭଳି ଖେଳାଳି ଅଛନ୍ତି। ଦଳଗତ ଭାବେ ଆମେ ତାଙ୍କ ଅଭାବକୁ ପୂରଣ କରିପାରିବୁ ବୋଲି ଭାବୁଛି।
ସମ୍ବାଦ: ଏସିଆଡ୍‌ ଦୁଃଖ ମନରୁ ଦୂର ହେଲାଣି, ନା ଏବେବି ଅଛି?
ମନପ୍ରୀତ: ଦେଖନ୍ତୁ ଆମ ଦଳ ଏକ ଖରାପ ଦଳ ବୋଲି ମୁଁ ଆଦୌ ଭାବୁନାହିଁ। ଅନେକ ସମୟରେ ଆମେ ଭଲ ହକି ଖେଳିଛୁ। ଏକଥା ବି ସତ ଯେ ଏସିଆଡ୍‌ରେ କରିଥିବା ଭୁଲରୁ ଆମେ ଉଚିତ ଶିକ୍ଷା ଲାଭ କରିଛୁ। ଆଗକୁ ଆସୁଥିବା ପ୍ରତିଯୋଗିତାଗୁଡ଼ିକରେ ସେହି ଭୁଲକୁ ଆଉ ଦୋହରାଇବୁ ନାହିଁ।
ସମ୍ବାଦ: ଭାରତୀୟ ହକି ଦଳର ଶେଷ ମିନିଟ୍‌ ଗୋଲ୍‌ ବରଣ କରିବା ଅଭ୍ୟାସ କେବେ ବଦଳିବ?
ମନପ୍ରୀତ: ଗୋଲ୍‌ ବରଣ କରିବାର ଭୁଲ ପାଇଁ କୌଣସି ଜଣେ ଖେଳାଳିଙ୍କୁ ଦାୟୀ କରାଯାଇପାରିବ ନାହିଁ। ହେଲେ ଏକଥା ବି ସତ ଯେ ଶେଷ ଆଡ଼କୁ ଆମ ଭିତରେ ଯୋଗାଯୋଗର ଅଭାବ ରହି ଯାଉଛି। ଆମେ ଏକାଗ୍ରତା ହରାଇ ବସୁଛୁ। ଏସିଆଡ୍‌ର ସେମିଫାଇନାଲ୍‌ ପରାଜୟ ପରେ ଆମେ ଏହି ବିଷୟରେ ବହୁତ ଭାବିଛୁ। ଆଗକୁ ଏହି ଭୁଲ କରିବୁ ନାହିଁ ବୋଲି ବିଶ୍ୱାସ ରଖିଛୁ।

ସମ୍ବନ୍ଧିତ ଖବର