ବିକ୍ରି ହେବନି ମାରାଡୋନାଙ୍କ ଜର୍ସି

ଲଣ୍ଡନ: ୧୯୮୬ ମସିହାରେ ଆର୍ଜେଣ୍ଟିନାର ମହାନ ଫୁଟ୍‌ବଲ୍ ତାରକା ଡିଏଗୋ ମାରାଡୋନା ଦେଇଥିବା ଜର୍ସିକୁ ଇଂଲଣ୍ଡର ପୂର୍ବତନ ଫୁଟ୍‌ବଲର୍‌ ଷ୍ଟିଭ୍ ହଜ୍ କୌଣସି ପରିସ୍ଥିତିରେ ବିକ୍ରି କରିବେ ନାହିଁ। ଏହି ଜର୍ସି ସହ ଆବେଗଭରା ସଂପର୍କ ଥିବାରୁ ଆଜୀବନ ସେ ଏହାକୁ ନିଜ ପାଖରେ ରଖିବେ। ଜର୍ସିଟିକୁ ଜିଣିବା ଲାଗି ଦୈନିକ ତାଙ୍କ ପାଖକୁ ଶହ ଶହ ପ୍ରସ୍ତାବ ଆସିବା ପରେ ଏଥିରେ ଅତିଷ୍ଟ ହୋଇ ୫୮ ବର୍ଷୀୟ ହଜ୍ ବୁଧବାର ସର୍ବସାଧାରଣରେ ଏହି ଘୋଷଣା କରିଛନ୍ତି। ଏପରିକି ଏଥିପାଇଁ ଜଣେ ମାରାଡୋନାପ୍ରେମୀ ଦେଇଥିବା ୧୫ କୋଟି ଟଙ୍କାର ପ୍ରସ୍ତାବକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ୧୯୮୬ ମସିହା ଫିଫା ବିଶ୍ବକପ୍‌ର ଇଂଲଣ୍ଡ ବିପକ୍ଷ ଚର୍ଚିତ କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ରେ ମାରାଡୋନା ଏକାକୀ ଆର୍ଜେଣ୍ଟିନାକୁ ବିଜୟୀ କରାଇଥିଲେ।

ଏହି ଉତ୍କଣ୍ଠାପୂର୍ଣ୍ଣ, ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଅସରନ୍ତି ରୋମାଞ୍ଚଭରା ମୁକାବିଲାରେ ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ଇଂଲଣ୍ଡକୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିବା ସହ ପରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଏହି କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ପରେ ମାରାଡୋନା ଓ ହଜ୍ ନିଜ ନିଜର ଡ୍ରେସିଂ ରୁମ୍‌କୁ ଫେରିଲା ବେଳେ ଜର୍ସି ଅଦଳ ବଦଳ କରିଥିଲେ। ଏହି ଜର୍ସିକୁ ହଜ୍ ସେବେଠାରୁ ସାଇତି ରଖିଛନ୍ତି। କେବେ କେବେ ସଂଗ୍ରହାଳୟରେ ସାଧାରଣ ଜନତାଙ୍କ ଦର୍ଶନ ପାଇଁ ମଧ୍ୟ ଦେଇଛନ୍ତି। ଗତ ବୁଧବାର ମାରାଡୋନାଙ୍କ ଅକାଳ ବିୟୋଗ ପରେ ଏହି ପ୍ରସିଦ୍ଧ ଜର୍ସି ବିକ୍ରି ହେବାର ଖବର ପ୍ରକାଶ ପାଇଥିଲା। ଏଭଳି କୌଣସି ସମ୍ଭାବନାକୁ କିନ୍ତୁ ହଜ୍ ସଂପୂର୍ଣ୍ଣ ଅଗ୍ରାହ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର