ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ପରାସ୍ତ କରି ପ୍ରଥମ ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ରଚିଥିଲା। ଏହି ଐତିହାସିକ ସଫଳତା ପରେ ICC ଚାମ୍ପିଅନ୍ ଦଳକୁ ୪୦ କୋଟି ପୁରସ୍କାର ରାଶି ଦେଇଥିବା ବେଳେ BCCI ଦଳ ଏବଂ କର୍ମଚାରୀଙ୍କ ପାଇଁ ୫୧କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଏହା ସହ ଅନେକ ରାଜ୍ୟ ସରକାର ସେମାନଙ୍କ ରାଜ୍ୟର ଖେଳାଳିଙ୍କ ପାଇଁ ନଗଦ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ, ଷ୍ଟାର କ୍ରିକେଟର ସୁନୀଲ ଗାଭାସ୍କର ମହିଳା ଖେଳାଳିମାନଙ୍କୁ ଏକ ଚେତାବନୀ ଦେଇଛନ୍ତି। 

Advertisment

ପ୍ରତିଶ୍ରୁତି ଦେବେ, ପୂରଣ କରିବେ ନାହିଁ: ସୁନୀଲ

ମିଡ୍-ଡେରେ ପ୍ରକାଶିତ ତାଙ୍କ ସ୍ତମ୍ଭରେ ସୁନୀଲ ଗାଭାସ୍କର ଲେଖିଛନ୍ତି, "ଖେଳାଳିମାନଙ୍କ ପାଇଁ ଏକ ଚେତାବନୀ। ଯଦି ଆପଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ ନାହିଁ ତେବେ ନିରାଶ ହେବ ନାହିଁ। ଭାରତରେ, ବିଜ୍ଞାପନଦାତା, ବ୍ରାଣ୍ଡ ଏବଂ ବଡ଼ ବଡ଼ ବ୍ୟକ୍ତିବିଶେଷମାନେ ମାଗଣା ପ୍ରଚାର ପାଇଁ ବିଜେତା ଦଳକୁ ପୁରସ୍କାର ଦେବା ପାଇଁ ଘୋଷଣା କରନ୍ତି। ବିଜୟୀ ଦଳକୁ ଅଭିନନ୍ଦନ ଜଣାଇବା ଅଳରେ ନିଜ ବ୍ରାଣ୍ଡର ବିଜ୍ଞାପନ କରନ୍ତି ବଡ଼ ବଡ଼ କମ୍ପାନି। ଯଦି ତୁମମାନଙ୍କୁ ମିଳିଥିବା ପ୍ରତିଶ୍ରୁତି ପୂରଣ ନହେଉଛି, ତେବେ ଏହାକୁ ନେଇ ନିରାଶ ହେବ ନାହିଁ।" ନିଜ ସହ ଘଟିଥିବା ଘଟଣାକୁ ନେଇ ସୁନୀଲ ଏଭଳି କହିଥିବା ସ୍ପଷ୍ଟ କରିଛନ୍ତି।

୧୯୮୩ରେ ଅଧିକାଂଶ ପ୍ରତିଶ୍ରୁତି ପୂରଣ ହୋଇନଥିଲା: ଗାଭାସ୍କର

ଗାଭାସ୍କର ଆହୁରି ଲେଖିଛନ୍ତି ଯେ, "୧୯୮୩ରେ ବିଶ୍ବକପ ଜିତିଥିବା ଦଳକୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା, ଏବଂ ସେତେବେଳେ ଆମକୁ ନେଇ ସବୁ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ସେ ସମୟରେ ଆମକୁ ଦିଆଯାଇଥିବା କିଛି ପ୍ରତିଶ୍ରୁତିଗୁଡ଼ିକ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଗଣମାଧ୍ୟମକୁ ଦୋଷ ଦିଆଯାଇପାରିବ ନାହିଁ କାରଣ ସେମାନେ ବଡ଼ ବଡ଼ ଘୋଷଣା ଦେଖାଇ ଖୁସି ଥିଲେ। ସେମାନେ ଜାଣି ନ ଥିଲେ ଯେ ସେମାନେ ମଧ୍ୟ ଏହି ନିର୍ଲଜ୍ଜ ଲୋକଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ତେଣୁ ଦେଶକୁ ଗର୍ବିତ କରିଥିବ‌ା ଝିଅମାନେ, ଯଦି ଏହି ନିର୍ଲଜ୍ଜ ଲୋକମାନେ ତୁମର ବିଜୟକୁ ନିଜର ପ୍ରଚାର ପାଇଁ ବ୍ୟବହାର କରନ୍ତି, ତେବେ ଚିନ୍ତା କରିବ ନାହିଁ।"