ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ଆଉ ଏକ ଐତିହାସିକ ସଫଳତା ମିଳିଥିଲା। ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଥିଲେ ମନୁ ଭ‌ାକର। ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ ମନୁ ଭାକର ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ କାଂସ୍ୟ ପଦକ ଜିତି ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଥିଲେ। ତା’ ସହିତ ସୁଟିଂରୁ ପଦକ ଜିତିବାରେ ୨୨ ବର୍ଷୀୟା ମନୁ ପ୍ରଥମ ଭାରତୀୟ ମହିଳା ଓ ୧୦ ମିଟର ଏୟାର ପିସ୍ତଲ୍‌ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଥିଲେ। ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକ ମିଳିଥିବ‌ା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି।

Advertisment

ଏବେ ସେ ଭାରତ ଫେରିଥିବା ବେଳେ ପ୍ରଥମେ କେଉଁ ବଲିଉଡ ଫିଲ୍ମ ଦେଖିଥିଲେ ତାହା ଜଣାପଡ଼ିଛି। ଫିଲ୍ମଟି ତାଙ୍କୁ ଏତେ ପସନ୍ଦ ଆସିଲା ଯେ, ସେ ଫିଲ୍ମରେ ଥିବା ଅଭିନେତାଙ୍କୁ ପଦକ ମିଳିବା ଦରକାର ବୋଲି କହିଛନ୍ତି। ମନୁ ତାଙ୍କ ଇନଷ୍ଟା‌ ଷ୍ଟୋରୀରେ ଯେଉଁ ଫିଲ୍ମର ପ୍ରଶଂସା କରିଛନ୍ତି, ତାହା ହେଉଛି କାର୍ତ୍ତିକ ଆରୟନଙ୍କ ଅଭିନୀତ ଫିଲ୍ମ 'ଚନ୍ଦୁ ଚାମ୍ପିୟନ'। ଫିଲ୍ମ ଦେଖୁଥିବା ସମୟର ଫଟୋ ସେୟାର କରି ମନୁ ଲେଖିଛନ୍ତି, "ଶେଷରେ ଅଲିମ୍ପିକ୍ସ ସମାପ୍ତ ହେଲା ଏବଂ ମୁଁ ଘରେ ପହଞ୍ଚିବା ମାତ୍ରେ ଚନ୍ଦୁ ଚାମ୍ପିଅନ୍ ଦେଖିଲି। ଯେତିକି ଭାବିଥିଲି, ଫିଲ୍ମଟି ତା’ଠାରୁ ଢ଼େର ଗୁଣ ଅଧିକ ଭଲ ଲାଗିଲା। ସଂଘର୍ଷ କର, ବିଫଳ ହୁଅ; କିନ୍ତୁ କେବେ ହାର ମାନ ନାହିଁ। ଏହି ଭୂମିକାରେ ଏତେ ସୁନ୍ଦର ଭାବରେ ଅଭିନୟ କରିଥିବାରୁ କାର୍ତ୍ତିକ ଆରୟନଙ୍କୁ ସଲାମ। ମୁଁ ନିଜେ ଜଣେ ଆଥଲେଟ୍। ମୁଁ ଜାଣେ ଏହା ସହଜ ନୁହେଁ। ବିଶେଷକରି ପ୍ରସ୍ତୁତି କରିବା ସମୟ। ଏଥିପାଇଁ ତୁମେ ପଦକ ପାଇବା ଉଚିତ୍ କାର୍ତ୍ତିକ।"