ମାରାଡୋନାଙ୍କୁ ‘ଟାଟୁ’ ସଲାମୀ, ଶ୍ରଦ୍ଧାଞ୍ଜଳି ସଭାରେ ଯୋଗନଦେବାରୁ ହତ୍ୟା ଧମକ

ବୁଏନସ୍ ଏୟାରସ୍: ହୃଦ୍‌ଘାତରେ ପରଲୋକ ହୋଇଥିବା କିଂବଦନ୍ତି ଫୁଟବଲ୍ ଖେଳାଳି ଡିଏଗୋ ମାରାଡୋନାଙ୍କ ପ୍ରତି ଥିବା ଶାଶ୍ବତ ପ୍ରେମକୁ ଦେଖାଇବା ଲାଗି ଆର୍ଜେଣ୍ଟିନାବାସୀ ‘ଟାଟୁ’ର ସହାୟତା ନେଉଛନ୍ତି। ମାରାଡୋନାଙ୍କ ଫଟୋ ସହ ତାଙ୍କ ଜୀବନର କିଛି ମହତ୍ବପୂର୍ଣ୍ଣ ଘଟଣାକୁ ସେମାନେ ନିଜ ନିଜ ଶରୀରରେ ସ୍ଥାନ ଦେଉଛନ୍ତି। ‘ଟାଟୁ’ କରି ମାରାଡୋନାଙ୍କୁ ଯେ ସେମାନେ ନିଜ ଜୀବନଠାରୁ ଅଧିକ ଭଲ ପାଇଥିଲେ ତାହା ଜଣାଉଛନ୍ତି। ସେଥିପାଇଁ ଆର୍ଜେଣ୍ଟିନାରେ ଏକ ପ୍ରକାର ଟାଟୁ ମାନିଆ ଦେଖାଦେଇଛି। ଶରୀରରେ ଏହି ଟାଟୁ ବା ଚିତାକୁଟେଇବାର ମାତ୍ରା ଓ ସଂଖ୍ୟା ମଧ୍ୟ ଏହି ଲାଟିନ ଆମେରିକୀୟ ଦେଶରେ ପୂର୍ବାପେକ୍ଷା ଢେର ବଢ଼ି ଯାଇଛି।

ମାରାଡୋନାଙ୍କର ଏହିଭଳି ଜଣେ ପାଗଳ ପ୍ରଶଂସକ ହେଉଛନ୍ତି ଗୁଲେର୍ମୋ ରୋଡ୍ରିଗ୍ବେଜ୍। ମାରାଡୋନାଙ୍କ ପାଇଁ ସଂପୂର୍ଣ୍ଣ ଉତ୍ସର୍ଗିକୃତ ଏହି ଭକ୍ତ ଜଣକ ନିଜ ପିଠିରେ ତାଙ୍କର (ମାରାଡୋନାଙ୍କର) ଏକ ବିରାଟ ଟାଟୁ କରିଛନ୍ତି। ପିଜା କ୍ୟାଫେ ଚଳାଉଥିବା ରୋଡ୍ରିଗ୍ବେଜ୍ ମାରାଡୋନାଙ୍କ ଜର୍ସି ନମ୍ବର ୧୦ ଅନୁସାରେ ନିଜ କ୍ୟାଫେରେ ନାଁ ବି ‘ସିମ୍ପ୍ରେ ଅଲ ଟେନ୍’ ରଖିଛନ୍ତି। ବୁଏନସ୍ ଏୟାରସ୍‌ରେ ଥିବା ତାଙ୍କ ଦୋକାନରେ ମଧ୍ୟ ମାରାଡୋନାଙ୍କ ଏକ ବିଶାଳ ଫଟୋ ଶୋଭା ପାଉଛି। ସିନ୍ତିଆ ଭେରୋନିକା ନାମକ ଆଉ ଜଣେ ପ୍ରଶଂସିକା ନିଜ ବାହୁରେ ମାରୋଡୋନାଙ୍କ ଟାଟୁ କରିଛନ୍ତି। ମହାନ ମାରାଡୋନା ଅକାଳରେ ଚାଲିଯିବାର ଦୁଃଖକୁ ସେ ଟାଟୁ ଜରିଆରେ ଦୂର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିନ୍ତିଆ କହିଛନ୍ତି। ଏହି ଟାଟୁ ମାରାଡୋନା ତାଙ୍କ ସହ ଥିବାର ଭାବନା ପ୍ରଦାନ କରୁଛି ବୋଲି ସେ ମଧ୍ୟ ଆବେଗଭରା କଣ୍ଠରେ କହିଛନ୍ତି। ମ୍ୟାକ୍ସିମିଲାନୋ ଫର୍ନାଣ୍ଡୋ ନାମକ ଆଉ ଜଣେ ପ୍ରଶଂସକ ମଧ୍ୟବୟସ୍କ ମାରାଡୋନା ଫଟୋର ଏକ ଟାଟୁ ସହ ସେ ବିଶ୍ବକପ୍ ତୋଳି ଧରିଥିବାର ଟାଟୁ ମଧ୍ୟ କରିଛନ୍ତି। ଗତ ବୁଧବାର ମାରାଡୋନାଙ୍କ ଅକାଳ ବିୟୋଗ ପରେ ହିଁ ସେ ଏହି ଦୁଇଟି ଟାଟୁ କରିଛନ୍ତି। କିଛି ପ୍ରଶଂସକ ମଧ୍ୟ ନିଜ ପ୍ରିୟ ଫୁଟବଲ୍ ଆଦର୍ଶ ମାରାଡୋନାଙ୍କ ନାଁରେ ନିଜ ପିଲାଛୁଆଙ୍କ ନାଁ ରଖୁଛନ୍ତି। ସେହିଭଳି ମାତିଆସ୍ ଡିସ୍କିଓସିଆ ତାମକ ଅନ୍ୟ ଜଣେ ପ୍ରଶଂସକ ନିଜ ପିଠିରେ ବଡ଼ ବଡ଼ ଅକ୍ଷରରେ ମାରାଡୋନାଙ୍କ ଜର୍ସି ନମ୍ବର ୧୦ ଲେଖିଛନ୍ତି। ଟାଟୁ କଲା ବେଳେ ଭୀଷଣ କଷ୍ଟ ଅନୁଭବ ହୋଇଥିଲେ ମଧ୍ୟ ମାରାଡୋନାଙ୍କ ପାଇଁ ସେ କିଛି ବି କରିପାରିବେ ବୋଲି ମାତିଆସ୍ କହିଛନ୍ତି।

ଶ୍ରଦ୍ଧାଞ୍ଜଳି ସଭାରେ ଯୋଗନଦେବାରୁ ହତ୍ୟା ଧମକ
ପ୍ୟାରିସ: ମହାନ ଫୁଟ୍‌ବଲର୍‌ ଡିଏଗୋ ମାରାଡୋନାଙ୍କର ବିଶ୍ବର କୋଣଅନୁକୋଣରେ ପ୍ରଶଂସକ ଅଛନ୍ତି। ଏପରିକି ସେ ଅକାଳରେ ଚାଲିଯିବା ପରେ ଦୁଃଖରେ କିଛି ପ୍ରଶଂସକ ଖାଇବା ପିଇବା ଛାଡ଼ି ଦେଇଛନ୍ତି। ଦିବଗଂତ ମରାଡୋନାଙ୍କୁ କେହି ସାମାନ୍ୟତମ ଅପମାନ ଦେଲେ, ଜୀବନ ନେବାକୁ ପଛାଇବେ ନାହିଁ ବୋଲି ମଧ୍ୟ ସେମାନେ କହୁଛନ୍ତି। ମାରାଡୋନାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିବା ସ୍ପାନିସ୍ ତୃତୀୟ ଡିଭିଜନ୍ ମହିଳା ଫୁଟବଲ୍ କ୍ଲବ୍ ଭାୟାସ୍ ଇଣ୍ଟରରିଆସ୍ ଏଫ୍‌ଏଫ୍ ଦଳର ଖେଳାଳି ପୌଲା ଦାପେନାଙ୍କ ପାଇଁ କିନ୍ତୁ ଏକଥା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅବମାନନା ପାଇଁ ତାଙ୍କୁ ନିୟମିତ ହତ୍ୟା ଧମକ ମିଳୁଥିବା ପୌଲା ଅଭିଯୋଗ କରିଛନ୍ତି। ଏହି ଘଟଣା ଶନିବାରର ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଅବସରରେ ଘଟିଥିଲା। ଭାୟାସ୍ ଇଣ୍ଟରରିଆସ୍ ଏଫ୍‌ଏଫ୍ ଓ ଡେପୋଣଟିଭୋ ଲା’ କରୁନା ବିପକ୍ଷ ଏହି ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କ ସ୍ମୃତିରେ ଦୁଇ ମିନିଟ୍‌ର ନିରବ ପ୍ରାର୍ଥନା ଆୟୋଜନ କରାଯାଇଥିଲା। ଏଥିରେ ପୌଲାଙ୍କୁ ଛାଡ଼ି ଦୁଇ ଦଳର ଅନ୍ୟ ସମସ୍ତ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ମାରାଡୋନା ପ୍ରଶଂସକମାନେ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ତାଙ୍କ ସହ ତାଙ୍କ ଦଳୀୟ ଖେଳାଳିଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ। ଏହି ବିଷୟ ପୌଲା ତୁରନ୍ତ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ମାରାଡୋନାଙ୍କ ନାଁରେ ଅତୀତରେ ଘରୋଇ ହିଂସା ଅଭିଯୋଗ ଆସିଥିବାରୁ ତାଙ୍କ ନିରବ ପ୍ରାର୍ଥନାରେ ଯୋଗ ଦେଇନଥିଲେ ପୌଲା। ଅତୀତକୁ ସେ ଆଦୌ ଭୁଲି ପାରିବେ ନାହିଁ ବୋଲି ପେସାରେ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ପୌଲା ପରେ ଦେଇଥିବା ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧିତ ଖବର