ମନୁ-ସୌରଭଙ୍କ ବିଶ୍ବ କୀର୍ତିମାନ

ଏସୀୟ ଚାମ୍ପିଅନ୍‌ସିପ୍‌ରେ ଜିତିଲେ ମିଶ୍ରିତ ଦଳଗତ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ଯୁବ ବନ୍ଧୁକଚାଳକ ମନୁ ଭାକେର୍‌ ଓ ‌ସୌରଭ ଚୌଧୁରୀ ତାଇପେର ତାଓୱାନ୍‌ରେ ଚାଲିଥିବା ଏସୀୟ ଏୟାରଗନ୍‌ ଚାମ୍ପିଅନ୍‌ସିପ୍‌ର ଦ୍ବାଦଶ ସଂସ୍କରଣରେ ବିଶ୍ବ କୀର୍ତିମାନ ରଚିଛନ୍ତି। ବୁଧବାର ଏହି ଭାରତୀୟ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ବର୍ଗ ଯୋଗ୍ୟତାପର୍ଯ୍ୟାୟରେ ବିଶ୍ବ କୀର୍ତିମାନ ସହ ମିଶ୍ରିତ ଦଳଗତ ସ୍ବର୍ଣ୍ଣ ପଦକ ମଧ୍ୟ କରାୟତ କରିଛନ୍ତି। ଠିକ୍‌ ଗୋଟିଏ ମାସ ପୂର୍ବରୁ ଦିଲ୍ଲୀରେ ଆୟୋଜିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ସମାନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୭ ବର୍ଷ ବୟସ୍କ ମନୁ ଓ ୧୬ ବର୍ଷ ବୟସ୍କ ସୌରଭ ତାଇପେ ଏସୀୟ ଚାମ୍ପିଅନ୍‌ସିପ୍‌ ଯୋଗ୍ୟତାପର୍ଯ୍ୟାୟରେ ବୁଧବାର ୭୮୪ ସ୍କୋର୍‌ କରି ୫ ଦିନ ପୂର୍ବରୁ ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ରେ ରୁଷୀୟ ଯୋଡ଼ି ଭିଟାଲିନା ବତ୍‌ସରସ୍କିନା ଓ ଆର୍ତେମ୍‌ ଚେନୌସଭ୍‌ କରିଥିବା ବିଶ୍ବ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ। ଏହାପରେ ଭାରତୀୟ ଯୋଡ଼ି ୫ ଦଳୀୟ ଫାଇନାଲ୍‌ରେ ୪୮୪.୮ ସ୍କୋର୍‌ ସହ ସ୍ବର୍ଣ୍ଣ ପଦକ ମଧ୍ୟ ଜିତି ନେଇଥିଲେ। ଏହି ଏସୀୟ ଚାମ୍ପିଅନ୍‌ସିପ୍‌ରେ ମନୁ-ସୌରଭଙ୍କ ପଛରେ ରହି କୋରିଆ ଯୋଡ଼ି ହ୍ବାଙ୍ଗ୍‌ ସିଓନ୍‌ଗଉନ୍‌-କିମ୍‌ ମୋସେ (୪୮୧.୧) ରୌପ୍ୟ ଏବଂ ଉ ଚିଆ ୟିଙ୍ଗ୍‌-କୋ କୁଆନ୍‌ ଟିଙ୍ଗ୍‌ (୪୧୩.୩) କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟତମ ଭାରତୀୟ ଯୋଡ଼ି ଅନୁରାଧା ଓ ଅଭିଷେକ ବର୍ମା (୩୭୨.୧) ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର