ନୂଆଦିଲ୍ଲୀ: ମନୁ ଭାକରଙ୍କ ମା’ ସୁମେଧା ଭାକର ଜାଭ୍‌ଲିନ୍‌ ତାରକା ନୀରଜ ଚୋପ୍ରାଙ୍କ ସହ ଭେଟ ହେବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲ। ଏହାକୁ ନେଇ ଉଭୟଙ୍କ ପ୍ରଶଂସକ ଉଲ୍ଲସିତ ହୋଇଯାଇଥିଲେ। ମନୁ ଓ ନୀରଜ ବିବାହ ବନ୍ଧ‌ନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚାକୁ ଆଗକୁ ବଢ଼ାଇଥିଲେ। ତେବେ ଏହି ପ୍ୟାରିସ୍‌ ଅଲିମ୍ପିକ୍ସ ଦୁଇ କାଂସ୍ୟ ବିଜୟିନୀଙ୍କ ପିତା ରାମ କିଶନ ସୋମବାର ଏହାକୁ ଖଣ୍ଡନ କରିଛନ୍ତି। ‌ସେ କହିଛନ୍ତି ଯେ ‘‘ମନୁ ଏବେ ଯୁବା ଅବସ୍ଥାରେ ପାଦ ‌ଦେଇଛନ୍ତି। ତାଙ୍କ ବିବାହ ବୟସ ହୋଇନି। ତେଣୁ ଏବେ ଏହି ବିଷୟ‌ରେ ଚିନ୍ତା କରିନୁ। ନୀରଜଙ୍କୁ ମନୁଙ୍କ ମା’ ପୁଅ ପରି ଦେଖନ୍ତି’’। ସାମାଜିକ ଗଣମାଧ୍ୟମରେ ଏହି ଚର୍ଚ୍ଚା ଉପରେ ନୀରଜଙ୍କ ଦାଦା କହିଛନ୍ତି ଯେ ‘‘ଏବେ ନୀରଜ ପଦକ ଜିତିଛନ୍ତି, ସାରା ଦେଶ ଏହା ବିଷୟରେ ଜାଣିବାକୁ ଚାହାନ୍ତି। ଯେବେ ସେ ବିବାହ କରିବେ ସମସ୍ତେ ଜାଣିବେ’’। ଉଭୟ ହରିୟାଣାର ହୋଇଥିଲା ‌ବେଳେ ମନୁ ପ୍ୟାରିସ୍‌ ଅଲିମ୍ପିକ୍ସରେ ଦୁଇଟି କାଂସ୍ୟ ଜିତିଛନ୍ତି ଏବଂ ନୀରଜ ‌ଜାଭ୍‌ଲିନରେ ରୌପ୍ୟ ପାଇଛନ୍ତି।

Advertisment

୩ ମାସ ବିରତି ନେବେ
ପ୍ୟାରିସ୍‌ ଅଲିମ୍ପିକ୍ ଯୁଗଳ ପଦକ ବିଜୟିନୀ ମନୁ ଭାକର ୩ ମାସ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ‌ଏପରିକି ସେ ଚଳିତ ବର୍ଷ ଅକ୍ଟୋବରରେ ନୂଆଦିଲ୍ଲୀରେ ହେବାକୁ ଥିବା ବିଶ୍ବକପ୍‌ରେ ମଧ୍ୟ ଭାଗ ନେଇ ନପାରନ୍ତି ବୋଲି ମନୁଙ୍କ ପ୍ରଶିକ୍ଷକ ଯଶପାଲ ରଣା କହିଛନ୍ତି। ୨୨ ବର୍ଷୀୟା ମନୁ ଦୁଇଟି କାଂସ୍ୟ ପଦକ, ମହିଳା ୧୦ ମିଟର ଏୟାର ପିସ୍ତଲ ଏବଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟ୍‌ରେ ଜିତି ଅଲିମ୍ପିକ୍ସରେ ଭାରତ ଲାଗି ଇତିହାସ ରଚିଥିଲେ। ମିଶ୍ରିତ ଇଭେଣ୍ଟ୍‌ରେ ସେ ସରବଜୋତ ସିଂହଙ୍କୁ ସାଥୀ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ‘‘ମୁଁ ନିଶ୍ଚିତ ନୁହେଁ ଯେ ‌ଅକ୍ଟୋବରରେ ହେବାକୁ ଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ମନୁ ଖେଳିବେ କି ନାହିଁ। କିନ୍ତୁ ସେ ୩ ମାସ ବିରତି ନେବାକୁ କହିଛନ୍ତି। ଏହା ସାଧାରଣ ବିରତି। ବହୁଦିନ ହେଲା ଅଭ୍ୟାସ କରିଥିବାରୁ ଏହାର ଆବଶ୍ୟକତା ରହିଛି’’ ବୋଲି ଯଶପାଲ କହିଛନ୍ତି। ବନ୍ଧୁକଚାଳନା ବିଶ୍ବକପ୍‌ ନୂଆଦିଲ୍ଲୀରେ ଅକ୍ଟୋବର ୧୩ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।