ନ୍ୟୁୟର୍କ: ଆର୍ଜେଣ୍ଟିନାର କିଂବଦନ୍ତି ଫୁଟ୍‌ବଲର୍‌ ଡିଆଗୋ ମାରାଡୋନା ୧୯୮୬ ଫିଫା ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦୁଇ ଥର ଗୋଲ୍‌ କରିଥିଲେ। ସେଥିମଧ୍ୟରୁ ଗୋଟିଏ ‘ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌’ ଗୋଲ୍‌ ଭାବେ କୁଖ୍ୟାତି ଅର୍ଜନ କରିଥିଲା। ତେବେ ସେହି ‘ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌’ ଗୋଲ୍‌ ବେଳେ ମାରାଡୋନା ଯେଉଁ ଜର୍ସି ପିନ୍ଧି ବିଶ୍ବକପ୍‌ ଖେଳିଥିଲେ ତାହା ଏବେ ନିଲାମ ହେବାକୁ ଯାଉଛି। ଚଳିତ ମାସ ଶେଷ ଆଡ଼କୁ ଏହି ନିଲାମ କରାଯିବ ବୋଲି ବୁଧବାର ଘୋଷଣା କରାଯାଇଛି। ନୀଳ ରଙ୍ଗର ଏହି ଜର୍ସିର ନମ୍ବର ରହିଥିଲା ୧୦। ସେହି ବିବାଦୀୟ ବିଶ୍ବକପ୍‌ ପରଠାରୁ ପ୍ରତିପକ୍ଷ ମିଡ୍‌ଫିଲ୍‌ଡର ଷ୍ଟିଭ୍‌ ହଜ୍‌ ମାରା‌ଡୋନାଙ୍କ ୧୦ ନମ୍ବର ଜର୍ସିର ମାଲିକାନା ନିଜ ପାଖରେ ରଖିଛନ୍ତି। ଇଂଲଣ୍ଡ ବିଶ୍ବକପ୍‌ର ସେହି କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌କୁ ୧-୨ ଗୋଲ୍‌ରେ ହାରିଯିବା ପରେ ହଜ୍‌ ତାଙ୍କ ଜର୍ସିକୁ ମାରାଡୋନାଙ୍କ ସହ ଅଦଳବଦଳ କରିଥିଲେ। ଗତ ୨୦ ବର୍ଷ ଧରି ମାଞ୍ଚେଷ୍ଟରସ୍ଥିତ ନ୍ୟାସ୍‌ନାଲ ଫୁଟ୍‌ବଲ ମ୍ୟୁଜିୟମ୍‌ରେ ଏହା ସାଧାରଣ ଜନତାଙ୍କ ପାଇଁ ପ୍ରଦର୍ଶିତ ହୋଇ ଆସୁଛି। ଚଳିତ ମାସ ୨୦ରୁ ମେ’ ୪ ତାରିଖ ପର୍ଯ୍ୟନ୍ତ ମାରାଡୋନା‌ଙ୍କ ସେହି ବହୁ ଚର୍ଚ୍ଚିତ ଜର୍ସିକୁ ଅନ୍‌ଲାଇନ୍‌ ଜରିଆରେ ନିଲାମ କରାଯିବ ବୋଲି ସୋଥେବି ସଂସ୍ଥା ଏକ ବିବୃତ୍ତିରେ କହିଛି। ମାରାଡୋନାଙ୍କ ଏହି ମହାନ ସ୍ମୃତିର ମୂଳଦର ୫.୨ ମିଲିୟନ ଡଲାର ରଖାଯାଇଛି।